ପ୍ରଥମ ପୁରୁଷ/ସହର

ଉଇକିପାଠାଗାର‌ରୁ
ପ୍ରଥମ ପୁରୁଷ ଲେଖକ/କବି: ଜଗନ୍ନାଥ ପ୍ରସାଦ ଦାସ
ସହର

ସହର

ମୋ ସୀମାନା ବାହାରେ
ଓ ମୋ କଥାର ପ୍ରତିଧ୍ୱନି ଆର ପାଖେ
ଯେଉଁ ଏକ ସହର ରହିଛି
ସେ ସହର ଦିନେ ମୋର ଏକାନ୍ତ ନିଜର ଥିଲା
ଛୋଟ ଛୋଟ କୋଠରୀରେ ଆମେ ବନ୍ଦ ଥିଲୁ
ପରିପୂର୍ଣ୍ଣ ଥିଲୁ ଆମେ
ନିଜ ନିଜ ଛୋଟ ପରିଧିରେ

ଇସ୍ପାତର ଗଛମାନଙ୍କରେ
ନିଅନର ଫୁଲ ଫୁଟୁଥିଲେ
ଆମର ମନର ସବୁ ମିନି ବସ୍‌ମାନେ
ଲୁଚୁକାଳି ଖେଳୁଥିଲେ କଂକ୍ରିଟର ଗୋଲକଧନ୍ଦାରେ
ରାସ୍ତା ସବୁ ସମୁଦ୍ରର ରଂଗୀନ ଚଟାଣ ଥିଲେ
ବତୀଖୁଣ୍ଟମାନ ତାର ଲହରୀର ଅସଂଖ୍ୟ ଭଉଁରୀ
ଆମର ଯେତେକ ସ୍ୱପ୍ନ
ସେମାନଙ୍କୁ ଦେଇଥିଲା ଅଭୟ ଆଶ୍ରୟ
ଆମର ଏ ଅତିପ୍ରିୟ ନିଷିଦ୍ଧ ନଗରୀ

କାନ୍ଥମାନଙ୍କରେ ଆମେ ଲେଖି ରଖି
ଯୌବନର ଅନେକ ମୁହୁର୍ତ୍ତ
ସକାଳର ସୁର୍ଯ୍ୟ
ଏବଂ ସାରାରାତି ତାରାଙ୍କର ଆଲୁଅକୁ

ବାନ୍ଧି ରଖି ଝରକା କାଚରେ
ଅନେକ ନିଷେଧ ଚିହ୍ନମାନଙ୍କର ସଂକେତ ନ ମାନି
ଆମେ ବି ଦେଖିଲୁ
ଆମ ଜୀବନର ବହୁବର୍ଣ୍ଣ ଚଳଚିତ୍ର
ସକାଳ ସଂଧ୍ୟାରେ
ଆଦିମ ରହସ୍ୟ ଭରା ଆମ ନିଜ ବନ୍ଦ କୋଠରୀରେ

ଆମେ ବଡ଼ ହେଲୁ
ପୁଣି ନିଜ ନିଜ ରାସ୍ତା ଖୋଜିନେଲୁ
ହଜିଗଲେ କେତେ କିଏ କେଉଁଠାରେ
କିଏ ଯଦି ମାନିନେଲା ଆଖିଠାର ସବୁଜ ବତୀର
ଲାଲ ଆଲୁଅରେ ପୁଣି କାହାର ବି ଗତିରୋଧ ହେଲା
କିଏ ଯାଇ ମିଶିଗଲା
କାଚ ଆଉ ଇସ୍ପାତର ଅନନ୍ତ ସ୍ରୋତରେ
ଇତସ୍ତତଃ ହେଲା ପୁଣି କିଏ ଯାଇ
ଅନାତ୍ମୀୟ ବିଦେଶର କେଉଁ ଭଡ଼ା ଘରେ

ସେ ସହର ଆଜି ଆଉ ଚିହ୍ନି ହୁଏ ନାହିଁ
ନେଲାଣି ସେ ନୂଆ କଳେବର
ରାସ୍ତାଙ୍କର ନୂଆ ନାଁ
ଘର ସବୁ ହେଲେଣି ନିଲାମ
ଠିକଣାରେ ଅଦଳବଦଳ
ପୁରୁଣା କାହାକୁ ଆଉ ଚିହ୍ନି ହୁଏ ନାହିଁ
ରବିବାର ସହରର ଛକ ଆଜି ଚୁପଚାପ
ଶେଷ ବସ୍ ଚାଲିଗଲା ସବୁ ଶୂନଶାନ