ଅବକାଶଚିନ୍ତା/କବିତା
Jump to navigation
Jump to search
←ବାଣୀ | ଅବକାଶଚିନ୍ତା ଲେଖକ/କବି: କବିତା |
ଶମ୍ଭୁକର ବାଜପେୟୀ→ |
କି ମୋହର ବେଶ ତୋର ହେ ସୁର-ସୁନ୍ଦର!
କିଏସେ ଏପରି ଅଛି ଅହୃଦୟ ଜନ ,
ତୋତେ ଦେଖି ନ ଯାଏ ଯା ଦୁଃଖ ଅପସରି,
ଆହ୍ଲାଦ-ଅମୃତେ ନୁହେ ପରିପ୍ଲୁତ ମନ ?
ଶୁଦ୍ଧ ସରଳତା ତୋର ବାହ୍ୟ ଆଭରଣ,
ଦିବ୍ୟ ରସମୟ ଭାବେ ଅନ୍ତର ପୂରିତ,
ବାହ୍ୟ ଦୃଶ୍ୟେ ବିମୋହିତ ଜନ ସାଧାରଣ,
ଅନ୍ତର ରସେ ମଗନ କେବଳ ପଣ୍ଡିତ
ପ୍ରକୃତିର ବିଚିନ୍ତ୍ରତା ତୋ ପବିତ୍ର ଅଙ୍ଗେ,
ନାନାବିଧ ମାନବର ବିଭିନ୍ନ ସ୍ବଭାବ,
ହୋଇଣ ପ୍ରତିଫଳିତ ଆହା କେଡେ ରଙ୍ଗେ!
ଉପୁଜାଏ ହୃଦ-କ୍ଷେନ୍ତ୍ରେ ନବ ନବ ଭାବ
ବିବେକ-ସଙ୍ଗିନୀ ଧନୀ କଳ୍ପନା-ସୁନ୍ଦରୀ
ଜ୍ଞାନଦାତ୍ରୀ ସଦାଶୟା ଭାବନା ସଙ୍ଗତେ,
ନିବସନ୍ତି ବେନି ପଶେ ବେନି କର ଧରି
ଅନୁଗତ ପରିକରୀ ପରାୟେ ନିରତେ
ରଜୋଗୁଣମୟୀ ଦେବୀ ବାଣୀ ସ୍ବରୂପିଣୀ,
ନାନା ଭାବେ ନାନା ସ୍ଥାନେ ହୁଏ ତୋ ପ୍ରକାଶ୍,
ଏ ମୂଢ ଅଜ୍ଞାନେ ଦୟା କର ଗୋ ଭାବିନି,
ପ୍ରକାଶୁ ଏ ପ୍ରାଣେ ପୁଣ୍ୟ ମଧୁର ଉଚ୍ଛ୍ବାସ