ପ୍ରଥମ ପୁରୁଷ/ପୂର୍ବ ପୁରୁଷ

ଉଇକିପାଠାଗାର‌ରୁ
ପ୍ରଥମ ପୁରୁଷ ଲେଖକ/କବି: ଜଗନ୍ନାଥ ପ୍ରସାଦ ଦାସ
ପୂର୍ବ ପୁରୁଷ

ପୂର୍ବ ପୁରୁଷ

ମୋ ନାଁ ସେ ଲେଖିଦେଲା
ହାତରେ ସେ ସଜାଡ଼ିଲା
ସେ ନାଁର ପ୍ରତିଟି ଅକ୍ଷର
ସେ ତାକୁ ବି ଜୀବନ୍ୟାସ ଦେଲା
ମୋର ଜନ୍ମପତ୍ରିକାରେ ସଜାଡ଼ିଲା
ରାଶି ଓ ନକ୍ଷତ୍ର ବୟସ ସମୟ
ସେ ଦେଲା ହାତରେ ମୋର
ଭବିଷ୍ୟତ ପଥ ଓ ପାଥେୟ

ତା ଆଦେଶ ମାନି ଆଜି ମନ୍ଦିରକୁ ଯାଏ
ପାଦ ଛୁଏଁ ମଥା ମୁଁ ନୁଆଁଏ
ମନ୍ତ୍ର ପଢ଼େ ପ୍ରହେଳିକା ସହସ୍ର ନାମର
ମୁଁ ତିଳ ତର୍ପଣ କରେ ଆଞ୍ଜୁଳାରେ ପାଣି ଦିଏ
ମାନି ନିଏ ସବୁ ବିଧି ସବୁ ଉପଚାର

ପଛକୁ ମୁଁ ଫେରିଯାଏ ଥରେ ଥରେ
ମୁଁ ତାର ହାତକୁ ଧରି ଚାଲିବାକୁ ଚେଷ୍ଟା କରେ
ଚାରିଆଡେ ଅନ୍ଧକାର
ମୁଁ ଖୋଜେ ଗୋଟିଏ ତାରା
ସେ ତାରା ବି ସିଏ
ସେ ପୁଣି ନକ୍ଷତ୍ର ହୋଇ ମତେ ଜାଳିଦିଏ
ମତେ ଦୃଷ୍ଟିହୀନ କରେ

ଅଗ୍ନିପ୍ରଭା ଆଲୋକରେ ତାର
ତାକୁ ଧରି ରଖିବାକୁ ହାତ ମୁଁ ବଢ଼ାଏ
ମୋ ହାତ ଶୁନ୍ୟକୁ ଛୁଏଁ
ପ୍ରତିଧ୍ୱନି ହୋଇଯାଏ ମୋ କ୍ଷୀଣ ଚିତ୍କାର

ଧୀରେ ଧୀରେ ଫୁଲି ଫୁଲି ସମୁଦ୍ର ଉତ୍ତାଳ ହେଲେ
ମୁଁ ନିଏ ଶପଥ ତାକୁ ହତ୍ୟା କରିବାର
ହାତରେ ମୁଁ ମୁଖାଗ୍ନିର ନିଆଁ ହୁଳା ନେଇ
ଖୋଜିବୁଲେ ତାକୁ ଯାଇ ପଥେ ଓ ପ୍ରାନ୍ତରେ
ଆକାଶରେ ଯୌବନର ବ୍ୟର୍ଥ ସୀମାନ୍ତରେ
ନପୁଂସକ କ୍ରୋଧର କୋଟରେ

ହଠାତ ସେ ଦେଖାଦିଏ ଆକାଶରୁ ବଡ
ଦାନବ ସେ ସୂର୍ଯ୍ୟ ତାର ଆଖି
ସେ ମତେ ଆବୃତ କରେ
ଗ୍ରାସ କରେ ସର୍ବାଙ୍ଗକୁ ମୋର
ହାତ ମୋର ଥମିଯାଏ ସମୁଦ୍ରର ପାଣି ଯାଏ ଶୁଖି

ସେ ପୁଣି କୋଠରୀ ହୋଇ ବନ୍ଦ କରେ ମତେ
ମୁଁ ତାର ପାଦକୁ ଛୁଏଁ ମନ୍ତ୍ର ପଢ଼େ ତିଳ ଦିଏ
ପୁଣି ସେଇ ନିଆଁ ହୁଳା ଦେଇ
ନିଜକୁ ମୁଁ ଜାଳିଦିଏ
ତାର ସେଇ ବନ୍ଦ କୋଠରୀରେ