ପ୍ରଥମ ପୁରୁଷ/ପ୍ରହରୀ

ଉଇକିପାଠାଗାର‌ରୁ
ପ୍ରଥମ ପୁରୁଷ ଲେଖକ/କବି: ଜଗନ୍ନାଥ ପ୍ରସାଦ ଦାସ
ପ୍ରହରୀ

ପ୍ରହରୀ

 ତାକୁ ମୁଁ ପହରା ଦିଏ
 ତା ଦେହର ଚାରିପାଖେ ଗାର କାଟି
 କଳାଗାର ଧଳାଗାର ଦିନରାତି ଆଠଟି ପ୍ରହର
 ସବୁ ଋତୁ ସବୁ ଅନୁଭବ
 ଏକତ୍ରିତ କରି ସବୁ ଅଶାନ୍ତ ମୌସୁମୀ
 ଏବଂ ଶେଷ ବସନ୍ତର ସମସ୍ତ ମୁହୂର୍ତ୍ତ
 ରହିଥାଏ ଏକାଗ୍ର ମନରେ
 ଆଖିରେ ପଲକ ନାହିଁ ମୋ ହାତରେ ଛୁରୀ
 ମୁଁ ବସେ ଉଦ୍‌ଗ୍ରୀବ ହୋଇ
 ଆଶଙ୍କାର ନିଝୁମ ପ୍ରହରେ

 ଅକସ୍ମାତ ଝଡ ଉଠେ ମେଘର ରଥରେ
 କଳାଘୋଡ଼ା ଧଳାଘୋଡ଼ା ଉଚ୍ଚାଟ ହୁଅନ୍ତି
 ଭାଙ୍ଗିଯାଏ ଆକାଶର ଇନ୍ଦ୍ରଜାଲ
 ଝଡ଼ର ଡେଣାରେ
 ଜଂଗଲର ଚଟାଣରେ ବିଞ୍ଚିଯାଏ ମୁଠା ମୁଠା
 ଅବଶେଷ ଶେଷ ଆଲୁଅର
 ସବୁ ପୁଣି ଲିଭି ଲିଭି ଯାଏ
 କଳାମୁଖା କିଏ ଯାଇ ବାନ୍ଧିଦିଏ
 ଆକାଶ ମୁହଁରେ
 ମୁଁ ଦେଖେ ଦୁଇଟି ଆଖି
 କାହାର ଏ ଆଖି

କାହାର ଏ ପଦଧ୍ୱନି
କିଏ ମେଘ କେଉଁଠି ଆକାଶ
ଚଞ୍ଚଳ ହୁଏ ମୁଁ ପୁଣି
ପ୍ରତିଧ୍ୱନି ଶୁଣି ସେ ଝଡ଼ର
ଆଖିର ମୁନରେ ମୋର
ଚିରିବାକୁ ଚେଷ୍ଟା କରେ ସବୁ ଅନ୍ଧକାର

ଅନ୍ଧାରର କାନ୍ଦ ଶୁଭେ ରହି ରହି
ଦୂରରୁ ଚିତ୍କାର ଶୁଭେ ଆଦିମ ଜୀବର
ଶୁଭେ ପୁଣି ଲିଭିଯାଏ
ଝାଉଁବଣ ଦୀର୍ଘଶ୍ୱାସ ନିଏ
ଦଳ ଦଳ ଛାଇଙ୍କର ଶୋଭାଯାତ୍ରା ସରି ଆସେ
ଛପି ଛପି ପାଦଶବ୍ଦ
ଚୁପ ଚୁପ କଥାର ଉହାଡ଼େ

ମୁଁ ପୁଣି ସତର୍କ ହୁଏ
ମଲା ଦେହ ଚାରିପାଖେ ଗାର କାଟି ଦିଏ