ଅବକାଶଚିନ୍ତା/କଟକର ଶିଳାସେତୁ
←ଖଣ୍ଡଗିରି ଶିଖରେ | ଅବକାଶଚିନ୍ତା ଲେଖକ/କବି: କଟକର ଶିଳାସେତୁ |
ବିଂଶ ଶତାଦ୍ଦୀର ପ୍ରଥମ ଦିନ ବାରବାଟୀ ଦର୍ଶନ→ |
ସୁଦୃଢ଼ ସୁନ୍ଦର ଆରେ ଶିଳାସେତୁ !
ରହିଛି କଟକ ନଗର ତୋ ହେତୁ ।
ପ୍ରକୃତି ପ୍ରଭାବେ ଦେଖାଉ ଭ୍ରୂକୁଟି,
କାଳବଳେ ଅଙ୍ଗ ଯାଇ ନାହିଁ ତୁଟି ।
ତରଙ୍ଗ ପ୍ରହାର ସହୁ ଅନୁକ୍ଷଣେ,
ଶ୍ରମ ହରୁ ନଦୀ ଶୀତଳ ପବନେ ।
ଉଭା ହୋଇଅଛୁ ସୁଗମ୍ଭୀର ଦମ୍ଭେ,
ରାଜେ ବୃଦ୍ଧ ବପୁ ଯେସନ ପ୍ରାରମ୍ଭେ ।
କୋମଳ ଶୈବାଳ ଦଳେ କି ସୁନ୍ଦର,
ତୋର ଶିଳାମୟ ବୃଦ୍ଧ କଳେବର ।
ହେ ପ୍ରାଚୀନ ସେତୁ କରିଛୁ ଦର୍ଶନ,
କଟକ ନଗର ଉତଥାନ ପତନ ।
ତୁ ଅଟୁ କଟକ ଇତିହାସ ଜ୍ଞାତା,
ଫେଡି କହ କିଛି ଅତୀତର ଗାଥା ।
କେଶରୀ ବଂଶର ଶେଷ ରାଜଗଣ,
କଲେ ଯେବେ ଏହୁ ନଗର ସ୍ଥାପନ ।
କି ଉତ୍ସାହେ କହ ଏ ଉତ୍କଳ ଜାତି,
ଦେଶ୍-ହିତ ବଢେ ଉଠିଥିଲେ ମାତି ।
ମହାପରାକ୍ରମୀ ରାଜା ଚୋରଗଙ୍ଗ,
ତୋର ଚଉପାଶେ କଲେ ଯୁଦ୍ଧରଙ୍ଗ ।
ଦେଖିଛ ସେଦିନ ଉତ୍କଳ ବିକ୍ରମ,
ଉତ୍କଳବାସୀର ପ୍ରାଣାନ୍ତକ ଶ୍ରମ ।
ବାରବାଟୀ ଚଉଦୁଆର ବିନଷ୍ଟ,
ଦେଖି ଆଜି ମନେ ନ ପାଉ କି କଷ୍ଟ ।
ଆକ୍ରମିଲେ ଯେବେ ଦୁର୍ଦ୍ଧର୍ଷ ଯବନ,
ବର୍ଷିଲା କମାଣ ଗୋଳା ଅଗଣନ ।
ନିଜ ବକ୍ଷେ ସବୁ ସହି ଅକାତରେ,
ସହଜେ ପୂରାଇ ନ ଦେଲୁ ନଗରେ।
ସେ ଆଘାତ-ଚିହ୍ନ ଥିବ ଆଜିଯାଏ,
ସ୍ଥାନେ ସ୍ଥାନେ ତୋର ସୁବିପୁଳ କାୟେ ।
ଆଜିଯାଏ ଯେତେ ଏପରି ଘଟଣା,
ଅନୁଭବେ ସବୁ ଅଛି ତୋତେ ଜଣା ।
କହ କହ ସେତୁ ସମସ୍ତ ବିସ୍ତାରି,
ଶୁଣନ୍ତୁ ଉତ୍କଳ ସର୍ବ ନରନାରୀ ।
ହୀନବଳେ ଏବେ ଉତ୍କଳ-ସନ୍ତାନ,
ହରାଇଅଛନ୍ତି ଆତ୍ମଶକ୍ତି-ଜ୍ଞାନ ।
ଜାଣିବେ ବା ଶୁଣି ପୂର୍ବ ବଡପଣ ,
ସାଧୁ ଅନୁଷ୍ଠାନେ ଦେବେ ପ୍ରାଣମନ ।