ଅବକାଶଚିନ୍ତା/ବାଲିଯାତ୍ରା ସନ୍ଧ୍ୟାରେ ମହାନଦୀ ତୀରେ

ଉଇକିପାଠାଗାର ରୁ
Jump to navigation Jump to search
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
ବାଲିଯାତ୍ରା ସନ୍ଧ୍ୟାରେ ମହାନଦୀ ତୀରେ

           
ସୁନ୍ଦର ଶରଦ ସନ୍ଧ୍ୟା ସୁନୀଳ ଆକାଶେ,
ଚାରୁପୂର୍ଣ୍ଣ ଶଶଧର ଉଜ୍ଜ୍ଵଳେ ବିଭାସେ ।
କୋମଳ ମୟୁଖ ମାଳେ ହସିଉଠେ ମହୀ,
ସରସ ସରୀତ ବକ୍ଷ କମ୍ପେ ରହି ରହି ।
ଖେଳେ ତଥିପରେ ଶତ ଶତ ଜ୍ୟୋତ୍ସ୍ନାଧାରା,
ନାଚେ ନଦୀଗର୍ଭେ ଶଶୀ ସହ ଶତ ତାରା।
ପୂଲକେ ପୂରିତ ଏବେ ହୁଅଇ ଅନ୍ତର,
ପ୍ରକୃତିକି କରିଅଛି ମୋହନ ମନ୍ତର ?
ଠୁଳ ହୋଇଛନ୍ତି ଏଥୁ ବହୁ ଶତ ଜନ,
ଏ ଛବି ନିରେଖେ ନାହିଁ କାହାରି ନୟନ।
ନାନା ରଙ୍ଗେ ମାତି ଏବେ ହୋଇଛନ୍ତି ଭୋଳ,
ତେଣୁ ଶୁଭେ ଏଡ଼େ ଘୋର ମୁଖରାବ ଗୋଳ ।
ବାଜେ ଶଙ୍ଖ, ବାଜେ ଘଣ୍ଟ, ପଡ଼େ କରତାଳି,
ମୃଦଙ୍ଗ ମନ୍ଦାର ବାଜେ, ଶୁଭଇ କାହାଳୀ ।
ଧର୍ମ୍ମ ନୃତ୍ୟେ ହୋଇଛନ୍ତି ମତ୍ତ ବହୁ ଜନ,
ଏ ନୃତ୍ୟରେ କିନ୍ତୁ ଆହା ନାହିଁ ତ ଜୀବନ !
ଶୁଣି ଏହି ସଂକୀର୍ତ୍ତନ ନାଚେ ନାହିଁ ପ୍ରାଣ,
ବିଗଳିତ ନୁହେ ହୃଦ ଶୁଣି ଏହୁ ଗାନ ।
ଅନ୍ତରେ ସଞ୍ଚରେ ନାହିଁ ଲବେ ଧର୍ମଭାବ,
କେ କହିବ ଏ ସଙ୍ଗୀତେ ଅଛି କି ଅଭାବ?
ଏହି ତ ସେ ମହାନଦୀ ଯାହାର ପୁଳିନେ,
ଏହି ସେ ବାରବାଟୀ ଯହିଁ ଆହା ଦିନେ ।
ବାଜି ତୂରୀ ଭେରୀ ଶିଙ୍ଗା ଘୋର ଘନ ଘୋଷେ,
ଉତ୍ତେଜିଲା ପ୍ରତି ପ୍ରାଣ ସାହାସେ ସରୋଷେ?
ବିପୁଳ ବିକ୍ରମ ସ୍ରୋତେ ପ୍ରତି ହୃଦସ୍ଥଳୀ,
ପ୍ଲାବି ଦେଶହିତେ ଦେଲା କେତେ ଆତ୍ମବଳି।
ସେ ଦିନର ତେଜଃପୁଞ୍ଜ ଉତ୍ସାହ ଶକତି,
ସ୍ୱଦେଶ ସ୍ୱଧର୍ମ ପ୍ରତି ଅଟଳ ଭକତି ।
ଭାସି ଯାଇଅଛି ସିନା ସମୟ-ତରଙ୍ଗେ;
ଭାସିଯାଏ ଫେନ ଯଥା ମହାନଦୀ-ଅଙ୍ଗେ।
ଜଗତର ନାନା ସ୍ଥାନ କରିଛି ଦର୍ଶନ,
ନାନା ଜାତି ନାନା ଧର୍ମ ଉତଥାନ ପତନ।
ପଡେ ଯେହୁ ଥରେ ସେହୁ ଉଠେ ତ ଆବର,
ଶୟନର ଅନ୍ତେ ଯଥା ଆସେ ଉଜାଗର ।
ବାରବାଟୀ ଦଶା ଲଭି କେତେ ରସାତଳେ,
ଉଠିଅଛିଟି କି ସ୍ଥାନ ଅଭିନବ ବଳେ ।
ତେବେ କିମ୍ପା ବାରବାଟୀ ହେବ ଆଶାହୀନ?
ତେବେ କିମ୍ପା ବାରବାଟୀ ବଦନ ମଳିନ?
ଢାଳିଦିଅ ସୁଧାକର ଦିବ୍ୟ ସୁଧାଝରୀ,
ଉଠୁ ମହାନଦୀ ବକ୍ଷେ ଉତ୍ତୁଙ୍ଗ ଲହରୀ ।
ଧୋଇ ବାରବାଟୀ ମୁଖ କରୁ ସମୁଜ୍ଜ୍ଵଳ,
ଶୁଦ୍ଧ ଧର୍ମମଦେ ସର୍ବେ ହୁଅନ୍ତୁ ବିହ୍ୱଳ।
ସଞ୍ଚରୁ ଏ ସଂକୀର୍ତ୍ତନ ପବିତ୍ର ଉଚ୍ଛ୍ଵାସ,
କର୍ମବୀର,ଧର୍ମବୀର ହୁଅନ୍ତୁ ପ୍ରକାଶ ।