ପୃଷ୍ଠା:Sarala Bhashatattwa.pdf/55

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରାଯାଉଅଛି । ଅବଶ୍ୟ ଏ ସମୁଦାୟ ଶବ୍ଦର ବିକୃତ ରୂପ ଯେ କେବଳ ଓଡ଼ିଆରେ ଉଦ୍ଭୂତ ହୋଇଅଛି ତାହା ନୁହେଁ, କେତେଗୁଡ଼ିଏ ଶବ୍ଦ ଓଡ଼ିଆରେ ଭିନ୍ନ ଭାବରେ ବିକୃତ ହୋଇଥିଲେହେଁ ଅନ୍ୟ ଶବ୍ଦମାନଙ୍କର ବିକୃତ ରୂପ ଅନ୍ୟ ଭାଷାରୁ ଓଡ଼ିଆରେ ଅନୂକୃତ । ଶବ୍ଦମାନଙ୍କର ବ୍ୟବହାରରେ ଏହିପରି ଧ୍ୱନି ବିପର୍ଯ୍ୟୟର ପ୍ରକୃଷ୍ଟ ଉଦାହରଣ 'ନ' ଓ 'ଳ' ଧ୍ୱନିମାନଙ୍କରେ ଦେଖାଯାଏ ଓ ଏହିପରି ବିପର୍ଯ୍ୟୟ ହେତୁରୁ ଓଡ଼ିଆରେ ନଙ୍ଗଳା, ଲଙ୍ଗଳା; ନଉଡ଼ି, ଲଉଡ଼ି; ନଇଁବା, ଲଇଁବା ପ୍ରଭୃତି ଶବ୍ଦର ବ୍ୟବହାର ଆମ୍ଭେମାନେ ଅହରହଃ ଦେଖିଥାଉଁ ।

ଶବ୍ଦମାନଙ୍କର ବିକୃତିର ଅନ୍ୟ ନାନା କାରଣ ମଧ୍ୟ ଥାଇପାରେ । ଅନ୍ୟ ଭାଷାର ଶବ୍ଦ ସହିତ ସଂଶ୍ରବରେ ଶବ୍ଦର ବିକୃତି ସାଧିତ ହୋଇ ପାରେ । ଏହାର ଉଦାହରଣ ଆମ୍ଭେମାନେ 'ପିଲା' ଶବ୍ଦର ବିକାରରେ ସ୍ପଷ୍ଟ ଦେଖିଅଛୁଁ । ଅନେକ ସମୟରେ ପୁଣି ଭାଷାରେ ପ୍ରଚଳିତ ଅନ୍ୟ ଶବ୍ଦର ପ୍ରଭାବରୁ ଶବ୍ଦର ବିକୃତି ସାଧିତ ହୋଇଥାଏ କିମ୍ବା ନୂତନ ଶବ୍ଦ ମଧ୍ୟ ଗଠିତ ହୋଇଥାଏ । ଓଡ଼ିଆରେ 'ପିଟିବା' ଶବ୍ଦ ପ୍ରଚଳିତ ଥିଲା, ଏହି କାରଣରୁ punitive ପୁଲିଶ ଦ୍ୱାରା ଲୋକଙ୍କୁ ଆଘାତ ଦେବା ବା ଶାସ୍ତିଦେବା ଅର୍ଥ ପ୍ରକାଶ କରିବା ନିମନ୍ତେ punitive ଶବ୍ଦକୁ ଓଡ଼ିଆରେ 'ପିଟୁଣି ପୁଲିସ' ବୋଲି ଲେଖାଯାଇଥାଏ । 'ଅନ୍ତର' ଶବ୍ଦ ଆଗରୁ ପ୍ରଚଳିତ । ଇଂରାଜୀ intern ଶବ୍ଦ ଦ୍ୱାରା କୌଣସି ଲୋକକୁ ନଜରବନ୍ଦୀରେ ରଖିବା ଅଥବା ଅନ୍ୟ ଲୋକର ଚକ୍ଷୁର ଅନ୍ତରାଳରେ ରଖିବାର ଅର୍ଥ ପ୍ରକାଶିତ ହେଉ ଥିବାରୁ 'ଅନ୍ତରୀଣ' ଶବ୍ଦର ଉଦ୍ଭବ ହୋଇଅଛି । ବାସ୍ତବିକ ଅନ୍ତରୀଣ ଓ ପିଟୁଣି ଏହି ଉଭୟ ଶବ୍ଦ ଇଂରାଜୀରେ ବ୍ୟବହୃତ ଶବ୍ଦମାନଙ୍କର ବିକୃତି ଓ ଏହି ବିକୃତିର ଅନ୍ତରାଳରେ ଓଡ଼ିଆରେ ପୂର୍ବରୁ ବ୍ୟବହୃତ ଶବ୍ଦମାନଙ୍କର ପ୍ରଭାବ ସୁସ୍ପଷ୍ଟ ।

ଉଚ୍ଚାରଣରେ ଆଳସ୍ୟବଶତଃ ଶବ୍ଦର ବିକୃତି ସାଧିତ ହେବା ସ୍ୱାଭାବିକ ହେଲେହେଁ ଅନେକ ସମୟରେ ଉଚ୍ଚାରଣର ସୁବିଧା ନିମନ୍ତେ ବର୍ଣ୍ଣର ଆଗମ ମଧ୍ୟ ଅନେକ ଶବ୍ଦରେ ଘଟିଥାଏ । ଆମ୍ଭେମାନେ 'ଅମ୍ଳ' ପରିବର୍ତ୍ତରେ ଯେତେବେଳେ 'ଆମ୍ବିଳା' ବ୍ୟବହାର କରୁଁ, 'ବିମଳା' ପରିବର୍ତ୍ତରେ 'ବିମ୍ବଳା' ଲେଖୁଁ, station ପରିବର୍ତ୍ତରେ 'ଇଷ୍ଟିସନ' ଉଚ୍ଚାରଣ କରୁଁ, ସେତେବେଳେ ଉଚ୍ଚାରଣ ଗତ ସୁବିଧାହିଁ ଏହି ଶବ୍ଦମାନଙ୍କ ବିକୃତିର କାରଣ ବୋଲି ସ୍ପଷ୍ଟ ପ୍ରତୀୟମାନ ହୁଏ । ଆମ୍ଭେମାନେ 'ଇସ୍କୁଲ' କୁ ଯାଉଁ, 'ଅସ୍ତାବଲ'ରେ ଘୋଡ଼ା ରଖୁଁ,'ଇଷ୍ଟୁପିଡ୍' ବୋଲି ଅନ୍ୟକୁ ଗାଳି ଦେଉଁ, 'ଇସ୍କୃପ୍' ଦ୍ୱାରା କାଠକୁ ଅନ୍ୟ କାଠ ସହିତ ସଂଯୁକ୍ତ କରୁଁ ଏବଂ 'ଇସ୍‌ପିସଲ' ନମ୍ବରଦ୍ୱାରା ଲାଖରାଜ ଜମିକୁ ଚିହ୍ନିତ କରୁଁ । ଏସବୁ କ୍ଷେତ୍ରରେ ଶବ୍ଦରେ ଗୋଟିଏ ନୂତନ ବର୍ଣ୍ଣର ଆଗମ ଘଟିଅଛି ଓ ଏହା ଯେ ଉଚ୍ଚାରଣର