ଅବକାଶଚିନ୍ତା/କାଠଯୋଡ଼ୀ ତୀରେ ସାୟଂକାଳ (୧)

ଉଇକିପାଠାଗାର ରୁ
Jump to navigation Jump to search
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
କାଠଯୋଡ଼ୀ ତୀରେ ସାୟଂକାଳ (୧)

           
ଅତୀ ରମଣୀୟ କାଠଯୋଡ଼ୀ ତୀର,
ଧୀରେ ଧୀରେ ବହେ ଶୀତଳ ସମୀର ।
କଲ୍ଲୋଳିନୀ ବହୁ ସଲିଳ ସମ୍ପଦେ,
ପୂଜିବାକୁ ଧାଏଁ ମହାର୍ଣ୍ଣବ ପଦେ ।
ସ୍ତରେ ସ୍ତରେ ଉଠି ଉନ୍ନତ ଲହରି,
ପକାଏ ଉଠାଏ ପ୍ରତିକ୍ଷଣେ ତରୀ ।
ପାରିହେବା ଲୋକେ ମନେ କରି ଭୟ,
ଲଗାନ୍ତି ଆପଣା ଇଷ୍ଟଦେବ ଲୟ ।
ସୁଦକ୍ଷ ନାବିକ ବୁଦ୍ଧି କଉଶଳେ,
ଚଳାଏ ତରଣୀ ନିଜ ବାହୁବଳେ ।
ସାହସେ ଆହୁଲା ମାରେ ତରତର,
ନାକ ଫନ୍ଦିଦବାକୁ ନାହିଁ ଅବସର।
ସାମାନ୍ୟ ଏ ନଦୀ ଏପରି ଦୁର୍ଗମ,
ଭବ-ସିନ୍ଧୁ ଆହା ନୁହେ କି ବିଷମ ।
ବିନା ଶ୍ରମ ଯତ୍ନେ କିଏ ହେବ ପାର,
ଦୁସ୍ତର ଅନନ୍ତ ଭବ-ପାରାବାର ?
ନୈତିକ ସାହସେ ହୋଇଣ ସାହାସୀ
କର୍ତ୍ତବ୍ୟ ରୂପିଣୀ ତରୀ ପରେ ବସି ।
ବିବେକ ଆହୁଲା ଅବିରତେ ମାର,
ହେବ ଯେବେ ଭବ-ମହାସିନ୍ଧୁ ପାର ।
ବ୍ରାହ୍ମଣ ଚଣ୍ଡାଳ ଧନେଶ ଭିଖାରୀ,
ଏକ ନାବେ ବସି ହେଉଛନ୍ତି ପାରି ।
ବିକାର କାହାରି ମନେ ନାହିଁ ଲବେ,
ଧର୍ମ-ନାବେ ସମ ଅଟନି ସରବେ ।
ଧନ୍ୟ କାଠଯୋଡ଼ୀ ପ୍ରିୟ ଶୈବଳିନି,
ଧନ୍ୟ ପୂତନୀରା ତରଙ୍ଗମାଳିନି !
ତୋର ବଡ଼ ଦୟା ଅକିଞ୍ଚନ ଜନେ,
ଧର୍ମ୍ମଭାବ ତେଣୁ ଉପୁଜାଉ ମନେ ।
ଅସ୍ତାଚଳେ ଏବେ ପ୍ରବେଶ ତପନ,
ଲୋହିତ ରଞ୍ଜିତ ପ୍ରତୀଚୀ ଗଗନ ।
ଅସ୍ତମିତ ରବି ହିରଣ୍ମୟ କର,
ପ୍ରତିବିମ୍ବି ମେଘେ ଦିଶେ କି ସୁନ୍ଦର !
