ପୃଷ୍ଠା:Sarala Bhashatattwa.pdf/86

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆଳଙ୍କାରିକ* ପରିବର୍ତ୍ତନ:- ଶବ୍ଦମାନଙ୍କର ଅର୍ଥଗତ ଆଳଙ୍କାରିକ ପରିବର୍ତ୍ତନର ଉଦାହରଣ ମଧ୍ୟ ଆମ୍ଭେମାନେ ଓଡ଼ିଆ ଭାଷାରେ ପାଇଥାଉଁ । ମାତ୍ର ଆଳଙ୍କାରିକ ପରିବର୍ତ୍ତନକୁ ଶ୍ରେଣୀବଦ୍ଧ କରିବା ବିଶେଷ କଷ୍ଟକର ବ୍ୟାପାର । ପ୍ରଧାନତଃ ରୂପକର ବ୍ୟବହାରଦ୍ୱାରା ଅର୍ଥର ବୈସାଦୃଶ୍ୟ ଘଟିଥାଏ । (ଏଠାରେ ରୂପକକୁ ସଂସ୍କୃତ ଅଳଙ୍କାରଶାସ୍ତ୍ରର ରୂପକ ବୋଲି ମନେ ନ କରି ଇଂରାଜୀ metaphor ଶବ୍ଦର ଅନୁବାଦ ବୋଲି ମନେ କରିବାକୁ ହେବ ।) ଓଡ଼ିଆରେ 'ମୁହଁ ଆମ୍ବିଳା' କରିବାର ପ୍ରୟୋଗ ଅଛି । ଏଠାରେ ଆମ୍ବିଳା ପଦାର୍ଥ ଖାଇଲେ ମୁଖର ଯେପରି ବିକୃତି ହୁଏ, ତାହାର ଅନୁରୂପ ମୁଖବିକୃତି ଓ ତହିଁରୁ ଅନୁମିତ ବିରକ୍ତି ସୂଚିତ ହେଉଅଛି । ଜୀବନଟା 'ପାଣିଫୋଟକା' କହିଲେ 'ଫୋଟକା' ଯେପରି କ୍ଷଣସ୍ଥାୟୀ, ଜୀବନ ସେହିପରି କ୍ଷଣସ୍ଥାୟୀ, ଏହି ଲକ୍ଷଣା ଅର୍ଥ ରୂପକ ଦ୍ୱାରା ସୂଚିତ ହେଉଅଛି । 'ମୁଁ କାମ କରି କରି ନାକେଦମ୍ ହେଲିଣି' କହିଲେ ଏହିପରି ଅତ୍ୟନ୍ତ କ୍ଳାନ୍ତ ହେଲିଣି (କ୍ଳାନ୍ତ ହେଲେ ଯେପରି ନାକବାଟେ ଜୋର୍‌ରେ ନିଶ୍ୱାସ ବା ଦମ୍ ଯାଏ) ଏହି ଅର୍ଥ ସୂଚିତ ହୋଇଥାଏ । 'ତାର ଅଣଞ୍ଚାସ ବୋହିଲାଣି କହିଲେ ତାହାର ମୃତ୍ୟୁର ଆଉ ଅଳ୍ପ ବିଳମ୍ବ ଅଛି, ଏହି ଅର୍ଥ ସୂଚିତ ହୁଏ । ଏସବୁ ମଧ୍ୟ ରୂପକଗତ ଅର୍ଥବିପର୍ଯ୍ୟୟର ଉଦାହରଣ । ଏହିପରି 'ବୁଝିବାକୁ ଖମ୍ବ ଆଳୁ'ର ପ୍ରୟୋଗରେ ରୂପକ ସୁସ୍ପଷ୍ଟ । 'ଓଲୁ' ଶବ୍ଦ ମୂଳତଃ ସଂସ୍କୃତ 'ଉଲ୍ଲୂକ' (ପେଚା), ହିନ୍ଦୀ ଉଲ୍ଲୁ (କାଳିଆ ପେଚା) ଶବ୍ଦରୁ ଉତ୍ପନ୍ନ । ପେଚକର ମୁଖଶ୍ରୀରେ ବୁଦ୍ଧିହୀନତା ସୁସ୍ପଷ୍ଟ ଥିବାରୁ ରୂପକଦ୍ୱାରା ଏହି ଶବ୍ଦର ଅର୍ଥବିକୃତି ଘଟିଅଛି । ଓଡ଼ିଆ 'କାଙ୍ଗାଳି' ଶବ୍ଦ ମଧ୍ୟ ଏହିପରି ସଂସ୍କୃତ 'କଙ୍ଗାଳ' ଶବ୍ଦର ଅର୍ଥବିକୃତି ଦେଖାଯାଉଅଛି । କାରଣ ଯେଉଁମାନଙ୍କର ଖାଦ୍ୟ ଅଭାବରୁ କଙ୍କାଳମାତ୍ର ଅବଶିଷ୍ଟ ଥାଏ ଓ ଯେଉଁମାନେ ଏପରି ଅଭାବବଶତଃ ମାଗି ଯାଚି ବୁଲନ୍ତି, ସେହିମାନଙ୍କୁ ହିନ୍ଦୀରେ କଙ୍ଗାଳ ଓ ତହିଁରୁ ଉତ୍ପନ୍ନ ଓଡ଼ିଆ 'କାଙ୍ଗାଳି' ଶବ୍ଦରେ ସୂଚିତ କରାଯାଏ ।

ଅର୍ଥର ଆଳଙ୍କାରିକ ପରିବର୍ତ୍ତନ ମଧ୍ୟରେ ରୂପକଗତ ପରିବର୍ତ୍ତନହିଁ ପ୍ରଧାନ, ମାତ୍ର ଅନ୍ୟାନ୍ୟ କେତେକ ପରିବର୍ତ୍ତନର ମଧ୍ୟ ଉଦାହରଣ ଦିଆଯାଇ ପାରେ । ଝାଡ଼ା ଫେରିବା ସହିତ ପୋଖରୀ ବା ମଇଦାନ (ପଡ଼ିଆର ବିଶେଷ ସମ୍ବନ୍ଧ ଥିବାରୁ 'ପୋଖରୀ' ଝାଡ଼ା ଅର୍ଥରେ ବ୍ୟବହୃତ ହୋଇଥାଏ ଓ 'ମଇଦାନ' ମଧ୍ୟ ଏହି ଅର୍ଥରେ ବ୍ୟବହୃତ ହୁଏ । ଏହିପରି ବଜାରରେ କିଣାବିକା ହୁଏ ବୋଲି 'ବଜାରକୁ

‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌----‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌----‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌----‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌----‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌----‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌----‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌----‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌----‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌----‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌----‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌----‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌----

*ଏଠାରେ ଓ ପରବର୍ତ୍ତୀ ପୃଷ୍ଠାମାନଙ୍କରେ ଅଳଙ୍କାର ଶବ୍ଦ Greek ଅଳଙ୍କାରଶାସ୍ତ୍ରର ଅନୁରୂପରେ ବ୍ୟବହୃତ ହୋଇଅଛି ।