ଅବକାଶଚିନ୍ତା/ଖଣ୍ଡଗିରି ଶିଖରେ

ଉଇକିପାଠାଗାର ରୁ
Jump to navigation Jump to search
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
ଖଣ୍ଡଗିରି ଶଖରେ

           
ଏହିକି ସେ ଖଣ୍ଡଗିରି ଯା ଶୋଭାସଙ୍କୁଳ,
ଏହିକି ସେ ଖଣ୍ଡଗିରି ଯାର ଫଳ ଫୁଲ,
ଏହିକି ସେ ଖଣ୍ଡଗିରି ଯାର ବିଜନତା,
ଏହିକି ସେ ଖଣ୍ଡଗିରି ଯାର ତରୁଲତା
ବିମୋହିତ ପୂର୍ବେ ବୌଦ୍ଧ ତାପସ-ମାନସ
ଶୋଭଇ ଶରୀରେ ଯାର ଏବେ ବୌଦ୍ଧ-ଯଶ ।
ବୌଦ୍ଧ ମତ୍ରାବଳି ଆଜି ଅମର ଅକ୍ଷରେ,
ଅଶୋକ ଆଦେଶ ରାଜେ ଯା ଶିଳା ବକ୍ଷରେ ,
କାହାନ୍ତି ସେ ଯୋଗିବୃନ୍ଦ, କାହାନ୍ତି ଅଶୋକ ?
କାହା ହୃଦ ଦେଖି ଏହା ନ କରିବ ଶୋକ ?
“ ଅହିଂସା ପରମ ଧମ୍ମ " ଏ ମହା ମନ୍ତର,
ଗମ୍ଭୀର ଶବଦେ ଆଉ ନ ତୋଷେ ଅନ୍ତର ।
ଶୂନ୍ୟ ଗୁମ୍ପା ଅଭ୍ୟନ୍ତରେ ପଶିଣ ପବନ,
ମନ୍ତ୍ରନାଦ ସ୍ଥାନେ କରେ ସନ ସନ ସ୍ୱନ ।
ଅହୋ ବୃଦ୍ଧ ଖଣ୍ଡଗିରି ପୁରାଣ-ପ୍ରବୀଣ !
ଦେଖିଅଛ ଉତ୍କଳର କେତେ ଶୁଭ ଦିନ ।
ଉତ୍ସାହ, ଉଦ୍ୟମ, ଶକ୍ତି, ପ୍ରତିଭା, ବିଭବ,
ସାହସ, ବିକ୍ରମ ଧୈର୍ଯ୍ୟ, ଜାତୀୟ ଗରବ ।
ଉତ୍କଳ କେତେ କେତେ ଗୌରବ-କାହାଣୀ,
ଅତୀତ ଘଟନା ଦେଖି ସବୁ ଅଛି ଜାଣି ।
ଏହି ଯେ ସମ୍ମୁଖେ ଶୋଭେ ବିରାଟ ମନ୍ଦିର,
ଅନ୍ତରୀକ୍ଷ ମାପିବାକୁ ଟେକିଅଛି ଶିର ।
କାଳବଳେ ହୋଇଅଛି ବିବର୍ଣ୍ଣ ଶରୀର,
ତଥାପି ସ୍ଥବିର ତନୁ ଗମ୍ଭୀର ରୁଚିର ।
ଚଉପାଶେ ଦିଶେ କେତେ ଦେବାଳୟଚୟ
କାଳଗର୍ଭେ କେତେ ପୁଣି ଭଜିଲେଣି ଲୟ ।
କି ଅସିମ ଶକ୍ତି କେତେ ବିପୁଳ ବିଭବେ,
କେତେ ଧର୍ମ୍ମ ଅନୁରାଗେ ଗଢ଼ା ଏ ସରବେ ।
ବେନି ମହାଧର୍ମ୍ମ ଏଥି ସାମ୍ୟ ମୈତ୍ରୀ ଭାବେ,
ସମ୍ମିଳିତ ପରସ୍ପର ଅଦ୍ଭତ ପ୍ରଭାବେ ।
ଧର୍ମେ ଧର୍ମେ କିମ୍ପା ଦ୍ୱେଷ ବାଦ ଅହଙ୍କାର,
ଅତୀତ ଉତ୍କଳ ଆହା କି ମହା ଉଦାର ।
ଧନ୍ୟ ଲଲାଟେନ୍ଦୁ ! ଧନ୍ୟ କେଶରୀ-ପୁଙ୍ଗବ !
ଉତ୍କଳର ପୁଣ୍ୟଶ୍ଲୋକ ଅମର-ଗୌରବ,
ଶୌର୍ଯ୍ୟ-ବୀର୍ଯ୍ୟ କଳା-କାବ୍ୟ ଧନ-ଜ୍ଞାନ-ମାନ
ଥିଲା ଯାଙ୍କ ସୁଶାସନ ପବିତ୍ର ବିଶାନ ।
କହି ତାଙ୍କ କଥା, ତାଙ୍କ ରାଜ୍ୟ ସମାଚାର,
ନିର୍ଜୀବ ଉତ୍କଳେ ପ୍ରାଣ କର ହେ ସଞ୍ଚାର ।
(ଅପୂର୍ଣ୍ଣ)