ଅବକାଶଚିନ୍ତା/କାଠଯୋଡ଼ୀ ତୀରେ ସାୟଂକାଳ (୨)

ଉଇକିପାଠାଗାର ରୁ
Jump to navigation Jump to search
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
କାଠଯୋଡ଼ୀ ତୀରେ ସାୟଂକାଳ (୨)

           
ପଶ୍ଚିମ ଗଗନ କୂଳରେ ଉପଗତ ତରଣୀ,
ଖର ଖରାତାପୁଁ ମୁକତ ଏବେ ହେଲା ଧରଣୀ ।
ମୃଦୂଳେ ସୁଗନ୍ଧ ପବନ କରେ ପ୍ରଦୋଷ ଖେଳା,
ମଧୁକାଳେ ଏହା ମଧୁର ସନ୍ଧ୍ୟା-ବିହାର-ବେଳା ।
କ୍ଷୀଣ-ଅଙ୍ଗୀ କାଠଯୋଡ଼ୀର ମନୋହର ପୁଲିନେ,
ପରମ ଉଲ୍ଲାସ ଅନ୍ତରେ ଏବେ ଭ୍ରମିଲି ଦିନେ ।
ଅଦୂରେ ଶ୍ୟାମଳ ଶଇଳ ଆହା କି ଶୋଭାବନ୍ତ,
ପ୍ରକୃତିଦେବୀ କି କରିଚି ନଦୀ ଚାରୁ-ସୀମାନ୍ତ !
ସୀମାନ୍ତ ମଧ୍ୟରେ ସିନ୍ଧୁର ବିନ୍ଦୁ ସମ ବର୍ତ୍ତୁଳ-
ଅସ୍ତମିତ ରବିମଣ୍ଡଳ ଦିଶେ କେଡେ ମଞ୍ଜୁଳ ।
ନିଶୀ ଆଗମନେ ରସିକା ରୂପବତୀ ପରାୟେ,
ଦିବ୍ୟ ବେଶ ସାଜି ତଟିନୀ ସିନ୍ଧୁ ସଙ୍ଗମେ ଯାଏ ।
କ୍ରମେ ଚାଲିଗଲା ଏ ଛବି, ରବି ହୋଇଲେ ଲୀନ,
ଆଗତ ପ୍ରଦୋଷ ସମୟ, ଶେଷ ହୋଇଲା ଦିନ ।
ପାଣ୍ଡୁର ବରଣେ ରଞ୍ଜିତ ହୋଇଅଛି ଗଗନ,
କି ଅବା ଏପରି ଦିଶଇ ମୃତ-ଦିବା-ବଦନ ।
ଚକ୍ରବାଳ ମୂଳୁ କ୍ଷଣକ ଅନ୍ତେ ହୋଇ ବାହାର,
ଧୂସରିତ କୃଷ୍ଣବରଣ କଲା ସବୁ ସଂହାର ।
ଘଟୁଅଛି ନିତି ଏପରି ଭବେ ଘଟନାଚୟ,
ଆଖି ବୁଜିଦେଲେ ସକଳ ବିଶ୍ଵ ଅନ୍ଧାରମୟ ।
କ୍ରମେ କ୍ରମେ ଏବେ ହୋଇଲା ଆସି ମୁହଁ ଅନ୍ଧାରି,
କଳନାଚ ରଚି ସଧୀରେ ବହେ ତଟିନୀ-ବାରି ।
ମୃଦୁ ଊର୍ମିପୁଞ୍ଜ ମଞ୍ଜୁଳ ଦିଶୁଥିଲା କି ରଙ୍ଗେ,
ବାରି ନୁହେ ଏବେ ଯିବାରୁ ମିଶି ତିମିରି ଅଙ୍ଗେ ।
ଏହି ଦଶା ଦିନେ ଲଭିବ ଖିଳ ବିଶ୍ଵମଣ୍ଡଳ,
ସର୍ବଗ୍ରାସୀ କାଳ-ଅନ୍ଧାରେ ମଜ୍ଜିଯିବୁ ସକଳ ।
ଧନ୍ୟ କାଠଯୋଡି! ତୋ ତୀରେ ନିତି ଏପରି ଚିତ୍ର,
ଦେଖି କେଉଁ ମୂଢ଼ ମାନସ ନ ହୁଅଇ ପବିତ୍ର ?
