Jump to content

ଅବକାଶଚିନ୍ତା/ଅନାଥ କଳିକା

ଉଇକିପାଠାଗାର‌ରୁ
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
ଅନାଥା କଳିକା

ନବୀନ ମଲିକା ଚାରୁ କୋମଳ୍ କଳିକା, ପ୍ରକୃତି-ଜନନୀ କୋଳେ ସରଳା ବାଳିକା।।

ଭୋଗି ନାହିଁ ଭବ-ଦୁଃଖ ଝଡ଼ ଝଞ୍ଜାବାତ, ଅତିକ୍ରମ ନାହିଁ ବାଳା ଜୀବନ-ପ୍ରଭାତ।।

ତରୁଣ ଛଟକ ଭାବ ଅପାଙ୍ଗ-ଚାହାଣୀ, ଚତୁର ସୁହାସ ଆଜି ନାହିଁ କିଛି ଜାଣି।।

ଦରୋଟି ହସଇ ଶୁଣି ବିହଙ୍ଗମ ଋତୁ, ବୃନ୍ତାସନେ ଧୀରେ ଧୀରେ ଦୋଳାଏ ମାରୁତି।।

ସ୍ବର୍ଗୀୟ ସରଳ ଭାବେ ପବିତ୍ର ମାଧୁରୀ, ଏ ନବ କୋରକେ ଅଛି ଅପ୍ରକାଶ୍ୟେ ପୂରି।।

ଶୈଶବ ସମୟ ତାର ଅଜ୍ଞାନ ସମୟ, ଏ କାଳେ ଭ୍ରମର ସଙ୍ଗେ ହେଲା ପରିଣୟ।।

ପର ପୂତ୍ରେ ପର କନ୍ୟା ହୁଏ କିମ୍ପା ବନ୍ଦୀ, ସାମାନ୍ୟ କଳିକା କାହୁଁ ଜାଣିବା ସେ ସନ୍ଧି?।।

ଯୌବନ ସରସେ ନାହିଁ ଲାବଣ୍ୟ-ତରଙ୍ଗ, ସରସ ବସନ୍ତେ ସ୍ଫୁଟ ହୋଇନାହିଁ ଅଙ୍ଗ।।

ଅନ୍ତର ନିହିତ ମଧୁ ଦେଇନାହିଁ ଦେଖା, ଯୁବତୀ ପଦରେ ଧନୀ ହୋଇନାହିଁ ଲେଖା।।

ପ୍ରଣୟୀ ଭ୍ରମର ତେଣୁ କେବେ କେବେ ଆସେ, ଭ୍ରମଇ ଏକାନ୍ତେ ବାଳବଳିକା ସକାଶେ।।

ଗୁଣୁ ଗୁଣୁ ସ୍ବରେ ଅତି ଅପ୍ରକଟ ତାନେ, ନିତି ନୀତି ଉପଦେଶ କହଇ ତା କାନେ।।

ତାହାର ଶୈଶବ ତନୁ କେବେ ନ ପରଶେ, ଭବିଷ୍ୟର ସୁଖ ଚିତ୍ର ଅଙ୍କଇ ମାନସେ।।

କରେ ଅନୁକ୍ଷଣ ଭାବୀ-ପ୍ରମୋଦ କଳ୍ପନା, ନ ଜାଣି ସମୟେ ହେବ ଆସି କି ଘଟନା।।

ଆହା କି ବିଚିତ୍ର ଭବେ ବିଧାତା ବିଚାର, ଆହ୍ଲାଦ ସଙ୍ଗତେ ଥାଏ କଷଣ ଅପାର।।

ବସନ୍ତ ପ୍ରଦୋଷେ ଯେବେ ଫୁଟିଲା ସେ କଳି, ପାନ୍ଥ ପଦେ ଦଳିହୋଇ ନାଶ ଗଲା ଅଳି।।

ଫୁଲ ପ୍ରକଟିତ ବାସେ ପ୍ରୟୋଜନ କିସ? ହୋଇଲା ସରସ ମଧୁ ଏବେ ସିନା ବିଷ!।।

ମଧୁ ପିଇବାକୁ ଏଥି ନାହିଁ ତ ମଧୂପ, ରସିକ ନ ଥିଲେ କିଏ ଆଦରେ ଏ ରୂପ?।।

ବନ-ନିବାସିନୀ ମଲ୍ଲୀ ଏ ନବ ଯୌବନେ, ଏକାକିନୀ ଅନାଇଛି ଅନନ୍ତ ଗଗନେ।।

ନୀରବେ ଶିଶିର-ଅଶ୍ରୁ ଗଳି ନୟନୁଁ, କମ୍ପେ ବିଧୂରାର ଆହା ନିରାଶ୍ରୟ ତନୁ।।

ଗୁପତେ ବାହୁନି କି ସେ କରଇ ବିଳାପ, ପାଷାଣ ମାନବ-ହୃଦ ଜାଣେ କି ସେ ତାପ?।।

ସହୃଦୟେ କେହି ଥରେ ନ ପକାଏ ଦୃଷ୍ଟି, ଧରାଧାମେ ଅକାରଣ ହେଲା କି ତା ସୃଷ୍ଟି?।।

ବୃଥା ଶୋକ ପରିହର ମଲ୍ଲିକା-ସୁନ୍ଦରୀ, ଧୈର୍ଯ୍ୟ ଧର ଏବେ ତୁମ ଅଦୃଷ୍ଟ ସୁମରି।।

ସୁମନ ସମାଜ ହୃଦେ ନାହିଁ ଦୟା ଲେଶ, ନ ଶୁଣନ୍ତୁ ତୋ ବିଳାପ ନ ଜାଣନ୍ତି କ୍ଲେଶ।।

ପ୍ରଣୟର ସ୍ଥାନ ନୁହେ ଏ ସଂସାର ଏକା, ପ୍ରେମେ ପ୍ରଣୟୀ ସଙ୍ଗତେ ହେବ ସ୍ବର୍ଗେ ଦେଖା।।

ଏହି ଦିବ୍ୟ ସାନ୍ତ୍ବନାରେ ଆଶ୍ବାସିଣ ମନେ, କ୍ଷଣେ ଏଥି ରହି ଚଳ ଅମର ଭୁବନେ।।