କୃଷ୍ଣ ମେଘେ ପଡ଼ି କନକ କିରଣ,
ସୃଜିଛି ଆହା କି ବିଚିତ୍ର ବରଣ ।
ଏପରି ମହତ ଜନର ପ୍ରଭାବ,
ଜନ୍ମାଏ ଅପର ପ୍ରାଣେ ନିଜ ଭାବ ।
ମହତ ଜନର ଲାଗି ଅଙ୍ଗ ଛାୟା,
ପବିତ୍ର ହୁଅଇ କ୍ଷୁଦ୍ର ପ୍ରାଣିକାୟା ।
କ୍ଷଣମାତ୍ରା ହେଲେ ସଜ୍ଜନ ସଙ୍ଗତି,
ତୁଟେ ସିନା ସତେ ସଂସାର-ଦୁର୍ଗତି ।
ପାଣ୍ଡୁର ଶ୍ୟାମଳ କଳା ଧଳା ରଙ୍ଗେ,
କ୍ରମେଃନଭସ୍ଥଳ ଶୋଭିଲା କି ରଙ୍ଗେ।
ଯେତେବେଳେ ଆସେ ଯେଉଁ ରୂପ ମନେ,
ଦିଶଇ ତକ୍ଷଣେ ସେ ଛବି ଗଗନେ।
ପ୍ରତିଭାତ ହୋଇ ସେ ଛବି ସକଳ,
ସରିତ ଅନ୍ତରେ ଶୋଭେ ଅବିକଳ।
ଆବର ଶ୍ୟାମଳ ଶୈଳ ପ୍ରତିରୂପ,
ନଦୀଗର୍ଭେ ଦିଶେ ଯଥାତମ-ସ୍ତୂପ ।
ମହତ ଜନର ହୃଦେ ଏହି ମତି,
ଆଭାସେ ସତତ ଶତ ପ୍ରତିକୃତି ।
ପ୍ରେମ ଭାବେ ଯାର ଅନ୍ତର ପୂରିତ,
ସର୍ବ ପ୍ରାଣୀ ହୃଦ ତା ହୃଦେ ଅଙ୍କିତ ।
ସର୍ବ ଅନୁଭୁତି ସର୍ବଭୁତେ ତାର
ତା ଦୃଷ୍ଟିରେ ବିଶ୍ଵ ଏକ ପରିବାର ।
ସେହି ନିଜେ ବିଶ୍ଵ, ବିଶ୍ଵ ମଧ୍ୟ ସେହି
ଅନ୍ୟ ହୋଇ ତାର ନାହିଁ ଆଉ କେହି ।
ଧନ୍ୟ ପ୍ରେମମୟି ପ୍ରିୟ କଲ୍ଲୋଳିନି,
ଶତ ଶତ ପ୍ରାଣୀ ଆହ୍ଲାଦଦାୟିନୀ ।
ଧନ୍ୟ ଧନ୍ୟ ତୋର ପବିତ୍ର ଜୀବନ,
ଦେଖାଏ ମହାତ୍ମା ହୃଦ-ନିଦର୍ଶନ ।
ଚାହୁଁ ଚାହୁଁ ଏବେ ବୁଡ଼ିଗଲେ ରବି,
ତିରୋହିତ ହେଲା କ୍ରମେ ସବୁ ଛବି ।
କ୍ଷଣ ମଧ୍ୟେ ସେହି ସୁଦୃଶ୍ୟ ନିଚୟ,
ଅନ୍ଧକାର ଗର୍ଭେ ଭିଜିଲେ ବିଲୟ ।
ଘୋର ତମେ ମତେ ଛାଡ଼ିଦେଇ ଏକା,
ଚାଲିଗଲେ ଆଉ ଦେଲେ ନାହିଁ ଦେଖା ।
ଏହିପରି ସବୁ ସଂସାର-ବେଭାର,
ଘୋର ଅନ୍ଧକାରେ ଆପେ ଆପଣାର ।
ନୁହେ କେବେ ଚିରପ୍ରିୟ ବସ୍ତୁଗଣ,
ସଖା ମାତ୍ର ଏକା ଶ୍ରୀହରି ଶରଣ ।