ପୃଷ୍ଠା:Sarala Bhashatattwa.pdf/76

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ପ୍ରଥମ ସୃଷ୍ଟି ସମୟରେ ତାହାର ନିଶ୍ଚୟ ଗୋଟିଏ ବିଶେଷ ଅର୍ଥ ଥିବ । କାରଣ ଶବ୍ଦଗୁଡ଼ିକ ବାସ୍ତବିକ ଅର୍ଥର ସାଙ୍କେତିକ ଚିହ୍ନ ଏବଂ ସଙ୍କେତ ବିଷୟରେ ନିଶ୍ଚିତ ଓ ନିର୍ଦ୍ଦିଷ୍ଟ ଇଙ୍ଗିତ ସମସ୍ତେ କାମନା କରିଥାନ୍ତି । ମାତ୍ର ବର୍ତ୍ତମାନ ଦେଖାଯାଉଅଛି ଯେ ପ୍ରତ୍ୟେକ ଶବ୍ଦର ନାନାବିଧ ଅର୍ଥ ଅଛି, ବ୍ୟବହାର ସମୟରେ ପୁଣି ଶବ୍ଦଗୁଡ଼ିକ ନାନା ବିଶେଷ ଅର୍ଥରେ ବ୍ୟବହୃତ ହୋଇଥାଏ ଏବଂ ସମୟ ସମୟରେ କୌଣସି ବିଶେଷ ଅର୍ଥ ମଧ୍ୟ ପ୍ରକାଶ କରିଥାଏ । ଏହି ଅର୍ଥବିପର୍ଯ୍ୟୟର କାରଣ ନିର୍ଦ୍ଦେଶ କରିବା ଓ ତାହାର ଇତିହାସ ଲିପିବଦ୍ଧ କରିବା ଭାଷାତତ୍ତ୍ୱରେ ପ୍ରୟୋଜନ ହୁଏ ।

ଶବ୍ଦର ଅର୍ଥ ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଅର୍ଥ ମୂଳତଃ ଶବ୍ଦର ଉତ୍ପତ୍ତି ସହିତ ସମ୍ପୃକ୍ତ ଓ ବିଭିନ୍ନ ଭାଷାରୁ ଏକ ଧ୍ୱନିଯୁକ୍ତ ଶବ୍ଦ ସଂଗୃହୀତ ହୋଇଥିଲେ ତାହାର ଅର୍ଥ ମଧ୍ୟ ଭିନ୍ନ ହେବା ସ୍ୱାଭାବିକ । ସଂସ୍କୃତ 'ଅସ୍ତି' ଶବ୍ଦର ରୂପାନ୍ତରରୂପେ ଯେଉଁ 'ଅଛି' ଶବ୍ଦ ଭାଷାରେ ବ୍ୟବହୃତ ହେଉଅଛି, ତାହାର ଅର୍ଥ ଆରବ ଭାଷାରୁ ଗୃହୀତ 'ଅଛି' ଶବ୍ଦର ଅର୍ଥଠାରୁ ସମ୍ପୂର୍ଣ୍ଣ ଭିନ୍ନ । ସଂସ୍କୃତ ଶବ୍ଦରୁ ବିକୃତ 'ଅରଖ' ଶବ୍ଦର ଅର୍ଥ ଆରବ ଭାଷାରୁ ଗୃହୀତ 'ଅରଖ' ଶବ୍ଦର ଅର୍ଥ ସହିତ ଆଦୌ ସମ୍ପୃକ୍ତ ନୁହେ । ଏହିପରି ପାରସିକ ଶବ୍ଦରୁ ଉତ୍ପନ୍ନ ଜିନ ଶବ୍ଦର ଅର୍ଥ ଘୋଡ଼ା ଉପରେ ଦିଆଯାଇଥିବା ସାଜ, ଆରବ ଭାଷାରୁ ଗୃହୀତ 'ଜିନ' ଶବ୍ଦର ଅର୍ଥ 'ଦୈତ୍ୟ' ଓ ସଂସ୍କୃତରେ ବ୍ୟବହୃତ ଜିନ ଶବ୍ଦ (ଯେଉଁଥିରୁ ଜୈନ, ଜିନବନ୍ଧ ପ୍ରଭୃତି ଶବ୍ଦ ନିଷ୍ପନ୍ନ ହୋଇଅଛି)ର ଅର୍ଥ 'ବିଜେତା' ବା 'ଜୟଶୀଳ' । ଶବ୍ଦମାନଙ୍କର ଉତ୍ପତ୍ତି ଅନୁସାରେ ଯେ ସେମାନଙ୍କ ଅର୍ଥର ପାର୍ଥକ୍ୟ ହେବ, ତାହା ସହଜରେ ଅନୁମେୟ । କାରଣ ପ୍ରତ୍ୟେକ ଭାଷା ଅନ୍ୟ ଭାଷାଠାରୁ ମୂଳତଃ ଭିନ୍ନ, ଏଣୁ ସେଥିରେ ବ୍ୟବହୃତ ଶବ୍ଦମାନଙ୍କର ଅର୍ଥ ମଧ୍ୟ ବିଭିନ୍ନ । ପୁଣି ଏକ ଭାଷାର ବିଭିନ୍ନ ଶବ୍ଦରୁ ଏକ ଧ୍ୱନିଯୁକ୍ତ ଶବ୍ଦ ଗୃହୀତ ହୋଇଥିଲେହେଁ ସେମାନଙ୍କର ଉତ୍ପତ୍ତି ଅନୁସାରେ ଅର୍ଥର ପାର୍ଥକ୍ୟ ମଧ୍ୟ ଘଟି ପାରେ । ଓଡ଼ିଆରେ ଛତ୍ର ଶବ୍ଦ ବ୍ୟବହୃତ ହୁଏ; ଏହି ଶବ୍ଦଟି ଏକ ଦିଗରେ ସଂସ୍କୃତ 'ସତ୍ର' ଶବ୍ଦର ବିକୃତ ରୂପ ଅନ୍ୟ ଦିଗରେ 'ଛତ୍ର' ଶବ୍ଦର ମଧ୍ୟ ଅବିକୃତ ରୂପ । ଏଣୁ ଏହାର ଅର୍ଥ ମଧ୍ୟ ଓଡ଼ିଆରେ ବହୁବିଧ । ଆମ୍ଭେମାନେ ବିଭା, ଶାଳି, ଅଭ୍ର ପ୍ରଭୃତି ଶବ୍ଦରେ ମଧ୍ୟ ଏହିପରି ଅର୍ଥ ବୈଷମ୍ୟ ଦେଖିଥାଉଁ କାରଣ ଅଭ୍ର ଏକ ଦିଗରେ ଅଭ୍ରକ (ଏ ଶବ୍ଦଟି ମଧ୍ୟ ଓଡ଼ିଆରେ ପ୍ରଚଳିତ) ଶବ୍ଦର ବିକୃତ ରୂପ ଓ ଅନ୍ୟ ଦିଗରେ ଅଭ୍ର (ଆକାଶ ଅର୍ଥରେ, ଯଥା 'ଅଭ୍ରଙ୍କଷ') ଶବ୍ଦର ଅବିକୃତ ରୂପ । ବିଭା ଶବ୍ଦ ଏକ ଦିଗରେ ସଂସ୍କୃତ 'ବିବାହ' ଶବ୍ଦର ରୂପାନ୍ତର ଅନ୍ୟ ଦିଗରେ 'ବିଭା' (ତେଜ) ଶବ୍ଦର ଅବିକୃତ ରୂପ । ଓଡ଼ିଆ 'କଲି' ଶବ୍ଦ ଏପରି ଅର୍ଥ ବୈସାଦୃଶ୍ୟର ପ୍ରକୃଷ୍ଟ