ପ୍ରଥମ ପୁରୁଷ/ପ୍ରଥମ ପ୍ରେମ

ଉଇକିପାଠାଗାର‌ରୁ
ପ୍ରଥମ ପୁରୁଷ ଲେଖକ/କବି: ଜଗନ୍ନାଥ ପ୍ରସାଦ ଦାସ
ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

ଅନେକ ପୁରୁଣା ମୁହଁ
ବିସ୍ମୃତିର କୁହୁଡ଼ିରେ ପହଁରି ପହଁରି
ମୋ ପାଖେ ଏକାଠି ହେଲେ
ପୁଣି କେଉଁ ଯାଦୁକର କ୍ରୂର ଇଙ୍ଗିତରେ
ସେମାନେ ସମସ୍ତେ ଗଲେ ପଥର ପାଲଟି
ମତେ ଆସି ବନ୍ଦୀ କଲେ ବାହୁର ଘେରାରେ

ମୁଁ ଭାବୁଛି ସରିଗଲା
କିପରି ମୋ ପ୍ରଥମ ଯୌବନ
କିଞ୍ଚିତ ସମୟ ଗଲା
ଅସଂଲଗ୍ନ କଥା କହିବାରେ
ଖାପଛଡ଼ା କଥା ବୁଝିବାରେ
ମାନ ଭାଙ୍ଗିବାରେ
ହାତ ଧରି ସ୍ୱପ୍ନ ଦେଖିବାରେ
କିଛି ହସ କିଛି କାନ୍ଦ
କେତୋଟି ମୁହୂର୍ତ୍ତ ପୁଣି ଚୁପଚାପ
ଭୁଲ ବୁଝା: ମତେ କର ଆଦର ନଚେତ
କେତେ ଚୋରା ଚାହାଣୀର ଆମନ୍ତ୍ରଣ
କିଛି ପୁଣି ହାତରେ ନିଷେଧ
କିଞ୍ଚିତ ସମୟ ଗଲା
ଯୌବନକୁ ବୁଝିବାର ନିଷ୍ଫଳ ଚେଷ୍ଟାରେ

ହିସାବ କରୁଛି ଆଜି
ମୋ ଜୀବନ କେଉଁଭଳି ନିରର୍ଥକ ଗଲା
ଅସଂପୂର୍ଣ୍ଣ ଦିନ ଏବଂ ଅଶାନ୍ତ ରାତିରେ
ସତ୍ତା ମୋର ହରାଇଲି କିଭଳି ମୁଁ
ଦୁଇଗୋଟି ଦର୍ପଣର ପରିଧି ଭିତରେ
ମୁଁ କିପରି ମନ୍ତ୍ର ମୁଗ୍ଧ ହେଲି
ମୋର ନିଜ ଛାଇ ଦେଖି
ସୀମାହୀନ ବିସ୍ମୟରେ
ମୁଁ କିପରି ଶୋଇଗଲି ଶୀତନିଦ୍ରା
ସମୟର ଶୀତତାପ ନିୟନ୍ତ୍ରିତ
କୋଠରୀ ଭିତରେ

ଆଜି ମୁଁ ପଢ଼ୁଛି ମନ୍ତ୍ର
ମନ୍ଦିରର ପ୍ରାଙ୍ଗଣରେ ବସି
ପଥରକୁ ଜୀବନ ଦେବାର
ଅନେକ ପଥର ମୁହଁ ଚାରିପାଖ ନିର୍ବାକ ନିସ୍ପନ୍ଦ
ସେମାନେ ସମସ୍ତେ ଯଦି ଜୀବନ୍ୟାସ ନେଇ
ଥରେ ମୋ ସ୍ୱପ୍ନରେ ଆସନ୍ତେ