ଅର୍ଘ୍ୟଥାଳୀ/ଗଣେଶଙ୍କର ଆତ୍ମକଥା
ଗଣେଶଙ୍କର ଆତ୍ମକଥା
ଲେଖକ/କବି: ଗଙ୍ଗାଧର ମେହେର
ଗଣେଶ ବୋଲନ୍ତି ବିଘ୍ନରାଜ ବୋଲି
ପୂଜା କରି ମୋତେ ନରେ,
ବହୁ ଚାଟୁ କରି ପ୍ରବର୍ତ୍ତାଇଥାନ୍ତି
ବିଘ୍ନକୁଳ ନାଶନରେ ।
ଚାଟୁ ଯା’କରନ୍ତି ଚାଟୁ ନୁହେ ତାହା
କେବଳ ଅସହ୍ୟ ଗାଳି,
ନର କେହି ସହି ନ ପାରନ୍ତେ, ଦେବ-
ସ୍ୱଭାବେ ନିଏଁ ସମ୍ଭାଳି ।
କେହି ବୋଲେ ହାତୀ- ମୁଣ୍ଡିଆ, କେହି ବା
ବୋଲଇ ଏକଦନ୍ତିଆ,
କେହି ବୋଲିଥାଏ ଦୁଇ ମାଆ ପୁଅ
କେ ବୋଲେ ଲମ୍ବପେଟିଆ ।
ବିଘ୍ନଙ୍କର ଯେବେ ରାଜା ହେଲି ମୁହିଁ
ସେ ତ ହେଲେ ମୋର ପ୍ରଜା,
ପ୍ରଜାନାଶ କରି କାହିଁ ଉଡ଼ାଇବି
ଅପକୀରତିର ଧ୍ୱଜା ?
ମୃଗରାଜ ସିନା ମୃଗ ନାଶ କରେ
ପାଶବ ସ୍ୱଭାବ ଧରି,
ଦେବତା ହୋଇ ମୁଁ ସେ କ୍ରୂର ଅଧର୍ମ
କର୍ମ କରିବି କିପରି ?
ଦେବତା ହୋଇ କେ ଆଶ୍ରିତ ନାଶିବା
ଦେଖା ନାହିଁ, ଶୁଣା ନାହିଁ,
ଆଶ୍ରିତ ନାଶିଲେ ନରଲୋକେ ମୋତେ
ପୂଜିବେ ଆଉ କିପାଇଁ ?
ନରେ ବାଞ୍ଛୁଛନ୍ତି ବିଘ୍ନଙ୍କ ମରଣ
ପାଇ ସେହି ସମାଚାର,
ନରଙ୍କ ଉପରେ ବିଘ୍ନମାନେ ସିନା
କରୁଛନ୍ତି ଅତ୍ୟାଚାର !
ବିଘ୍ନ ସଙ୍ଗେ ଯେହୁ ମିତ୍ରପଣ କରି
ତୋଷିଥାନ୍ତି ସମାଦରେ,
ବିଘ୍ନ ଦେଇ ତାଙ୍କୁ ସାହସ, ତୋଷଇ
ସିଦ୍ଧିପଥ ସମ୍ବାଦରେ ।
ବିଘ୍ନମାନେ ମୋର ସତତ ଅଛନ୍ତି
ସିନ୍ଧିଭଣ୍ଡାର-ପ୍ରହରୀ,
ସିନ୍ଧି ତା’ ହସ୍ତକୁ ନ ଯାଏ ଯେ ଥାଏ
ଦୂରୁ ଚାହିଁ ତାଙ୍କୁ ଡରି ।
•••