Jump to content

ଅର୍ଘ୍ୟଥାଳୀ/ଉଦ୍‌ବୋଧନ

ଉଇକିପାଠାଗାର‌ରୁ
ଅର୍ଘ୍ୟଥାଳୀ
ଲେଖକ/କବି: ଗଙ୍ଗାଧର ମେହେର
ଉଦ୍‌ବୋଧନ‌


ଉଦ୍‌ବୋଧନ‌
ଲେଖକ/କବି: ଗଙ୍ଗାଧର ମେହେର


 
ନବ ବର୍ଷେ ଆଜି ନବୀନ ପ୍ରଭାତେ
ନବ ଭାଗ୍ୟ-ରବି ନବ ତେଜେ ଭାତେ।
ନବ ସମ୍ରାଟ୍‌ଙ୍କ ନବୀନ ରଟନ
କରିଅଛି ନବ ପ୍ରଦେଶ ଗଠନ ।
ଉତ୍କଳ ଜୀବନେ ପଶି ନବ ବଳ
ନବ ଆଶା-ପଥକରୁଛି ଉଜ୍ଜ୍ୱଳ ।
ବାରିଷ୍ଟର ପଦେ ଉତ୍କଳ-ନନ୍ଦନ
ଫେରି ମାତୃପଦେ କରିଛି ବନ୍ଦନ ।
ଚୌଦିଗେ ଶୁଭୁଛି ଉଠ ଜାଗ ଜାଗ,
ଅଣ୍ଟାଭିଡ଼ି ନିଜ କର୍ମେ ଲାଗ ଲାଗ ।
କର୍ମ-ବାଷ୍ପରଥ ଧାଇଁ ଶଙ୍ଖସ୍ୱନେ
ଆସି ଏବେ ଲାଗିଗଲାଣି ଷ୍ଟେସନେ ।
ଚଢ଼ିବା ସମୟ ହେଲାଣି ନିକଟ,
ଶୋଇପଡ଼ିଅଛ ନ କିଣି ଟିକଟ ?
ଦେଖୁଛ ସମ୍ମୁଖେ କେମନ୍ତ ଉଦ୍‌ବେଗ
ଚଢ଼ି ଯାଉଛନ୍ତି ଯାତ୍ରିଗଣ ବେଗେ ।
ଚାହୁଁଥିବ ଯେବେ ଦୃଶ୍ୟେ ହୋଇ କାବା,
ବୃକ୍ଷତଳେ ଭୋକେ ମରୁଥିବ ବାବା !
ଯହିଁ ପାଇଁ ଏତେ ଦୂରକୁ ଆସିଛ,
ପଛେ ପଡ଼ିଗଲେ ସବୁ ହେବ ମିଛ ।

