Jump to content

ପ୍ରଥମ ପୁରୁଷ/ଦେବୀ

ଉଇକିପାଠାଗାର‌ରୁ
ପ୍ରଥମ ପୁରୁଷ ଲେଖକ/କବି: ଜଗନ୍ନାଥ ପ୍ରସାଦ ଦାସ
ଦେବୀ

ଦେବୀ

ତମେ ଆବିର୍ଭାବ ହୁଅ ନିଶାର୍ଦ୍ଧର ଶୂନ୍ୟ ମୁହୁର୍ଭରେ
ଅଧିଷ୍ଠାତ୍ରୀ ଦେବୀ ତମେ
ମୋର ଯେତେ ଗୋପନୀୟ କାମନା
ଓ ମୋ ଦେହର ରକ୍ତମାଂସ ସ୍ନାୟୁମାନଙ୍କର
ତମ ସିଂହାସନ ମୋର ନିରୁପାୟ ଇଚ୍ଛା
ଆଉ ତମର ମନ୍ଦିର
ସ୍ମୃତିସ୍ତମ୍ଭ ମୋର ଯେତେ ପ୍ରତିହତ ଆଶାମାନଙ୍କର

ତମର ସ୍ଥାପନା ହୁଏ
ଦୁଃସ୍ୱପ୍ନର କେଉଁ ଏକ ଭୟାର୍ତ୍ତ କ୍ଷଣରେ
ତମ ପୂଜା ହୋଇଥାଏ ସହରର ନିଷିଦ୍ଧ ଗଳିରେ
ତମର ସମସ୍ତ ସ୍ତବ ପ୍ରତିଧ୍ୱନି ହୋଇ ଶୁଭେ
କ୍ରୀତଦାସ ବଜାରର ନିଲାମ ଡାକରେ

ଆକି ତମ ପ୍ରତୀକ୍ଷାର ଶେଷ ରାତ୍ରି
ନାଟକର ଶେଷ ଅଙ୍କେ ନାୟକ ନିହତ ହେଲା
ତମର ଯେତେକ ଥିଲେ ଚିହ୍ନିତ ପ୍ରେମିକ
ସବୁ ପଳାତକ ହେଲେ
ମନ୍ଦିରରେ ପୂଜକ ନାହାନ୍ତି
ସମୁଦ୍ରରେ ଢେଉ ନାହିଁ
ଆକାଶରେ ହସ ଏବଂ ଜହ୍ନ ରାତି
କିଛି ଆଉ ଅବଶିଷ୍ଟ ନାହିଁ

ମନ୍ଦିରର ବେଢ଼ା ଖାଲି ସବୁ ଆଜି ଶୂନଶାନ
ଏ ରାତିରେ କେହି ଆଉ ନାହିଁ
ତମ ଅପେକ୍ଷାରେ ତମ ପ୍ରତ୍ୟକ୍ଷର
ସିଂହଦ୍ୱାର ପହରା ଦେଉଛି
ଏଠାର ଏକାକୀ ଦେଖ
ମୁଁ ତମର ଶେଷ ସାମୁରାଇ

ମଲା ଲୋକମାନଙ୍କ ସହିତ ତମ ମନ୍ତ୍ରଣାର ଶେଷ ହେଉ
ତମେ ଆସ ଛମ ଛମ
ରୁପାର ଘୁଙ୍ଗୁର ପିନ୍ଧି ଆଜି ମୋ ସ୍ୱପ୍ନରେ
ଆଜି ସବୁ ଲିଭିଯାଉ ଏ ମନ୍ଦିର ଧୂଳିସାତ ହେଉ
ରାତି ସବୁ ଜଳିଯାଉ ଦେହର ଦାହରେ
ସମସ୍ତ ଆବୃତ କରୁ ରୂପ ବର୍ଣ୍ଣ ସ୍ୱରର ଅନ୍ଧାର
ତମ ହାତ ଅକ୍ଟୋପସ ହୋଇ ମତେ ନିଷ୍ପେଷିତ କରୁ
ତମ ପାଦ ଯୂପକାଠ ହୋଇ ମତେ ବନ୍ଦ କରୁ
ଚିରିଯାଉ ମୋ ହାତର ଦଶଟି ପାଖୁଡା
ତମ ସ୍ତନର କ୍ୟାକଟସ୍ ଲାଗି
ତମ ଦେହ ଚୋରାବାଲି ହୋଇଯାଉ ମତେ ଗ୍ରାସ କରୁ