ପ୍ରଥମ ପୁରୁଷ/ଅନ୍ୟ ଦିନ
ଅନ୍ୟ ଦିନ
ଦିନ ସବୁ ଉଡ଼ିଗଲେ
ଧାଡ଼ି ଧାଡ଼ି ପକ୍ଷୀଙ୍କ ଡେଣାରେ
ମରିଗଲେ ରାତି ସବୁ
ପାହାଡରେ ମଥା ପିଟି ପିଟି
ଆଲୁଅ ମିଶିଲା ଯାଇ
ଚିକିମିକି ତାରାଙ୍କ ମେଳରେ
ପଛକୁ ଅନାଇ ଆଜି ଏତେବେଳେ
ସମୟର ଚଉମୁହାଣିରେ
ମାପୁଛି ମୁଁ ଅତୀତକୁ
ମୋର ଏଇ ଖାଲି ଗିଲାସରେ
ବାନ୍ଧି ମୁଁ ରଖିଲି ମୋର ଯୌବନକୁ
ମୋ ଦେହର କାଚଘର ଚାରିଟି କାନ୍ଥରେ
ପଥର ପାଚେରୀମାନ
ଘେରାଇଲି ମୋ ମନର ଚାରିପାଖେ
ମୋ ଚଞ୍ଚଳ ଜୀବନକୁ ବନ୍ଦ କରି
ପଂଜୁରୀରେ ତାକୁ
ସଯତ୍ନେ ରଖିଲି ନେଇ ସମୁଦ୍ର ଭିତରେ
ସମୁଦ୍ରରେ ଝଡ ହୋଇ ଥମିଗଲା
ବାଲିର ସ୍ତୁପରେ ପୁଣି ଜମା ହେଲା ବାଲି
ଆକାଶର ରଙ୍ଗ ସବୁ ମିଶିଯାଇ ଇନ୍ଦ୍ରଧନୁ ହେଲେ
ଅନେକ ମୁହୁର୍ତ୍ତମାନ ମରି ପୁଣି ଜନ୍ମାନ୍ତର ନେଲେ
ସମୟର ଏଇପରି ଚକା ଭଉଁରୀରେ
ନିଜକୁ ମୁଁ ହଜାଇଲି ମଣିଷଙ୍କ ଭରା ବଜାରରେ
ମୋ କାନରେ ଚୁପଚୁପ
କଥା କିଏ କହିଲା ହଠାତ
ମତେ କେ ଛୁଇଁଲା ଆସି
ମୋ ହାତରେ ହାତ ଦେଲା କିଏ
ମୋର ସବୁ ମନ୍ତ୍ର ପଢ଼ା ବନ୍ଦ ହେଲା
ମୁଁ ଦେଖିଲି ମୋ ନିଜକୁ
ଆଉ ଥରେ ନୂଆ ବିସ୍ମୟରେ
ଭଙ୍ଗା କାଚ ଖୋଲା ଘର ଶୁଖିଲା ବାଲିରେ
ଆଜି ମୁଁ ରକ୍ତାକ୍ତ ହୋଇ
ପଡ଼ିଛି ଏ ସମୁଦ୍ର ସୀମାରେ
ସେ ଦିନ ବି ନାହିଁ ଆଉ
ମୋ ହାତରେ ମୁଠା ମୁଠା ଅବାକ ଶୁନ୍ୟତା
ଆକାଶରେ ଛାଇ ନାହିଁ
ସବୁ କିଛି ନିସ୍ତବ୍ଧ ଓ ଶୂନଶାନ
ରକ୍ତ ଖାଲି ଜମିଯାଏ କାଚ ବାଲି ପଥର ଉପରେ