ଅବକାଶଚିନ୍ତା/ବାଣୀ

ଉଇକିପାଠାଗାର‌ରୁ
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
ବାଣୀ

           
ସୃଷ୍ଟି ଆଦ୍ୟ କାଳୁ ଦେବି ତୋହର ଉତ୍ପତ୍ତି,
ତୋର ନିତ୍ୟ ଲୀଳାଭୂମି ଅନନ୍ତ ଅପାର,
ଅନନ୍ତ ଅଦ୍ଭୁତ ଅତି ତୋ ମହାଶକତି,
ସହଜେ ବୁଝିବ କାହିଁ ତାହା ନର ଛାର ୤ (୧)
ଅନଳେ ଆହୁତିଧାର କରି ଚରଷଣ,
ପୂତନୀରା ସରସ୍ବତୀ-ପୁଳିନ ପ୍ରଦେଶ
ଗାଇଲେ ସଙ୍ଗୀତ ଯେବେ ଆଦି ଋଷିଗଣ,
ପ୍ରକାଶିଲୁ ତହିଁ ମାତଃ କି ଶୁଦ୍ଧ ସୁବେଶେ ! (୨)
ସେ କାଳର ଶୁଦ୍ଧ ବେଶ ଦିବ୍ୟ ଭାବମାନ
ବିଭାସିଣ ଆଲୋକିଛି ସର୍ବ ବସୁନ୍ଧରା
ତମାବୃତ୍ତ କିନ୍ତୁ ଆଜି ଭାରତ-ସନ୍ତାନ,
ନ କରଇ କହ କିବା କାଳ ପରମ୍ପରା ! (୩)
ପଙ୍କଜ ବାସିନୀ ଦେବୀ ନିତ୍ୟ ବୀଣାପାଣୀ,
ବାଅ ସେ ଅମର ବୀଣା କୃପା କରି ଥରେ,
ପବେଶୁ ତା ଦିବ୍ୟନାଦ ମୃତସଞ୍ଜୀବନୀ
ମୃତ ପ୍ରାୟ ଭାରତର ହୃଦୟ-କନ୍ଦରେ ୤ (୪)
ଭାରତେ ଉତ୍କଳ ପୁଣି ଅତି ଅଭାଗିନୀ,
ଧନେ ଜନେ ମାନେ ଜ୍ଞାନେ ବିନ୍ତ୍ରମ ସାହସେ,
ଆଦେଶେ ମା ଫୁଟି ତବ ଆବାସ-ନଳିନୀ
ଗୌରବ-ତପନେ ବରୁ ଉତ୍କଳ-ନଭସେ ୤ (୫)
ମହାନନ୍ଦେ ବିହରିଣ ନିତି ଜ୍ଞାନ ବନେ
ଶାସ୍ତ୍ର-ସୁମନରୁ ସତ୍ୟ-ମକରନ୍ଦ ରାଶି
ଆହରିଣ ଭକ୍ତିଭରେ ହେ ସୁଧୀବନ୍ଦନେ!
ଖଟନ୍ତୁ ତୋ ପଦ ଯୁଗେ ଉତ୍କଳ-ନିବାସୀ ୤ (୬)
ମୁଁ ଅତି ସାମାନ୍ୟ, ମୋର ସାମାନ୍ୟ କାମନା,
ପୂରୁ ମାତଃ ବାକ୍ୟ-ଦେବୀ ତୋହର ପ୍ରସାଦେ,
ବାସ୍ତବ ବିଶ୍ବର ଜେତେ ନୀରସ ଘଟନା
ପ୍ରବେଶ ନ କରୁ କେବେ ମୋ ସୁଖ-ପ୍ରାସାଦେ ୤ (୭)
ଆବର୍ଜ୍ଜନାମୟ ଏହୁ ସଂସାର-ଜଞ୍ଜାଳେ
କେବେ ପ୍ରପୀଡିତ ମୋର ନ ହେଉ ମାନସ,
କଳ୍ପନାର ସୁଖରାଜେୟ ଦେଖେ କାଳେ କାଳେ
ସ୍ବର୍ଗୀୟ ସୁଷମା ଆଉ ସ୍ବର୍ଗୀୟ ରହସ୍ୟ ୤ (୮)