ପୃଷ୍ଠା:Sarala Bhashatattwa.pdf/74

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆରବରୁ ସ୍ପେନୀୟ ଭାଷାରେ 'ଆଜୂକର' (azucar), ସ୍ପେନୀୟ ଭାଷାରୁ ଫରାସୀ ଭାଷାରେ 'sucre' ଓ ସେଥିରୁ ଇଂରାଜୀରେ 'sugar' ଶବ୍ଦ ଜାତ ହୋଇଅଛି । ଅନ୍ୟ ଦିଗରେ ପାରସିକ ଶକର ଶବ୍ଦର ବିଶେଷଣରେ ଶକ୍‌ରନ୍ ଶବ୍ଦ ହୋଇଅଛି; ଅର୍ଥାତ୍ ଯାହା ମିଷ୍ଟ ବା ଶର୍କରାଯୁକ୍ତ ତାହାହିଁ ଶକ୍‌ରନ୍ । ଏହି ଶକ୍‌ରନ୍ ଶବ୍ଦର ବିକୃତିରେ ଶିରା, ଶିରଣୀ ପ୍ରଭୃତି ଶବ୍ଦ ଜାତ ହୋଇଅଛି ଓ ହିନ୍ଦୀ ଶିର୍ଣ୍ଣି ଶବ୍ଦ ଶିନ୍ନିରେ ରୂପାନ୍ତରିତ ହୋଇ ସେଥିରୁ 'ଚିନି' ଶବ୍ଦ ଓଡ଼ିଆରେ ବ୍ୟବହୃତ ହୋଇଅଛି ଓ ଚୀନ ଦେଶରୁ ମୂଳତଃ ଆମଦାନି କରାଯାଉ ଥିବାରୁ ଏହାର ଏହି ରୂପ ସୁପ୍ରତିଷ୍ଠିତ ହୋଇଅଛି । ବର୍ତ୍ତମାନ ଏହି ଶବ୍ଦର ରୂପ ସହିତ ମୂଳ ଶର୍କରା ଶବ୍ଦର କୌଣସି ସମ୍ବନ୍ଧ ଥିବାର ଅନୁମାନ କରିବା ଅସମ୍ଭବ । 'ଚିନିବାଟି' (enamel ବାଟି) ଶବ୍ଦରେ ବ୍ୟବହୃତ ଚିନି ଶବ୍ଦ ବାସ୍ତବରେ ଚୀନ ଦେଶ ସହିତ ସମ୍ପୃକ୍ତ, କାରଣ ପ୍ରଥମତଃ ଚୀନ ଦେଶରୁ ଆମଦାନୀ କରା ହୋଇଥିବା ମାଟିରେ ଏପରି ଶ୍ୱେତବର୍ଣ୍ଣ ବାସନ ତିଆରି କରାଯାଉଥିଲା । ଚିନାବାଦାମ ପ୍ରଭୃତି ଶବ୍ଦରେ ମଧ୍ୟ ଚୀନ ଦେଶ ସହିତ ସମ୍ପର୍କ ସୁସ୍ପଷ୍ଟ ।

ଭାଷାତତ୍ତ୍ୱ ଆଲୋଚନା କରିବା ସମୟରେ ମନେ ରଖିବାକୁ ହେବ ଯେ, କେବଳ ଶବ୍ଦର ଆକୃତି ବା ଅର୍ଥ ଧରି ସେମାନଙ୍କର ମୂଳ ଶବ୍ଦ ନିରୂପଣ କରିବା ଅନ୍ୟାୟ । ଇଂରାଜୀ Juice ଶବ୍ଦର ଅର୍ଥ ଓ ରୂପ ସହିତ ସଂସ୍କୃତ ଜୁଷ୍ ଧାତୁର ଅର୍ଥ ଓ ରୂପର ସମତା ସୁସ୍ପଷ୍ଟ, ଅଥଚ ଏମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ । ଏହିପରି ସଂସ୍କୃତ ଚପ୍ ଧାତୁର ଅର୍ଥ ଚୂର୍ଣ୍ଣ କରିବା ବା ଖଣ୍ତ ଖଣ୍ତ କରିବା ଓ ଇଂରାଜୀ chop ଶବ୍ଦରେ ମାଂସକୁ ଖଣ୍ତ ଖଣ୍ତ କରିବାର ଅର୍ଥ ନିହିତ ଥିଲେହେଁ ଏ ଦୁଇ ପଦ ମଧ୍ୟରେ କୌଣସି ପ୍ରକାର ସମ୍ପର୍କ ନାହିଁ । ଇଂରାଜୀ cough ଓ ସଂସ୍କୃତ କଫ; ଇଂରାଜୀ Jump ଓ ସଂସ୍କୃତ ଝମ୍ପ ପ୍ରଭୃତି ଶବ୍ଦରେ ମଧ୍ୟ କୌଣସି ପ୍ରକାର ସମ୍ପର୍କ ନାହିଁ ଓ ଓଡ଼ିଆ ବାଇକ୍ ଶବ୍ଦକୁ ସଂସ୍କୃତ 'ବା' ଧାତୁ (ଗମନ କରିବା ଅର୍ଥରେ) ସହିତ ଇକ୍ ପ୍ରତ୍ୟୟ କରି ନିଷ୍ପନ୍ନ କରିବା ସମ୍ଭବ ହେଲେହେଁ ବାସ୍ତବରେ ଏହି ଶବ୍ଦଟି ଇଂରାଜୀ bicycle ଶବ୍ଦର ବିକୃତି । ଏହିପରି ଭାଷାରେ ଗୋଟିଏ ଶବ୍ଦ ପ୍ରଚଳିତ ଥିଲେହେଁ ସେହି ରୂପଧାରୀ ଶବ୍ଦ ଅନ୍ୟ ଅର୍ଥରେ ଅନ୍ୟ ଭାଷାରୁ ଗୃହୀତ ହୋଇଥାଇ ପାରେ । କୋଟ ସଂସ୍କୃତ ଶବ୍ଦ (ମରୀଚ କୋଟ ପ୍ରଭୃତି) ମାର୍ତ ଆମ୍ଭେମାନେ ଯେଉଁ କୋଟ୍ ପିନ୍ଧୁ, ତାହା ଏହି କୋଟ ଠାରୁ ଭିନ୍ନ । ପୁଣି 'କଲି' ସଂସ୍କୃତ ଶବ୍ଦ, ମାତ୍ର ଆମ୍ଭେମାନେ ଘରେ ଯେତେବେଳେ 'କଲି ଫେରାଇବା' କାର୍ଯ୍ୟ ଆରମ୍ଭ କରୁ, ତେତେବେଳେ ଆରବୀ ଭାଷାରୁ ଉତ୍ପନ୍ନ ଶବ୍ଦର ବ୍ୟବହାର କରିଥାଉଁ । ପୁଣି କୌଣସି ଶବ୍ଦ ବିଦେଶୀ ଭାଷାରୁ ଗୃହୀତ ହୋଇଅଛି ବୋଲି