Jump to content

ଅବକାଶଚିନ୍ତା/ଭାର୍ଗବୀ ପ୍ରତି

ଉଇକିପାଠାଗାର‌ରୁ
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
ଭାର୍ଗବୀ ପ୍ରତି

           
ତେଜି ଅଶାନ୍ତି ନଗର ପାସ
ଚାରୁ ପଲ୍ଲି-ପଥେ କଲୁ ବାସ
ବାର ବାଙ୍କ ଭ୍ରମି ହେଲୁ ପଥଶ୍ରମୀ
ଶେଷେ ସିନ୍ଧୁ ସଙ୍ଗେ ଗଲା ପ୍ରାସ, ଲୋ ତଟିନି ! (୧)
କାହିଁ କୋମଳ ଶ୍ୟାମଳ ଘାସ
କାହିଁ କୃଷକେ କରନ୍ତି ଚାଷ
ତୋର ବେନି ତଟେ କାହିଁ ଅବା ଚାଟେ
ସୁଖେ ବୋଲନ୍ତି ସରଳ ରାସ, ଲୋ ତଟିନି ! (୨)
ପଲ୍ଲୀ ପ୍ରାକୃତ ସରଳ କାନ୍ତି
ଉଦବେଗହୀନ ଦିବ୍ୟ ଶାନ୍ତି
ତୋର ଜଳଧାର ଯୋଗେ ସୁଖତର
ହରେ ସହଜେ ସକଳ ଶାନ୍ତି, ଲୋ ତଟିନି ! (୩)
ନାନା ବିଧ ତରୁ ଗୁଳ୍ମ-ଲତା
ଫଳ-ଫୁଲ ପଲ୍ଲବେ ଆନତା
ଆବୋରି ତୋ ନୀରେ ରାଜେ ବେନି ତୀରେ
ପଲ୍ଲି ସତେ କି ଟେକିଛି ଛତା, ଲୋ ତତିନି ! (୪)
ଦେଇ ଆପଣା ଶୁଦ୍ଧ ଜୀବନ
ତୋଷ କେତେ କେତେ ଜୀବଗଣ
ପର ହିତେ ଏକା ନିରନ୍ତର ବିକା
ଧନ୍ୟ ଧନ୍ୟ ତୋ ମହତ ପଣ, ଲୋ ତଟିନି ! (୫)
ବର୍ଣ୍ଣିବାକୁ ତୋର ଗୁଣ ଗତି
ଛାର ମୋର କି ଅଛି ଶକତି
କିନ୍ତୁ ସ୍ରୋତସ୍ୱତି ! ସଦା ତୋହ ପ୍ରତି
ଥାଏ ମୋ ମନେ ସ୍ନେହ-ଭକତି, ଲୋ ତଟିନି ! (୬)
ଦେଖି ନାହିଁ ମୁ ମାତୃବଦନ
ପାନ କରି ନାହିଁ ମାତୃସ୍ତନ
ହୋଇଣ ସଦୟ ଦେଇ ନିଜ ପୟ
ବଞ୍ଚାଇଲୁ ମୋ ଶିଶୁ-ଜୀବନ, ଲୋ ତଟିନି ! (୭)
ଚିନ୍ତା ବାହୀନି ବାଲ୍ୟ ସମୟେ
ବହୁ ଖେଳିଅଛି ତୋ ହୃଦୟେ
ମୋର କେତେ ଅଳି ଅଛି ତୁ ସମ୍ଭାଳି
ମନେ ଥିବ ଜୀବ ଯିବାଯାଏ, ଲୋ ତଟିନି ! (୮)
ମୋର ପିତୃ-ପିତାମହଗଣ
କରି ତୋ ନିରେ ସ୍ନାନ-ତର୍ପଣ
ଲକ୍ଷ୍ମଣ-ବନ୍ଦିତା ଯାଗେଶ୍ୱରୀ ମାତା
ପଦେ ପୂଜୁଥିଲେ ଅନୁକ୍ଷଣ, ଲୋ ତଟିନି !(୯)
ସୁକୋମଳ ବାଲି-ଶେଯେ ଶେଷେ
ବିଶ୍ରାମିଲେ ତୋ ପୁଳିନ -ଦେଶେ
ପାପତାପ-ନାଶୀ ତୋର ବାରିରାଶି
ପୂତେ କରେ ପ୍ରତି ଗ୍ରୀଷ୍ମ ଶେଷେ, ଲୋ ତଟିନି !(୧୦)
ଆଜି ତୋ ପୂଜ୍ୟ ପ୍ରିୟ ଆକୃତି
ଦେଖି ଚିତ୍ତେ କେତେ ପୂର୍ବସ୍ମୃତି
ନବଭାବ ଧରି ଉଠି ଏହିପରି
ଅତି ଉଚ୍ଛନ୍ନ କରେ ମୋ ଧୃତି, ଲୋ ତଟିନି ! (୧୧)
ରଙ୍ଗକରେ ଅସ୍ତଶିଖୁଁ ହରି
ପରଶନ୍ତେ ତୋ ବକ୍ଷେ ଲହରୀ
ତୋ ଶୈବାଳଦଳ ଏବେ କି ମଞ୍ଜଳ
ହେମ ପ୍ରବାଳ ବଲ୍ଲରୀ ସରି, ଲୋ ତଟିନି! (୧୨)
ଦେଖି ଏହା ମୋ ହୃଦ-ସରିତ
ଆଶା-ସମୀରେ ତରଙ୍ଗାୟିତ
ବିବିଧ ବରଣ କଳ୍ପନା କିରଣ
ସଜେ ତହିଁ ଦିବ୍ୟ ଚାରୁ ଚିତ୍ର, ଲୋ ତଟିନି ! (୧୩)
କେତେ ରୁଚିର ସୁଖ ସ୍ୱପନ
ବିଲୋକଇ ମୋ ମନ-ନୟନ
ସାମାନ୍ୟ ଏ ଭବ ଦୂଷିତ ବିଭବ
କରେ ନାହିଁ ମୁଁ ତିଳେ ଗଣନ, ଲୋ ତଟିନି ! (୧୪)
ତେଣୁ ତୋ ପଦେ କରେ ବିନତି
ଜୀବ ଥିବାଯାଏ ସ୍ରୋତସ୍ୱତି !
ଭବ-ଦୁଃଖ ନାଶ ଭାବ ରାଶି ରାଶି
ଚିତ୍ତେ ଜନ୍ନାଇବୁ ଏହି ମତି, ଲୋ ତଟିନି ! (୧୫)
ପିଣ୍ଡ ପଡୁ ତୋ ସିକତା ବାସେ
ଯାଗେଶ୍ୱରୀ ଜନନୀ ସକାଶେ
ପୁନ୍ନାଗ ବକୁଳ ନାନା ଜାତି ଫୁଲ
ଝଡି ପଡୁଥାଉ ଚଉପାଶେ, ଲୋ ତଟିନି ! (୧୬)
ଅବଶେଷେ ମୋ ଜୀବନ-ନଦୀ
ମିଶି ତୋ ସଙ୍ଗତେ ନିରବଧି
ଲଭି ଚିର ଶାନ୍ତି ହରୁ ସର୍ବକ୍ଲାନ୍ତି
ଭେଟୁ ଅତଳ କାଳ-ଜଳଧି, ଲୋ ତଟିନି ! (୧୭)