ଏହିପରି ନିତି ବିଲୋକି ନବ ଛବିସକଳ,
କଠିନ ନାସ୍ତିକ ହଦୟ ପ୍ରେମେ ହୁଏ ତରଳ ।
ତୋର ପ୍ରାଣପତି ସାଗର- ତୀରେ ଅନେକ ବାର,
ପ୍ରଦୋଷ ସମୟେ ଆନନ୍ଦେ କରିଅଛି ବିହାର ।
ଏତେ ନବ ଛବି କଦାପି ଦେଖି ନ ଥିଲା ଥରେ,
ଗମ୍ଭୀର ଔଦାର୍ଯ୍ୟ ପ୍ରକାଶେ ତହିଁ ସଦା ଅନ୍ତରେ ।
ବିଶ୍ଵପତିଙ୍କର ଅନନ୍ତ ଶକ୍ତି ହୃଦେ ପ୍ରକଟେ,
ପରିପୁଷ୍ଟ ହୁଏ ସେ ଭାବ ଚାହିଁ ଗଗନ-ପଟେ ।
ନିତି ନିତି ଦେଖି ତୋ ତୀରେ ନବ ଛବି ପଟଳ,
ଜାଣିଲି ସ୍ଵଭାବେ କାମିନୀ ହୃଦ ଅତି ଚପଳ ।
ହେଉ ପଛେ ଯେତେ ମାନିନୀ ଗୁଣବତୀ ଯୁବତୀ,
ନବ ନବ ବେଶ ଭୂଷଣେ ସଦା ବଳାଏ ମତି ।
ସୁଦୃଢ଼ ଗମ୍ଭୀର ନୁହଇ ଯେଣୁ ନାରୀ-ହୃଦୟ,
ତେଣୁ ସିନା ନରେ ଅଟନ୍ତି ନାରୀ ଜାତି ଆଶ୍ରୟ ।
ସୁକୋମଳ କ୍ଷୀଣ ବଲ୍ଲରୀ ଲଭି ପାଦପ ସଙ୍ଗ,
ଆହା କି ପରମ ମଞ୍ଜୁଳ ଦିଶେ ଉଭୟ ଅଙ୍ଗ ।
ତେବେ କିପାଁ ଏତେ ଯୁଝନ୍ତି ସଭ୍ୟ ନାରୀ-ସମାଜ,
ପତିଗଣ ସଙ୍ଗେ ସର୍ବାଂଶେ ସମ ହେବାକୁ ଆଜ ।
ରହିବ ବେନିଙ୍କ ପ୍ରକୃତି ମଧ୍ୟେ ନିଶ୍ଚେ ଭିନ୍ନତା,
କିଏ ସେ କରିବ ଅନ୍ୟଥା ଯାହା କଳ୍ପିଛି ଧାତା ।
ପ୍ରିୟ କଲ୍ଲୋଳିନି ! ତୋ ତୀରେ ଆଜି କଲି ଲୋକନ,
ପବିତ୍ର-ସରଳ ଆଦର୍ଶ ନାରୀ ଶୁଦ୍ଧ ଜୀବନ ।
ପତି ପାଦ-ସେବା କରିବା ପାଇଁ ହେ ସ୍ରୋତସ୍ଵତି !
ଅକ୍ଷୂନ୍ନ ମାନସେ ସନ୍ତତ କରୁ ଏକାନ୍ତେ ଗତି ।
ପରିଶିବା ମାତ୍ରେ ତୋ ତନୁ ସୁଶୀତଳ ସମୀର,
ଊର୍ମି ଛଳେ ଲାଜ ଭୟରେ କମ୍ପିଉଠେ ତୋ ନୀର ।
କୁଳକାମିନୀରେ ଏପରି ସିନା ମହତ ରୀତି,
ଲଜ୍ଜାବତୀ ହୋଇ ଏକାନ୍ତେ କାନ୍ତେ ଆଚରେ ପ୍ରୀତି ।
ପ୍ରେମ ମଧୁରତା ସ୍ନେହାଦି ସ୍ନିଗ୍‌ଧ ଭାବ ସକଳ,
ତୋ ସ୍ଵଚ୍ଛ ଜୀବନେ ଦେଖଇ ଜ୍ଞାନୀ ନେତ୍ର କେବଳ ।
ନବ ନବ ବେଶ ଭୂଷଣେ ତୁ ଯେ ବଳାଉ ମନ,
ଚପଳତା ସତ, ନୁହଇ କିନ୍ତୁ ତାହା ଦୂଷଣ ।
ଦୁର୍ବଳ ପ୍ରକୃତି ଏପରି ଯେତେ ନାରୀ ପରାଣେ,
ସଦ ବ୍ୟବହାରେ ବିମୁଖ ନୁହେ ପ୍ରମୋଦ ଦାନେ ।
ଉଚ୍ଚ ନୀଚ ବୃତ୍ତି ସକଳ ଯେବେ ସମେ ବିକାଶେ,
ପୂର୍ଣ୍ଣ ହୁଏ ନର, ସଂସାର ପୁରେ ସ୍ଵର୍ଗ ଉଲ୍ଲାସେ ।