ଅବକାଶଚିନ୍ତା/ବିଂଶ ଶତାଦ୍ଦୀର ପ୍ରଥମ ଦିନ ବାରବାଟୀ ଦର୍ଶନ

ଉଇକିପାଠାଗାର ରୁ
Jump to navigation Jump to search
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
ବିଂଶ ଶତାଦ୍ଦୀର ପ୍ରଥମ ଦିନ ବାରବାଟୀ ଦର୍ଶନ

           
ଊନବିଂଶ ଶତ ଖ୍ରୀଷ୍ଟ ଅଦ୍ଦ ଗତେ
ବିଂଶ ଶତ ଅଦ୍ଦ ପ୍ରବେଶ ଜଗତେ ।
ଅନନ୍ତ ସମୟ ସାଗର-ଉଦରେ,
ଶତ ବର୍ଷ ଆହା ପଶିଲା କି ଖରେ ।
କେତେ କେତେ ମନେ କେତେ କି ବାସନା,
ଅପୂର୍ଣ୍ଣ ରହିଲା,ନାହିଁ ଆଶ୍ୱାସନା ।
ନିରପେକ୍ଷ କାଳ ନ ଚାହିଁଲା କ୍ଷଣେ !
ଭବେ ତାର ପ୍ରିୟ ନାହିଁ କେହି ଜଣେ ।
କେତେ କାହା ହୃଦେ ଅପାର କଷଣ,
ନ ତୁଟି ଶୋଣିତ କରଇ ଶୋଷଣ ।
କାଳଠାରେ ନାହିଁ ଦୟା ମାୟା ଲେଶ,
କରିଥାଏ ଚାଲି ନିଜ କାର୍ଯ୍ୟ ଶେଷ ।
ଆସ ନବ ଯୁଗ ନବୀନ ବରଷ ,
ନବ ଦିନେ ଘେନି ଅଶେଷ ହରଷ ।
ବିଭୁ-ସ୍ୱର୍ଗଧାମୁଁ ସୁଖ ସମାଚାର,
ଆଣି ଏ ସଂସାରେ କର ହେ ପ୍ରଚାର ।
ବିଗତ ଶତାଦ୍ଦୀ ଘୋର ତାପ-ଜାଳ,
ସ୍ୱରଗର ଶାନ୍ତି ଉଦକେ ପଖାଳ ।
ନନ୍ଦନ କାନନ ନବ ଫୁଲବାସ,
ଦୂଷିତ ଧରଣୀ ଧାମେ ପରିକାଶ ।
ଦିବ୍ୟ ଭାବ ଦିଅ ମୋର ପିଣ୍ଡେ ଆଣି,
ପବିତ୍ର ଉତ୍ସାହେ ମତ୍ତ ହେଉ ପ୍ରାଣୀ ।
ଆବର ମାଗୁଛି ଯୋଡି କର ବେନି,
ଭାରତର ପୂର୍ବ ଯଶଃ ଆସ ଘେନି ।
ଭବରଙ୍ଗେ ଦିନେ ଯେହୁ ମହାରାଜ,
ଆହା ଦୀନହିନ ଭିଖାରୀ ସେ ଆଜ ।
କର ହେଲେ ଏହା ଦେଖିଣ କରୁଣା,
ନବ ତେଜେ ଥରେ ବିକାଶୁ ପୁରୁଣା ।
ହେ କାଳ ! ତୁମ୍ଭେ ତ ସର୍ବ ଶକ୍ତିମନ୍ତ,
କିଏ ଜାଣେ କାହିଁ ତୁମ୍ଭ ଆଦି ଅନ୍ତ ।
କିଏ ସେ କଳିବ କେତେ ତୁମ୍ଭ ବଳ,
ହୁଏ ଯେଣୁ ଜଳେ ସ୍ଥଳ, ସ୍ଥଳେ ଜଳ ।
ଏହି ଯେ ସମ୍ମୁଖେ ବାରବାଟି ପଦା ,
ଭାଙ୍ଗିଅଛି ଯହିଁ ଲକ୍ଷ ଲକ୍ଷ ଗଦା ।
ଥିଲା ଯେହୁଁ ବୀର-ବିହାର-ପ୍ରାଙ୍ଗଣ,
ଭ୍ରମେ ତହିଁ ଆଜି ଶ୍ୱାନ-ଶିବାଗଣ ।
ଶୁଭ ଶୈଳ ସମ ବିଶାଳ ସଉଧ,
ଶିର ଟେକି ଦିନେ ଭେଦିଣ ବଉଦ ।
ଗମ୍ଭୀର ଗରବେ ହୋଇଥିଲା ଠିଆ,
ଦେଖି ଯାହା ଥରୁଥିଲା ଶତ୍ରୁ-ହିଆ ।
ଆହା ଏବେ ତହିଁ ସ୍ତୂପାକାରେ ମାଟି,
ବିଲୋକି ହୃଦୟ ଯାଏ ସିନା ଫାଟି !
