ପ୍ରଥମ ପୁରୁଷ/ଶିବ

ଉଇକିପାଠାଗାର‌ରୁ
ପ୍ରଥମ ପୁରୁଷ ଲେଖକ/କବି: ଜଗନ୍ନାଥ ପ୍ରସାଦ ଦାସ
ଶିବ

ଶବ

ପଡ଼ିଛି କାହାର ଶବ ମଝି ସଡ଼କରେ
ସେ ପାଖରେ ଲୋକଙ୍କ ଭିଡ଼
ପାଖ କାଟି ଚାଲିଗଲେ କେତେ କିଏ
କେତେ କିଏ ପାରିଲେନି ଦେଖି
କାହା ପାଦ ରହିଗଲା କିଏ ଚୁପ୍ ହେଲା
ଦେଖି ପୁଣି କିଏ ଜଣେ ବୁଜିଦେଲା ଆଖି

ସେ ରାସ୍ତାରେ ମନ୍ତ୍ର ପଢ଼ି ଚାଲିଗଲା ଜଣେ
ଫୁଲ ତୋଳେ ଏ ଶିଶୁ କାହାର
ସେଠାରେ ହସିଲା କିଏ
କିଏ ହାତ ବଢ଼ାଇଲା
ସମୟକୁ ବନ୍ଦ କରିବାକୁ
ନିର୍ଜନ ରାସ୍ତାରେ ପୁଣି
ହଜିଗଲା କାହାର ଚିତ୍କାର

ଆଲୁଅର ଉଜାଣିରେ
ସେ ରାସ୍ତାରେ ହଜିଗଲା ଜଣେ
ମନର ଅନେକ ସ୍ୱପ୍ନ
ଜାଳିଦେଇ ଦୀର୍ଘ ନିଶ୍ୱାସରେ
କେ କହିଲା ଆହା
କିଏ ତାର ଜୀବନକୁ ମାପ କଲା
ଜଳୁଥିବା ମହାମବତୀରେ

କିଏ ପୁଣି ରାସ୍ତା ତାର ଖୋଜିନେଲା
ଅଧା ଆଲୁଅରେ

ଲୋକସବୁ ଚାଲିଗଲେ
ସଡକ ନିଝୁମ୍ ହେଲା ହସ ଲିଭିଗଲା
ଅନନ୍ତ ଶୂନ୍ୟରେ
ପଡ଼ିଚି ତଥାପି ଶବ ମଝି ସଡ଼କରେ

ମୁ ଶୋଇଚି ନିର୍ଜନ ଦ୍ୱୀପରେ