ପ୍ରଥମ ପୁରୁଷ/ସ୍ୱପ୍ନ

ଉଇକିପାଠାଗାର‌ରୁ
ପ୍ରଥମ ପୁରୁଷ ଲେଖକ/କବି: ଜଗନ୍ନାଥ ପ୍ରସାଦ ଦାସ
ସ୍ୱପ୍ନ

ସ୍ୱପ୍ନ

ରାତିରେ ମୁଁ ସ୍ୱପ୍ନ ଦେଖିଲି
ଗୋଟିଏ କପୋତ ଆସି
ମୋ ହାତରେ ରଙ୍ଗୀନ ଫୁଲଟିଏ ଦେଇଗଲା

ମୋ ବିଛଣା ଚାରିପାଖେ ଶୋଇଥିଲେ
ଜାକିଜୁକି ମୋ ମନର ଅସରନ୍ତି ଇଚ୍ଛା ସବୁ
ଧାଡ଼ି ଧାଡ଼ି ଝିଅ ଭଳି
ସେମାନେ ଉଠିଲେ ପୁଣି ଶୋଇଗଲେ
ରାତି ହେଲା ଆହୁରି ଜମାଟ
ଝଙ୍କାଳିଆ ପତ୍ର ଗହଳରେ ପେଚାର ଆଖିରେ

ସେ ଗଛର ଅନ୍ୟ ଏକ ଡାଳରୁ ଯେ ପକ୍ଷୀ
ଦେଖ ମୋ ଆଡ଼କୁ ଅନାଇଛି
ମୁଁ ଭାବୁଛି ସେ ପକ୍ଷୀଟି ଆଚମ୍ବିତେ ବଡ଼ ହେବ
ସେ ପୁଣି ଗରୁଡ଼ ହୋଇ
ଖୁମ୍ପିନେବ ମୋ ଆଖିର ଦୁଇଟି ଡୋଳାକୁ

ଚନ୍ଦ୍ରକୁ ଖୋଜିଲି ତେଣୁ
ପାହାଡ଼ ପଛରେ ଅନେକ ପାହାଡ଼
ମୋଡ଼ି ହୋଇ ଭାଙ୍ଗି ହୋଇ
ଗଛର ଗହଳ ପତ୍ର ଭଙ୍ଗା ପଥର
ଓ ମନ୍ଦିରର ଚୂଡ଼ା ଡେଇଁ

ଅନେକ ଗ୍ରୀଷ୍ମର ସ୍ଥିର ରାତି
ଶତାବ୍ଦୀର ନୀରବତା ପାର ହୋଇ
ରଙ୍ଗହୀନ ଆକାଶରେ ଚନ୍ଦ୍ର ସତେ ଛୁରୀ
ସକାଳର ତାରାମାନେ ଯେଉଁଠାରେ
ଆତ୍ମହତ୍ୟା କରୁଛନ୍ତି ଜଣ ଜଣ କରି

ମୁଁ ପୁଣି ଦେଖିଲି ଏକ ଫୁଲବଣ
ସାପ ଭଳି ଲତା
ଫୁଲର ପାଖୁଡା ସବୁ ଜିଭ ଭଳି
ମାଡ଼ି ମାଡ଼ି ପଡେ ନିର୍ଜନତା
ରାତିର ଟିକିଏ ଯାହା ଆଲୁଅ
ସେମାନେ ଯାଇ ପଶିଗଲେ ଅନେକ ଗାତରେ
କଳା କଳା ଫୁଲ ଏବଂ ପ୍ରଜାପତିମାନେ
ସବୁକିଛି ମୃତ ଏବଂ ଶୂନଶାନ

ହାତ ସବୁ ଫୁଲ ହୋଇ ଫୁଟୁଛନ୍ତି
ଚାରିଆଡେ ପକ୍ଷୀଙ୍କ ଭିଡରେ
ସାରା ରାତି ଖୋଜୁଛି ମୁଁ
ମୋ ନିଜକୁ ଅନ୍ୟର ସ୍ୱପ୍ନରେ