ଥିଲା ଯହିଁ କାଳେ ଗଭୀର ପରିଖା,
ଟେକିଛି କୋମଳ ଶସ୍ୟ ତହିଁ ଶିଖା ।
କାହିଁ ସେ କମାଣ ଅଶନି ଶବଦ ,
ଶୁଣି ଯହା ଶତ୍ରୁ ଶ୍ରବଣ ସ୍ତବଧ ।
ବୀରମଜ୍ଜ ତେଜା ବାଜା କାହିଁ ଆଜି?
କାହିଁ ସେ ଅଦ୍ୟମ କରୀ ବାଜିରାଜି ?
ହେ କାଳ! ତୁମ୍ଭରି ଗର୍ଭେ ସବୁ ଲୀନ,
ଶୁଭଗା ଉତ୍କଳ ଆଜି ଦିନହୀନ ।
ହେ କାଳ! ତୁମ୍ଭରି ଅଟଳ ଆଦେଶେ ,
ଘୋଟିଛି ଦୁର୍ଗତି ଏ ଉତ୍କଳ ଦେଶେ ।
ଆଲୋ ସ୍ରୋତସ୍ୱତୀ ସତୀ ଚିତ୍ରୋତ୍ପଳା !
(ଯା ଘେନି ଉତ୍କଳ ସୁଜଳା ସୁଫଳା ।)
ପିଅଇ ଆପଣା ସୁଧା ସମପୟ ,
ବଢାଇଥିଲୁ ଯେ ବୀର ଶୂରଚୟ ।
କିପରି ଦେଖିଲୁ ତାହାଙ୍କ ନିଧନ ?
ଦେଖି ପୁଣି ସତେ ପାଇଲୁ ଜୀବନ ।
ଦେଖିଲୁ କିପରି କହ ସେ ଦୁର୍ଦ୍ଦିନ,
ବାରବାଟୀ ଯେବେ ହେଲା ଶିରାହୀନ ।
କରାଳ କଲ୍ଲୋଳେ କରି ଘୋର ନାଦ ,
ରିପୁକୁଳ-ହୃଦେ ଆତଙ୍କ ପ୍ରମାଦ ।
ଜନ୍ନାଇଲୁ ନାହିଁ କିମ୍ପା ଲୋ ଜନନୀ,
ରହିଲା କିପରି ସ୍ଥିର ତୋ ଧମନୀ ?
ଧରିଣ ପ୍ରଳୟ ଭୀମ ରଣବେଶ ,
ଶତ୍ରୁଦଳେ କିମ୍ପା ନ କଲୁ ନିଃଶେଷ ?
ଅବା କିମ୍ପା ତୋର ଭୀଷଣ କବଳ,
ଗରାସିଲା ନାହିଁ ଏହୁ ରଙ୍ଗସ୍ଥଳ?
ବାରବାଟୀ ଲଭି ତୋ ହୃଦେ ଆରାମ ,
ଭବୁଁ ଲୁଚିଥାନ୍ତା ବାରବାଟୀ ନାମ ।
ସେ କାଳେ ସ୍ତମ୍ଭିତ ହେଲା ତୋର ଗତି ,
ତୁ କାହିଁ ଲଙ୍ଘିବୁ ସମୟ-ନିୟତି ?
ମହାବଳୀ ଧନ୍ୟ ଧନ୍ୟ ତୁମ୍ଭେ କାଳ!
କେ ଲଙ୍ଘିବ ତୁମ୍ଭ ତୀକ୍ଷ୍ଣ କରବାଳ?
ଥିଲା ଯେବେ କିଛି ଉତ୍କଳର ଦୋଷ,
ଦୋଷ ଅନୁମତେ କରିଅଛ ରୋଷ ।
ହୋଇଅଛି ଶାସ୍ତି କଷଣ ଅପାର,
ନ କର ଅଧିକ ଆଉ ଛାରଖାର ।
ଏଣିକି କରୁଣା ଅଟଇ ବିହିତ,
ସାଧା ନବଯୁଗେ ଉତ୍କଳର ହିତ ।
ଉତ୍କଳ-ତନୟେ ଦିଅ ନବ ବଳ,
ଉତ୍କଳ-ପାଦପେ ରସମୟ ଫଳ ।
ଉତ୍କଳ-ସରିତେ ପବିତ୍ର ଜୀବନ,
ଉତ୍କଳ-କାନନେ ସ୍ୱର୍ଗୀୟ ସୁମନ ।
ଉତ୍କଳ-ଆକାଶେ ନବ ଯଶଃ ରବି,
ଉତ୍କଳ-ପ୍ରକୃତି ଧରୁ ନବ ଛବି ।