ପ୍ରଥମ ପୁରୁଷ/ଚଉମୁହାଣି

ଉଇକିପାଠାଗାର‌ରୁ
ପ୍ରଥମ ପୁରୁଷ ଲେଖକ/କବି: ଜଗନ୍ନାଥ ପ୍ରସାଦ ଦାସ
ଚଉମୁହାଣି

ଚଉମୁହାଣି

ମତେ ସେ କହିଲା ହଁ
ଏଇଟା ହିଁ ଠିକ ରାସ୍ତା
ନିର୍ବିଘ୍ନରେ ଯିବା ପାଇଁ ପାଖ ସହରକୁ
ଏ ରାସ୍ତାରେ କିଛି ବାଟ ଯିବା ପରେ
ତମେ ଏକ ମନ୍ଦିର ଦେଖିବ
ଚୂଡ଼ା ତାର ଭାଙ୍ଗିଲାଣି ତଥାପି ସେଠାରେ
କେବେ କେବେ ଲୋକଙ୍କର ଭିଡ଼ ହୁଏ
କାର୍ତ୍ତିକ ଓ ମାର୍ଗଶିର ମାସେ
ପୁରୋହିତମାନେ ଆସି ପୂଜାପାଠ କରିଥାନ୍ତି
ଦଶମାସ ବ୍ୟବଧାନ ପରେ
ତମେ ଯେଣୁ ତୀର୍ଥଯାତ୍ରୀ ନୁହଁ
ଏବଂ ଇଏ ମାଘ ମାସ
ସେଠାରେ ନ ରହି ତମେ ଅଶ୍ୱତ୍‌ଥ ପାଖକୁ ଯାଅ
ସେ ଗଛରେ ଚନ୍ଦନ ଓ ସିଦୂରର ଦାଗ ଦେଖି
ମନ୍ଦିରର ଭ୍ରମ ହୋଇପାରେ
ସିଏ କିନ୍ତୁ ନିହାତି ମାମୁଲି ଗଛ
ତା ଡାଳରେ ଶଂଖଚକ୍ର ଚିହ୍ନ ନାହିଁ
ସେ ଗଛର ଆଖପାଖେ ହୁଙ୍କା ନାହିଁ
କିଛି କ୍ଷଣ ପାଇଁ ଯାହା ପକ୍ଷୀମାନେ
ଆସିଥାନ୍ତି ସେ ଗଛକୁ ସଂଜବେଳେ
ତମେ ତାର ଦକ୍ଷିଣ ରାସ୍ତାରେ ଯିବ
ସନ୍ଧ୍ୟା ହେବା ଆଗରୁ ନିଶ୍ଚୟ

ସେ ରାସ୍ତାରେ ମଶାଣି ପଡ଼ିବ
ଯଦିଓ ସେ ଅତି ସାଧାରଣ
ମଣିଷଙ୍କ ପୋଡ଼ା ହେବା ଜାଗା
ସେଠାରେ ନାହାନ୍ତି କେହି ଭୂତ ପ୍ରେତ ଆଦି
ସେଠାରେ ଡାହାଣୀ ବୁଢ଼ୀ ନିଆଁ ଜାଳେ ନାହିଁ
ତମେ କିନ୍ତୁ ନୂଆ ଲୋକ ସେ ସବୁ ନ ଦେଖି
ଚାଲିଯିବ ଆହୁରି ଆଗକୁ ସିଧା ସେଇ ସଡ଼କରେ
କିଛି ବାଟ ବାଁ ପାଖେ ଯିବା ପରେ
ତମେ ପୁଣି ପହଞ୍ଚିବ ଚଉମୁହାଣିରେ
ଏଥର ଆଶ୍ୱସ୍ତ ହୁଅ
ଲେଖା ଅଛି ଚାରିଟି ରାସ୍ତାର ନାଁ
ଆଉ ସେଇ ଛକରୁ ଯାଇଛି ରାସ୍ତା
ସିଧା ତମ ନିଜ ସହରକୁ

ସେ ରାସ୍ତାରେ କିଛିବାଟ ଆସିଯିବା ପରେ
ମନେ ହେଲା ଜାଣିଶୁଣି ହୁଏତ ନିଶ୍ଚିତ
ମନେ ସିଏ ପଥଭ୍ରଷ୍ଟ କଲା
ଅଥବା ନ ଜାଣି ମତେ
ଭୂଲ ରାସ୍ତା ଦେଖାଇଲା
ପୁଣି ମନେହେଲା
ଆଜି ଯଦି ଭୁଲ କରି ଚଉମୁହାଣିରେ
ଲକ୍ଷ୍ୟଭ୍ରଷ୍ଟ ଅନ୍ୟ ଏକ ସହରରେ
ପହଞ୍ଚେ ତଥାପି
ସମ୍ଭବତଃ କିଛି କ୍ଷତି ନାହିଁ

ହୁଏତ ମୁଁ ଜାଣେ ନାହିଁ
ନିଜେ ମୋର ଲକ୍ଷ କିଏ
ଅଥବା ମୁଁ ସ‌ହରକୁ ନୁହେଁ
ସେଇ ଛକ‌କୁ ହିଁ ରାସ୍ତା ଖୋଜୁଥିଲି