ଅବକାଶଚିନ୍ତା/ପ୍ରାର୍ଥନା

ଉଇକିପାଠାଗାର ରୁ
Jump to navigation Jump to search
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
ପ୍ରାର୍ଥନା

ପ୍ରଭୁ ଦୟାମୟ ଜଗତପତି
ଅନାଥର ନାଥ ଅଗତିଗତି,
ତବ ଶ୍ରୀଚରଣେ ଏହି ବିନତି
କରୁଛି ଉତ୍କଳ-ଶିଶୁ ସନ୍ତତି
ମିଳି ଆଜି ଏକମନେ ହେ,
ଦିଅ ନବ ତେଜ ନବିନ ସାହାସ
ଉତ୍କଳମାତା ଜୀବନେ ହେ । (୧)
ହିନ୍ଧୁ ଖ୍ରୀଷ୍ଟ ଜୈନ ମୁସଲମାନ
ଭେଦ ଭୁଲି ଏବେ ସର୍ବେ ସମାନ,
ଭ୍ରାତୃ-ପ୍ରେମ-ଡୋରେ ହୋଇଣ ବାନ୍ଧି
ଜଣାଉଛୁ ତବ ଛାମୁରେ କାନ୍ଧି,
ଅରକ୍ଷିତ ଶିଶୁକୁଳ ହେ,
ଜନନୀ ବିଷାଦେ ଭସାଇ ନ ଦିଅ
କେବେ ପ୍ରଭୁ ଆଦିମୂଳ ହେ । (୨)
ଉତ୍କଳ ମାତାର ଅତୀତ ଯଶ,
ବିପୁଳ ବିଭବ ବଳ ସାହସ
ସୁମରିଣ ଫାଟିଯାଏ ହୃଦୟ,
ଦେଖି ଅବସ୍ଥାର ଏ ବିପର୍ଯ୍ୟ
ରକ୍ତ-ମାଂସ-ଦେହ ଧରି ଯେ,
ଅଧୀର୍ ଆତୁର କିଏ ସେ ନ ହେବ
ଦେଖି ମାତା ଏତେ ସରି ଯେ । (୩)
ଅଛି ସେହି ନଦୀ, ଅଛି ସେହି ଗିରି,
ଅଛି ସେହି ବିପିନ, କାହିଁ ସେ ଶିରୀ?
ଅଛି ସେହି ସେତୁ, ସେହି ଦେଉଳ,
କାହୁଁ ସେହୁ ଦକ୍ଷ କର ସଂକୁଳ୍?
କଲା ଯା ଏତେ କୀରିତି ଯେ ;
ଦଶ ଦିଗ ଶୂନ୍ୟ କାହିଁ ପୂର୍ବ ପୁଣ୍ୟ,
କାହିଁ ସେ ପୂର୍ବ ଶକତି ଯେ ? (୪)
ରହିଅଛି କାବ୍ୟ ନାହାନ୍ତି କବି,
ଅଛି ସେହି ଦେଶ ନାହିଁ ସେ ଛବି,
କାଳବେଳ ସବୁ ସରିଛି ସାର,
ଆହା କି ସୁନ୍ଦର କି ନାରଖାର !
କି ଘୋର କର୍ମବିପାକ ହେ,
ହର ଏ ଦୁର୍ଗତି ହରି ବିଶ୍ବପତି
ଶୁଣ ଏ କାତର ଡାକ ହେ । (୫)
ସର୍ବ ଧର୍ମଧାମ ପୁଣ୍ୟ ଉତ୍କଳ
ବଦନେ ବିକାଶୁ ଛାରୁ ବିମଳ,
ଜାଗୁ ଚଉଦିଗେ ନବ ପରାଣ,
କର ଏ କରୁଣା ଆରତନ୍ତ୍ରାଣ,
ନୀଳାଚଳ,ନୀଳାଚଳ ହେ,
ବୋଲି ସୁବିଶାଳ ଭାରତ ଭୁବନେ
ପଡୁ ସତତ ଚହଳ ହେ । (୬)
ବ୍ରାହ୍ମଣ-ଶାସନ ଶବରପଲ୍ଲୀ,
କୃଷକ କୁଟୀର ନୃପ ଅଟ୍ଟାଳି,
ଜାତୀୟତା-ସ୍ରୋତ ହେଉ ପ୍ଲାବିତ,
ଉଠୁ କୋଟି କଣ୍ଠୁ ଜାତୀୟ ଗୀତ,
ତେଜି ସ୍ବାର୍ଥ ଅଭିମାନ ଯେ,
ଜନନୀ- କଲ୍ୟାଣେ ସାଧୁ ଅନୁଷ୍ଠାନେ
ରହୁ ସଦା ମନ ଧ୍ୟାନ ଯେ । (୭)
ସଂସାର ତୁମୁଳୁ ରଣପ୍ରାଙ୍ଗଣେ,
ଉତ୍କଳର ଦୀନ ତନୟ-ଗଣେ,
ପଛରେ କେବେହିଁ ନ ପଡୁ ଦେବ,
ଶ୍ରୀଛାମୁରୁ ଏହି ଆଦେଶ ହେବ,
ଘେନି ଅପୂର୍ବ ଉତ୍ସାହ ଯେ,
ଭାରତର ମହା ଜାତୟ ତରଙ୍ଗେ
ମିଶୁ ଉତ୍କଳ ପ୍ରବାହ ଯେ । (୮)