ଅବକାଶଚିନ୍ତା/ଗଞ୍ଜାମ ଜାତୀୟ ସମିତି

ଉଇକିପାଠାଗାର ରୁ
Jump to navigation Jump to search
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
ଗଞ୍ଜାମ ଜାତୀୟ ସମିତି

<poem> (୧) ଅନ୍ଧାର ଉତ୍କଳ-ନଭେ ଏବେ ଶୁଭଦିନ, ଉଇଁଛି ଉଜ୍ଜ୍ୱଳ ଆଶା ତାରକା ଦକ୍ଷିଣେ । ନବୋଦିତ ଯୋଗୁଁ ପ୍ରଭା ଅଳପ ବିକାଶ, ତଥାପି ଢାଳଇ ପ୍ରତି ପରାଣେ ଆଶ୍ୱାସ । ଉତ୍କଳ ଜାତୀୟ ପୋତ ସୁନିଶ୍ଚତ ପଥ, ଦେଖାଇବ ଏହି କ୍ଷୁଦ୍ର ତାରକା ସନ୍ତତ । ଓଡ଼ିଆ ଜାତିର ଏହା ହେବ ଧ୍ରୁବ ତାରା, ନାଶି ତମଃ ପ୍ରକାଶିବ ଯଶଃ ଜ୍ୟୋତିଧାରା । (୨) ଦିନେ ଚାଲି ଯାଇଥିଛି ଆହା ସେ ସୁଦିନ, ସୁଭଗା ଉତ୍କଳ ତେଣୁ ଆଜି ଦୀନହୀନ । ଦିନେ ଯେଉଁ ଧ୍ରୁବତାରା କାଞ୍ଚି ଯାତ୍ରାକାଳେ, ଚିଲିକାର ଚାରୁବକ୍ଷେ ନୀଳ ଊର୍ମିମାଳେ । ଚଳାଇଲା ଶତ ଶତ ଓଡ଼ିଆ ବୋଇତ, ଜାତୀୟ ସମିତିରୂପେ ଆଜି ସେ ଉଦିତ । (୩) ଧନ୍ୟ ହେ ଗଞ୍ଜାମବାସୀ ଓଡ଼ିଆ ସକଳ, ଧନ୍ୟ ତୁମ୍ଭ କଉଶଳ,ଧନ୍ୟ ତୁମ୍ଭ ବଳ । ରାଧାକୃଷ୍ଣ ପ୍ରେମ କଥା ମଧୁର ସଙ୍ଗୀତେ, ତନ୍ତ୍ରୀମୁଖେ ବଳଦେବ ଯହିଁ ଶୁଦ୍ଦଚିତ୍ତେ । ଯହିଁ ମହାକବି ଭଞ୍ଜ ଶ୍ରୀରାମ ଚରିତ, ଗାଇଲେ ପ୍ରଥମ ଦିବ୍ୟ ରସମୟ ଗୀତ । ରାମକୃଷ୍ଣ ପଦ ଲାଗି(୧) ଯାର ଧୂଳି ପୂତ , ତୁମ୍ଭେମାନେ ସେ ଗଞ୍ଜାମ ଉପଯୁକ୍ତ ସୂତ । (୪) ଦେଖାଇଲେ ଯେ ଉତ୍ସାହ ଉଦ୍ୟମ ଶକତି, ମାତୃଭାଷା, ମାତୃଭୂମୀ ଅଟଳ ଭକତି । ଦେଲ ଯେ ଜାତୀୟ ଭାବ ଦୃଢ଼ ପରିଚୟ, ଚିରଦିନ ଗାଇବେ ତୋ ଉତ୍କଳ-ତନୟ ; ଉତ୍କଳର ଇତିହାସେ ପାଇବ ତା ସ୍ଥାନ , ଭାବୀ ବଂଶ ଦେଖାଇବେ ସାଦର ସମ୍ମାନ । ଜାତୀୟ ଜୀବନେ ଏହି ପ୍ରଧାନ ଘଟନା, ସ୍ଥାନେ ସ୍ଥାନେ ଓଡ଼ିଆଏ କରିବେ ବନ୍ଦନା । (୫) ସୁସଭ୍ୟ ଇଂରେଜ ରାଜ-ପିତୃ ସୁଶାସନେ, ଶତ ବର୍ଷ ଅନ୍ତେ ଏବେ ଉତ୍କଳ ଭୂବନେ । ଫଳିଲା ପାଶ୍ଚାତ୍ୟ ଶିକ୍ଷା ସୁମଙ୍ଗଳ ଫଳ, ସମବେତ ଉଦ୍ୟମର ଅଦଭୁତ ବଳ । ସ୍ୱଦେଶ,ସ୍ୱଜାତି ହିତେ ସାଧୁ ସ୍ୱାର୍ଥତ୍ୟାଗ, ସ୍ୱସମାଜ ସ୍ୱଧରମେ ଗାଢ଼ ଅନୁରାଗ । ସୁସାହସେ ଦେଖାଇଲେ ଯେ ଉଚ୍ଚ ଆଦର୍ଶ, ଅନୁସରନ୍ତୁ ଉତ୍କଳେ ସର୍ବେ ପ୍ରତିବର୍ଷ ।