ଶ୍ରୀ ଭାଗୀରଥି ନାୟକ
୧୯୩୮ ମସିହାର କଥା । ସେତେବେଳକୁ ବିଶ୍ୱବିଶ୍ରୁତ କୋଣାର୍କ ପରିତ୍ୟକ୍ତ ହୋଇ ନିକାଞ୍ଚନ ବାଲୁକା ପ୍ରାନ୍ତରରେ ଠିଆହୋଇଥାଏ । ସତେ କି ସେ ଓଡିଶାର ହୃତ ଗୌରବ କଥା ସ୍ମରଣ କରୁକରୁ ସମାଧିସ୍ଥ ହୋଇପଡିଥାଏ, ଚାରି ପାଖରେ ଭଗ୍ନ ପ୍ରଧାନ ମନ୍ଦିରର ପଥରଗଦା । ତାହାର ଉତ୍ତର ପୂର୍ବ ଦିଗରେ ପ୍ରାୟ ତିନି କିଲୋମିଟର ଦୂରରେ କୁରୁଜଇ ଗ୍ରାମରେ ସେ ଅଞ୍ଚଳରେ ଏକମାତ୍ର ମାଇନର ସ୍କୁଲ୍ । ସେଠାକୁ ବିସ୍ତୃତ ବାଲିପଡିଆରେ ଚଲାପଥ ବ୍ୟତୀତ ଗମନାଗମନାର ଅନ୍ୟ କୌଣସି ସୁବିଧା ନଥାଏ । ମୁଁ ସେତେବେଳେ ସେହି ସ୍କୁଲ୍ର ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଥାଏ ।
ସେଦିନ ଥାଏ ଗଣେଶ ପୂଜା । ପୁରି, ଆଳୁଦମ୍ର ଭୋଜି ଖାଇସାରିଲା ବେଳକୁ ରାତି ହୋଇଯାଇଥାଏ । ପାଖ ଗାଁରୁ ସେ ଭୋଜିରେ ଯୋଗଦେଇଥିବା ଆମେ କେତେଜଣ ଛାତ୍ର ଘରକୁ ଫେରିବା ସମ୍ଭବ ହେଲା ନାହିଁ । ଗୋଟିଏ କ୍ଷୁଦ୍ର ଛାତ୍ରବାସ ଥିଲେ ହେଁ ସେଥିରେ ଆମପାଇଁ ସ୍ଥାନ ନଥିଲା । ପ୍ରଧାନ ଶିକ୍ଷକଙ୍କ ପରାମର୍ଶ ଅନୁଯାୟୀ ଆମ୍ଭେମାନେ ଗୋଟିଏ ଶ୍ରେଣୀ କକ୍ଷରେ ରାତ୍ରିଯାପନ କଲୁ । ସେ କୋଠରୀରେ ଚାଉଁ ଚାଉଁ ଲାଗୁଥାଏ; ନିଦ ହେଉ ନ ଥାଏ । ପ୍ରାୟ ରାତି ଅଧବେଳକୁ ଉପର ଶ୍ରେଣୀର କେତେଜଣ ଛାତ୍ର ଆମ୍ଭମାନଙ୍କୁ ଉଠାଇଲେ। ସେମାନେକହିଲେ, "ଗଣେଶ ଚତୁର୍ଥୀ ରାତି; ହରିତାଲିକା । ସେ ରାତିରେ ଛାତ୍ରମାନେ ଚୋରି କରିବାର ପରମ୍ପରା ରହି ଆସିଛି । ତେଣୁ ଚାଲ ସମସ୍ତେ ଯିବା, ଚୋରି କରିବା ।" ଚୋରୀ କଥା ଶୁଣି ଭାରି ଡର ଲାଗୁଥାଏ । ଆମ୍ଭମାନଙ୍କୁ ବାଧ୍ୟକରି ସେମାନେ ସାଙ୍ଗରେ ନେଲେ । ପାଖ ଗାଁରୁ କାନ୍ଧିଏ ବନ୍ତଳ କଦଳୀ ଓ କେତୋଟି କଖାରୁ ଆମେ ଚୋରେଇ ଆଣି ନିକଟସ୍ଥ ବାଲିପଡିଆରେ ପୋତି ପକାଇ ପୁଣି ଯାଇ ଶୋଇ ପଡିଲୁ ।
ସକାଳ ହେଲା । ଗ୍ରାମବାସୀମାନେ କଦଳୀ ଓ କଖାରୁ ଚୋରୀ ଛାତ୍ରମାନେ ହିଁ କରିଥିବେ ବୋଲି ସନ୍ଦେହ କଲେ । ବୋଧହୁଏ ପୂର୍ବ ବର୍ଷମାନଙ୍କରେ ଏପରି ଘଟିଥିବାରୁ ସନ୍ଦେହ କରିବା ସହଜ ହୋଇଥିଲା । ସେମାନେ ଆସି ପ୍ରଧାନ ଶିକ୍ଷକଙ୍କୁ ଜଣାଇଲେ ।
୧୧୭