ନବ ରବିକରେ ଫୁଟଇ କମଳ,
ଉତ୍‌ଫୁଲ୍ଲେ ଉଠନ୍ତି ବିହଙ୍ଗମଦଳ ।
ଆହାର ବିହାର ପାଇଁ ତେଜି ପୁର
ଉଡ଼ିଯାଇଥାନ୍ତି କେତେ କେତେ ଦୂର ।
ମହୁମାଛି ମଧୁ ସଞ୍ଚୟ ଲାଳସେ
ବହୁ ଦୂର ବନ-ପର୍ବତେ ବିଳସେ ।
ବଳ ଥାଉଁ କେହି ନିଶ୍ଚୟ ମଉନ
ଥାଇ ନ କରନ୍ତି ଜୀବନ ନିଉନ ।
ସୁପ୍ତ ସିଂହ ମୁଖେ ନ ପଶେ ଆହାର,
ଶ୍ରମେ ପିପୀଲିକା ପୂରାଏ ଭଣ୍ଡାର ।
ମେଲିଥିଲେ ପାଟି ଶୋଇ ବୃକ୍ଷତଳେ
ବୃକ୍ଷଚ୍ୟୁତ ଫଳ ନ ମଡ଼େ କବଳେ ।
ଗଜ ସିଂହ ବ୍ୟାଘ୍ର ଦେହେ ଅଛି ବଳ,
ତାଙ୍କୁ ବାନ୍ଧେ ନର ପ୍ରକାଶି କୌଶଳ ।
କୌଶଳଜନକ ଜ୍ଞାନ ଅଟେ ସିନା,
ଜନମି ନ ପାରେ ଜ୍ଞାନ ଭାଷା ବିନା ।
ଭାଷାଯୋଗୁଁ ସିନା ଦମି ଜୀବଗଣ
ମାନବ କରଇ ବିଶ୍ୱେ ରାଜପଣ ।
ଯା’ ଭାଷା ଦୁର୍ବଳା ସେ ନିଶ୍ଚେ ଅଧମ,
କାହିଁ ହେବ ଆନେ ପ୍ରତିଯୋଗେ କ୍ଷମ ?
ଉଚ୍ଚଭାଷୀ ଲୋକେ ତାକୁ ନୀଚ ଗଣି
ଉଚ୍ଚ ସମାଜରେ ହୁଅନ୍ତି ଅଗ୍ରଣୀ ।
ଯେ ନର ନ ବୁଝେ ମାନ-ଅପମାନ,
ନୁହଇ କି ସେହୁ ପଶୁର ସମାନ ?
ଯା’ ଭାଷା ଦୁର୍ବଳା କାହିଁ ତାର ଜ୍ଞାନ ?
କାହିଁ ତାର ରାଜଦୁଆରେ ସମ୍ମାନେ ?
ଉଚ୍ଚ ହେବାପାଇଁ କର ଯେବେ ଆଶା,
ଉଚ୍ଚ କର ଆଗେ ନିଜ ମାତୃଭଷା ।
ନାହିଁ ଯେବେ ହୃଦେ ଉଚ୍ଚ ଅଭିଳାଷ,
କର ଆମୋଦର ପଲଙ୍କେ ବିଳାସ ।
ପ୍ରତିବେଶିଙ୍କର ଚରଣ ପ୍ରହାର-
ଚିହ୍ନଶ୍ରେଣୀ କର ବକ୍ଷଦେଶେ ହାର ।
ଉଚ୍ଚ ପଦ ପାଇଁ ଡାକିଲେ ରାଜନ,
କେତେ ଜଣ ଅଛ ତହିଁକି ଭାଜନ ?
ପ୍ରତିବେଶିଙ୍କର ସହିତ ତୁଳନା
କରି କର ନିଜ ମଧ୍ୟରେ କଳନା ।
ତହିଁରୁ ବୁଝିବ ନିଜେ କେଡ଼େ ଦୀନ
କରିଅଛ ପୁଣି ମାତୃଭାଷା ହୀନ।
ମାତୃଭାଷା ପୋଥି ଛୁଇଁବାକୁ କରେ
ଅନ୍ୟ କେଉଁ ଜାତି ଲଜ୍ଜାବୋଧ କରେ ?
ଉଠ ଭାଇ, ଉଠ, ନବୀନ ଆଲୋକେ,
ଶୋଇଥିଲେ ଚାହିଁ ହସୁଥିବେ ଲୋକେ ।
ଶୁଭ କର୍ମପଥେ ହୁଅ ଅଗ୍ରସର,
ଚକ୍ଷୁ ମଳିବାକୁ ନାହିଁ ଅବସର ।
ମାତୃଭୂମି ମାତୃବାଷାର ବଦନ
ଦୀପ୍ତ କର ଦେଇ ଧନ ଧ୍ୟାନ ମନ ।
ଶୁଭ ପଥେ ବିଭୁ କରିବେ ମଙ୍ଗଳ,
ଶୁଭ କର୍ମେ ହେବ ଜୀବନ ସଫଳ ।

•••