ପ୍ରଥମ ପୁରୁଷ/କୋଠରୀ
କୋଠରୀ
ମୋ ଶୋଇବା ଘର ଏକ ଜଉ ଘର ଭଳି
ଅନେକ ଇଚ୍ଛାର ନିଆଁ ଦପ୍ ଦପ୍
ଜଳୁଛି ଲିଭୁଛି ଜଳୁଛି ଲିଭୁଛି
ଏ ଘରର କାନ୍ଥ ନାହିଁ
ବହିର ନାୟିକାମାନେ ନାରୀ ହୋଇ
ଘରକୁ ଆସନ୍ତି ଯାଆନ୍ତି
ଅସରନ୍ତି ଶୋଭାଯାତ୍ରା କରି
ଅଶ୍ଳୀଳ ବହିର ଯେତେ ଅବାସ୍ତବ ରୂପକଥା
ଏଇ ଘରେ ଜୀବନ ନିଅନ୍ତି
ଅନେକ ଦେହର ଛବି ଏକତ୍ରିତ ହୋଇ
ଅସମ୍ଭବ ବନ୍ଧନରେ ଛନ୍ଦି ହୋଇ ଛାତରୁ ଝୁଲନ୍ତି
ମୋ ପାଖରୁ ବସି କେତେ
କଳା ଓ ରହସ୍ୟମୟୀ ଝିଅମାନେ
ଗୁଣୁ ଗୁଣୁ କରିଥାନ୍ତି ସେମାନଙ୍କ ଅଭିଳାଷମାନ
ଶୁଣିଥିବା ଆନଙ୍କର ଅନେକ ଆଶାରେ
ରାତି ଆସେ ନିଃଶଙ୍କ ଓ ଅନାୟାସ
ଆକାଶର ପଲଙ୍କରେ ଜହ୍ନ ଶୋଇଗଲେ
କୋଠରୀରେ ଭରିଯାଏ
ସେ ନିଆଁର ଘନିଷ୍ଠ ଉତ୍ତାପ
ନିଜ ବିଛଣାରେ ମୁଁ ନିଜକୁ
ସମ୍ରାଟର ସମ୍ମାନ ଜଣାଏ
ପୁଣି ଶୋଇଯାଏ
କେବେ କେବେ ଦେହର ତାତିରେ
ସ୍ୱପ୍ନର ବିଜୁଳି ଆସି
ଆଘାତ କରନ୍ତି ମୋର ଆତ୍ମବିଶ୍ୱାସକୁ
ମୋ ଦେହର ସାମର୍ଥ୍ୟକୁ
ମୁଁ ନିଜେ ସନ୍ଦେହ କରେ
କିଛି କିଛି ବୁଭୁକ୍ଷାରେ
ମରିଯାଏ ଟିକି ଟିକି ହୋଇ
ମତେ ଚାହିଁ ହସେ
ମୋର ବିଛଣାର ନିଷ୍ପାପ ଶୁଭ୍ରତା
ଅତୀତର ଅସଫଳ ସକଳ ମୁହୂର୍ତ୍ତ
ମତେ କରନ୍ତି ବିବ୍ରତ
ମୋ ନିଜର ଘର ମତେକରେ ଭୟଭୀତ
ଶ୍ୱାସରୁଦ୍ଧ ହୋଇ ଯେବେ
ମୁକ୍ତି ଚାହେଁ ସେ ଘର ଭିତରୁ
ମୁହଁ ଦେହ ଇଚ୍ଛା ସବୁ
କାନ୍ଥ ହୋଇ ମତେ ଘେରିଯାନ୍ତି