ଅବକାଶଚିନ୍ତା/କାଠଯୋଡ଼ୀ ତୀରେ ଚନ୍ଦ୍ରାଲୋକ ନିଶୀଥ (୩)‌

ଉଇକିପାଠାଗାର ରୁ
Jump to navigation Jump to search
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
କାଠଯୋଡ଼ୀ ତୀରେ ଚନ୍ଦ୍ରାଲୋକ ନିଶୀଥ (୩)

           
ସୁଧାକର କରଜାଳେ ବିଭୁଷିତା ମହୀ,
ଶାନ୍ତିଦେବୀ ପଦେ ଖଟେ ମନ୍ଦାନିଳ ବହି ।
ମାୟାବିନୀ-ନିଦ୍ରାବଳେ ଜଗତ ମୋହିତ,
ଆହା କି ସୁନ୍ଦର ବେଶେ ପ୍ରକୃତି ଶୋଭିତ !
ନାହିଁ ଏବେ ଦିବସର ଘୋର କଳନାଦ,
କ୍ଷୁଦ୍ରଚେତା ମାନବର ଜାତୀୟ ବିବାଦ ।
ନାହିଁ ଅଶାନ୍ତି ରୂପିଣୀନୀଚ ନିଶାଚରୀ,
ସ୍ଵାର୍ଥପରତାର ଦୀର୍ଘ ଉଚ୍ଛ୍ଵାସ ଲହରୀ ।
ଆତ୍ମାଭିମାନର ନାହିଁ ଗମ୍ଭୀର ଶବଦ,
ଏକାବେଳେ ସର୍ବ ବିଶ୍ଵମଣ୍ଡଳ ସ୍ତବଧ ।
ସଂସାର ତୁମୁଳ ରଣ କ୍ଷଣେ ତିରୋହିତ,
ଗାଏ କି ସରିତ ତେଣୁ ସୁଶାନ୍ତି ସଙ୍ଗୀତ?
ଅବ୍ୟକ୍ତ ଅବୋଧ୍ୟ ଅତି ସୁମଧୁର ତାନ,
କିବା ସେ ନିଗୁଢ଼ ତତ୍ତ୍ଵ ସାମବେଦ ଗାନ ।
ଅସଂଖ୍ୟ ତାରକାପନ୍ତି ଗଗନମଣ୍ଡଳେ,
ଶୁଣନ୍ତି ସେ ମହାଗୀତି ନୀରବ ନିଶ୍ଚଳେ ।
ମୂଢ଼ ଜ୍ଞାନହୀନ ମୁହିଁ କିଛି ନ ବୁଝଇ ,
ତେବେ ହେଲେ ମୋ ଅନ୍ତର ଉଲ୍ଲସି ଉଠଇ ।
ଦେଖି ଶାନ୍ତିମୟ ଦୃଶ୍ୟ ସୁଣି ଏ ସୁସ୍ଵର,
ଅପୂର୍ବ ସ୍ଵର୍ଗୀୟ ସୁଖେ ପୂରେ ମୋ ଅନ୍ତର ।
ଜାଣିଲି ମାନବ-ହୃଦ ସଙ୍ଗେ ଆଦିକନ୍ଦ,
ସ୍ଥାପିଛନ୍ତି ପ୍ରକୃତିର ବିଚିତ୍ର ସମ୍ବନ୍ଧ ।
କିନ୍ତୁ ଦୁରାଚାରୀ ନର ମୂଢ଼ ନିରନ୍ତର,
ସେ ସଂଯୋଗ ଛେଦିବାକୁ ବଡ଼ ତତପର ।
ନୀଚ ବୃତ୍ତି ସକଳର ହୁଏ ଯେଣୁ ଦାସ,
ସୁନ୍ଦର ପ୍ରବୃତ୍ତିଚୟ ଲଭନ୍ତି ବିନାଶ ।
ଧନ୍ୟ ସେହି କୃଷିଜୀବି ଆଦି ଆର୍ଯ୍ୟଦଳ,
ଗାଇଲେ ଯେ ଆଦି ତତ୍ତ୍ଵ ସଙ୍ଗୀତ ସରଳ ।
ଜଡ଼ ବସ୍ତୁ ହୃଦେ ଯେହୁ କଲେ ବିଲୋକନ,
ମହାଶକ୍ତି ମହାତେଜଃ ଅନାଦି କାରଣ ।
ଜନମିଥାନ୍ତି ସେ ଯୁଗେ ହେଲେ ମୁଁ ପାମର,
ସୁଖେ ସେବା କରିଥାନ୍ତି ପ୍ରକୃତି ପୟର ।
ବାହ୍ୟ ଆବରଣ ଫେଡ଼ି ପ୍ରକୃତି ଅନ୍ତରେ,
ଦିବ୍ୟ ଜ୍ଞାନନେତ୍ରେ ହେଲେ ଦେଖିଥାନ୍ତି ଥରେ ।
ଅପ୍ରାକୃତ ପ୍ରେମ-ରୂପ ସତ୍ୟ ସନାତନ,
ଅନନ୍ତ ବାସନା ହୋଇଥାନ୍ତା ପୂରଣ ।
ଧନ୍ୟ କାଠଯୋଡି ! ଧନ୍ୟ ପ୍ରୟ ଶୈବଳିନି,
ତାପିତ ହୃଦେ ତୁ ଶାନ୍ତି ସୁଧା ସଂଚାରିଣୀ ।
ସଂସାର ଲଜ୍ଜା-ଘୃଣା-ପ୍ରବଞ୍ଚନା-ଜାଳେ,
ପ୍ରପୀଡ଼ିତ ହୁଏ ମୋର ମାନସ ଯେକାଳେ ।
ନିଭୃତେ ତୋ ତୀରେ ଆସି କଲେ ବିଚରଣ,
କି ମୋହନ ମନ୍ତ୍ରେ କରୁ ସକଳ ହରଣ ।
ବିବିଧ ସ୍ଵର୍ଗୀୟ ଚିନ୍ତା ନାନା ପ୍ରିୟଭାବ,
କଳୁଷିତ ହୃଦେ ମୋର କରାଉ ଉଦ୍ଭବ ।
ତୋର ପଦଯୁଗେ ମୁହିଁ ଚିରକାଳ ଋଣୀ,
ଏହି ଭାବ ଥାଉ ନିତି ହେ ସୁରତରୁଣି !!