ପୃଷ୍ଠା:Sarala Bhashatattwa.pdf/75

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କହିବା ମଧ୍ୟ ଭାଷାତତ୍ତ୍ୱ ଆଲୋଚନା କରିବା ସମୟରେ ଯଥେଷ୍ଟ ନୁହେଁ, କାରଣ ଦେଖିବାକୁ ହେବ ଯେ, ଶବ୍ଦଟି କେଉଁ କାରଣରୁ ଓ କି ପରିସ୍ଥିତିରେ ବିଦେଶରୁ ଗୃହୀତ ହୋଇଅଛି । ଯଦି ଦେଖାଯାଏ ଯେ, କୌଣସି ଶବ୍ଦ ପ୍ରାଚୀନ ଓଡ଼ିଆରେ ବ୍ୟବହୃତ ହୋଇଅଛି, ତେବେ ତାହା ଯେ ଇଂରାଜୀ ପ୍ରଭୃତି ଭାଷାରୁ ଗୃହୀତ ନୁହେ ତାହା ଅନୁମାନ କରିବାକୁ ହେବ । ଦେଶମାନଙ୍କ ମଧ୍ୟରେ ସାମାଜିକ, ରାଜନୈତିକ ବା ଅର୍ଥନୈତିକ ସମ୍ପର୍କ ସ୍ଥାପିତ ହେଲେ ଏକ ଦେଶର ଶବ୍ଦ ଅନ୍ୟ ଭାଷାରେ ପ୍ରଚଳିତ ହୁଏ ଓ ଏହି ସମ୍ପର୍କର କାଳ ନିର୍ଣ୍ଣୟ କରି ଶବ୍ଦମାନଙ୍କର ବ୍ୟବହାର ନିର୍ଦ୍ଦେଶିତ କରିବାକୁ ହୁଏ । ପୁଣି ଗୋଟିଏ ଶବ୍ଦ ନାନା ବୈଦେଶିକ ଭାଷାରେ ପ୍ରଚଳିତ ଥିବାରୁ ତାହା ପ୍ରଥମେ କେଉଁ ଭାଷାରୁ କିପରି ଭାବରେ ଆସିଅଛି, ତାହାର ମଧ୍ୟ ଆଲୋଚନା କରିବାକୁ ହୋଇଥାଏ । ଓଡ଼ିଆରେ 'ଇସ୍‌କୃପ୍' ଶବ୍ଦ ପ୍ରଚଳିତ । ଇଂରାଜୀ screw ଶବ୍ଦ ସହିତ ଏହାର ରୂପଗତ ଓ ଅର୍ଥଗତ ସାଦୃଶ୍ୟ ସୁସ୍ପଷ୍ଟ, ମାତ୍ର ବାସ୍ତବରେ ଏହି ଶବ୍ଦଟି ଇଂରାଜୀ ଶବ୍ଦରୁ ଭାରତରେ ବ୍ୟବହୃତ ହୋଇ ନାହିଁ । ଏହି ଶବ୍ଦଟି ମୂଳ ଆର୍ଯ୍ୟ ଧାତୁ ସ୍କର୍ଭ (କାଟିବା ଅର୍ଥରେ)ରୁ ଉତ୍ପନ୍ନ ହୋଇ ଟିଉଟନିକ skru ମଧ୍ୟ ଦେଇ ଡଚ schroef ଓ ପର୍ଟୁଗିଜ ଇସ୍କୃପ୍ ରେ ପରିଣତ ହୋଇଥିଲା । ଶବ୍ଦଟିର ଏହି ରୂପ ଓଡ଼ିଆରେ ପ୍ରଚଳିତ ହୋଇଅଛି । କୌଣସି ଶବ୍ଦ ହିନ୍ଦୀରେ ଓ ଓଡ଼ିଆରେ ଏକ ପ୍ରକାରର ଥିଲେ ଯେ ଓଡ଼ିଆ ଶବ୍ଦଟି ନିଶ୍ଚିତଭାବରେ ହିନ୍ଦୀରୁ ଗୃହୀତ, ତାହା ହୋଇ ନ ପାରେ । ଓଡ଼ିଆରେ ଶବ୍ଦଟିର ବ୍ୟବହାର ପ୍ରାଚୀନତର ହୋଇ ପାରିଥାଏ କିମ୍ବା ଉଭୟ ଭାଷାରେ ଏକ ମୂଳ ପ୍ରାକୃତ ରୂପରୁ ଶବ୍ଦଟି ଭିନ୍ନ ଭିନ୍ନ ସମୟରେ ଗୃହୀତ ହୋଇ ପାରିଥାଏ । ଏସବୁର ସୂକ୍ଷ୍ମ ଆଲୋଚନା ଭାଷାତତ୍ତ୍ୱ ଅନୁଶୀଳନ କରିବା ସମୟରେ ଅବଶ୍ୟମ୍ଭାବୀ ଓ ଭାଷାଜ୍ଞାନ ଲାଭ କରିବାକୁ ହେଲେ ଏ ବିଷୟରେ ଗବେଷଣା କରିବା ନିତାନ୍ତ ପ୍ରୟୋଜନ ।

ଶବ୍ଦର ଅର୍ଥଗତ ବିକୃତି

ଶବ୍ଦମାନଙ୍କର ଅର୍ଥଗତ ବିକୃତି ଓ ଇତିହାସ ମଧ୍ୟ ଆମ୍ଭମାନଙ୍କୁ ଆଲୋଚନା କରିବାକୁ ହେବ । କେବଳ କେତେଗୁଡ଼ିଏ ଶବ୍ଦ ସଂସ୍କୃତ ବା ଇଂରାଜୀରୁ ଆସିଅଛି ଅଥବା ବର୍ତ୍ତମାନ କୌଣସି ବିଶେଷ ଅର୍ଥରେ ବ୍ୟବହୃତ ହେଉଅଛି, ଏତିକି ନିର୍ଦ୍ଦେଶିତ ହେଲେ ଯଥେଷ୍ଟ ହେବ ନାହିଁ । ପ୍ରତ୍ୟେକ ଶବ୍ଦର ଅର୍ଥଗତ ଇତିହାସ ଆଲୋଚନା କରି କେଉଁ ଶବ୍ଦର ଅର୍ଥ କେଉଁ ସମୟରେ କିପରି ଭାବରେ ପରିବର୍ତ୍ତିତ ହୋଇଅଛି, ଏହାର ନିର୍ଦ୍ଦିଷ୍ଟ ଜ୍ଞାନଲାଭ କରିବାକୁ ହେବ । ଶବ୍ଦର