ପୃଷ୍ଠା:Sarala Bhashatattwa.pdf/88

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏପରି ପରିବର୍ତ୍ତନ ବାସ୍ତବିକ ଅର୍ଥର ସଂକୋଚନ ନୁହେଁ, ଏହା ଅର୍ଥର ଆଳଙ୍କାରିକ ବିକାର ।

ଅର୍ଥର ଉନ୍ନୟନ ଓ ଅବନମନ :- ଶବ୍ଦର ଓ ଅର୍ଥର ଅନେକ ସମୟରେ ଉନ୍ନୟନ ଓ ଅବନମନ ହୋଇଥାଏ, ଅର୍ଥାତ୍ ପୂର୍ବରେ ଯାହା ମନ୍ଦ ଅର୍ଥରେ ବ୍ୟବହୃତ ହେଉଥିଲା, ତାହା ଭଲ ଅର୍ଥରେ ଅଥବା ପୂର୍ବରେ ଯାହା ଭଲ ଅର୍ଥରେ ବ୍ୟବହୃତ ହେଉଥିଲା, ତାହା କ୍ରମଶଃ ମନ୍ଦ ଅର୍ଥରେ ବ୍ୟବହୃତ ହୋଇପାରେ । ଏହି ପ୍ରକାର ଅର୍ଥଗତ ବିକୃତିର ଉଦାହରଣ ଭାଷାରେ ସଚରାଚର ଦେଖାଯାଏ । ଆରବ ଭାଷାରେ ଫାଜିଲ ଶବ୍ଦର ଅର୍ଥ 'ବିଦ୍ୱାନ୍' । ଏହି ଶବ୍ଦଟି ମୂଳ ଆର୍ଯ୍ୟ ଧାତୁ 'ଭା' ସହିତ ସମ୍ପୃକ୍ତ ବୋଲି କାହାରି କାହାରି ମତ । ମାତ୍ର ବର୍ତ୍ତମାନ 'ଫାଜିଲ ଶବ୍ଦ ମନ୍ଦ ଅର୍ଥରେ ବ୍ୟବହୃତ ହେଉଅଛି । ଏହିପରି 'ଫିକରବାଜ' (ବୁଦ୍ଧିଯୁକ୍ତ, କୌଶଳୀ) ଶବ୍ଦରୁ ଉତ୍ପନ୍ନ 'ଫକଡ଼୍' ଶବ୍ଦ ହିନ୍ଦୀ ଶବ୍ଦର ଅର୍ଥର ଅନୁକୃତିରେ ମନ୍ଦ ଅର୍ଥରେ ବ୍ୟବହୃତ ହେଉଅଛି । ପାରସିକ ଭାଷାର 'ଜାହାନବାଜ' ଶବ୍ଦର ଅର୍ଥ ମଧ୍ୟ ଏହିପରି ଭାବରେ ବିକୃତ ହୋଇଅଛି ଓ ପୂର୍ବରେ ଯାହା ଉତ୍କଷ୍ଟ ଅର୍ଥରେ ବ୍ୟବହୃତ ହେଉଥିଲା, ତାହା ବର୍ତ୍ତମାନ 'ଠକ, ପ୍ରତାରକ' ଅର୍ଥରେ ବ୍ୟବହୃତ ହେଉଅଛି । ସଂସ୍କୃତ ପଲ୍ଲ ଶବ୍ଦର ଅର୍ଥ 'ବୃହତ୍ ଗୃହ', ମାତ୍ର ଏହି ଶବ୍ଦରୁ ଓଡ଼ିଆ 'ପଲା' ଶବ୍ଦ ଜାତ ହୋଇଥିଲେହେଁ ବର୍ତ୍ତମାନ ଏହାର ଅର୍ଥ କ୍ଷୁଦ୍ର କୁଟୀର' ଓ କ୍ଷୁଦ୍ର କୁଟୀରର ଅର୍ଥକୁ ଅନୁସରଣ କରି ବର୍ତ୍ତମାନ ଏହାକୁ ପଲଳ (ତୃଣ) ଶବ୍ଦରୁ ନିଷ୍ପନ୍ନ କରିବାର ଚେଷ୍ଟା କରାଯାଉଅଛି । ଅଟ୍ଟ (ବୃହତ୍ ଗୃହ: ଯଥା- ଅଟ୍ଟାଳିକା) ଶବ୍ଦରୁ ଉତ୍ପନ୍ନ 'ଅଡ଼ା' ଶବ୍ଦର ଅର୍ଥ ମଧ୍ୟ ଏହିପରି ଭାବରେ ବିକୃତ ହୋଇଅଛି । 'ଅଡ଼ା' ଶବ୍ଦ ଏହି 'ଅଟ୍ଟ' ଶବ୍ଦରୁ ଜାତ ହୋଇଥିଲେହେଁ ଏହାକୁ 'ଅର୍ଗଳ' ଶବ୍ଦ ସହିତ ସମ୍ପୃକ୍ତ କରିବାର ପ୍ରୟାସ ହେଉଅଛି । ଆମ୍ଭେମାନେ 'ଅମଣିଷ' କହିଲେ ଖରାପ ମଣିଷ ବୁଝୁଁ । କିନ୍ତୁ 'ଅମାନୁଷୀ' ଦୟା କହିଲେ ଅତ୍ୟୁତ୍ତମ ବା ମନୁଷ୍ୟ ପକ୍ଷରେ ଅସମ୍ଭବ ଦୟା ଅର୍ଥ ଗ୍ରହଣ କରିଥାଉଁ । ଅର୍ଥାତ୍ ଏଠାରେ ଅବିକୃତ ସଂସ୍କୃତ ଶବ୍ଦ ସହିତ ଉଚ୍ଚତର ଅର୍ଥଟି ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୃକ୍ତ ଥିଲେହେଁ ତହିଁରୁ ବିକୃତ ଓଡ଼ିଆ ପ୍ରୟୋଗ ସହିତ ମନ୍ଦ ଅର୍ଥ ଯୁକ୍ତ ହୋଇଅଛି । 'ଛକଡ଼' ଗାଡ଼ି ଶକଟରୁ ଉତ୍ପନ୍ନ ହେଲେହେଁ ବର୍ତ୍ତମାନ ଏହାର ଅର୍ଥ ନିତାନ୍ତ ଜୀର୍ଣ୍ଣ ଓ ଭଗ୍ନ ଯାନ ବିଶେଷ । ଏହିପରି 'ଇତର' ଶବ୍ଦର ଅର୍ଥ ମଧ୍ୟ ପରିବର୍ତ୍ତିତ ହୋଇଅଛି । ଏହା ସଂସ୍କୃତରେ 'ଅନ୍ୟ' ବା 'ଅପର' ଅର୍ଥରେ ବ୍ୟହହୃତ ହେଉଥିଲା । କିନ୍ତୁ ଓଡ଼ିଆରେ ବର୍ତ୍ତମାନ ଖରାପ ବା ନୀଚ ଅର୍ଥରେ ବ୍ୟବହୃତ ହେଉଅଛି । 'ନାଗର', 'ନଟବର' ପ୍ରଭୃତି ଶବ୍ଦରେ ମଧ୍ୟ ଏହିପରି ଅର୍ଥର ବିକାର ସାଧିତ ହୋଇଅଛି । ଆମ୍ଭେମାନେ