ଅବକାଶଚିନ୍ତା/ବ୍ରାହ୍ମଣ ସମିତି ଛାତ୍ରାବାସରେ ସମବେତ ଛାତ୍ରମାନଙ୍କ ପ୍ରତି

ଉଇକିପାଠାଗାର ରୁ
Jump to navigation Jump to search
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
ବ୍ରାହ୍ମଣ ସମିତି ଛାତ୍ରାବାସରେ ସମବେତ ଛାତ୍ରମାନଙ୍କ ପ୍ରତି

           
କହିଛନ୍ତି କବି ଯାକୁ ତପୋବନ
କର ଭାଇ ତାକୁ ସେ ନାମଭାଜନ ।
ଅଶାନ୍ତି ଅନୈକ୍ୟ ହିଂସା ଦ୍ୱେଷ ରୋଷ,
ଆଳସ୍ୟ କ୍ଷଦ୍ରତା ବୃଥା ଅସନ୍ତୋଷ ।
ବ୍ରହ୍ମବର୍ଚ୍ଚ ବଶେ ନ ପଶୁ ଏ ସ୍ଥଳେ,
ଜ୍ଞାନେ ଉଭାସିତ ହେଉ ଏ ଉଜ୍ଜ୍ୱଳେ ।
ପୁଣ୍ୟ ନୀଳାଚଳ ପୁଣ୍ୟତମ ସ୍ଥାନ,
ହୋଇ ଲଭୁ ସଦା ଲୋକରେ ସମ୍ମାନ ।
କର୍ମୀ ଧର୍ମୀ ଯୋଗୀ ପୁରୁଷ ପ୍ରସୂତୀ
ବୋଲି ଚଉଦିଗ ପ୍ରସରୁ ବିଭୁତି ।
ଶ୍ରେଷ୍ଠବଂଶ ତୁମ୍ଭେ ଲଭିଛ ଜନମ,
ବିଧିରେ ସମାଜେ ଆସନ ପ୍ରଥମ ।
ବାଣୀ-ଉପାସନା ତୁମ୍ଭ ଜାତିଧର୍ମ;
ସତ୍ୟାନୁସନ୍ଧାନ ପ୍ରିୟ ନିତ୍ୟକର୍ମ ।
ସ୍ୱାର୍ଥତ୍ୟାଗ ତୁମ୍ଭ ବଂଶ ବଡ଼ପଣ,
ରଖିବାକୁ ଭାଇ ଅଛି ଯେବେ ମନ ।
ଗଢ଼ ଏଥି ଦୃଢେ ଜୀବନ-ବୋଇତ,
କର ଆୟୋଜନ ଭବିଷ୍ୟତ ହିତ ।
ଭାରତ ଅର୍ଣ୍ଣବେ କି ଘୋର ତୋଫାନ,
ଦେଖି ଭାଇ ଆଗୁଁ ହୁଅ ସାବଧାନ ।
ବହେ ଅଣଚାଶ ପବନ କରାଳ,
ଉଠଇ ଉଚ୍ଚେଳ ଭୀମ ଊର୍ମ୍ମୀଜାଳ ।
କେତେ ଦୀପସ୍ତମ୍ଭ ନିମଗନ ଜଳେ,
କେତେ ଶତ ଶୈଳ ମିଶିଲେଣି ତଳେ ।
ଭାରତ ଜାତୀୟ-ଜୀବନ ତରଣୀ,
ପାଏ ନାହିଁ ଏବେ ସହଜ ସରଣୀ ।
ଜାତୀୟତା-ପୋତେ ଜୀବନ ବୋଇତ,
ଯୋଡ଼ବା ତ ପ୍ରତି ଜନର ବିହିତ ।
ପଡ଼ବ ହେବାକୁ ଏ ତୋଫାନେ ପାରି,
ହେବଟି କି ଭାଇ ପାରଗ କାଣ୍ଡାରୀ ?
ସେହିପରି ବଳ କର ଅରଜନ,
ଆଗହୁଁ ସେପରି କର ଆୟୋଜନ ।
ଭାରତବାସୀର ଧର୍ମବଳ ସାର,
ଧର୍ମ ବିନା ଆଜି ଏଡେ ଛାରଖାର ।
ଧର୍ମେ ପରା ଆଗେ ତୁମ୍ଭ ଅଧିକାର,
ସତ୍ୟ ଶୁଦ୍ଧ ଧର୍ମ କର ହେ ପ୍ରଚାର ।
ଦେଖାଅ ଜୀବନେ ଅଦ୍ଭୁତ ଶକତି,
କର୍ମେ ଅନାସକ୍ତି; ଧର୍ମେ ଦିବ୍ୟ ରତି ।
ପୂତ କର୍ମଭୂମୀ ଏ ଭାରତ ଧାମେ
ଆର୍ଯ୍ୟ ଅଭିମାନ କର କିମ୍ପା ନାମେ?
ପ୍ରେମେ ଆଲିଙ୍ଗନ କର ସର୍ବଜନେ,
ଉଛୁଳାଅ ପ୍ରେମ ଉଚ୍ଛ୍ୱାସ ଜୀବନେ ।
ତୁମ୍ଭ ଆଦରଶେ ଅନ୍ୟ ଯେତେ ଜାତି,
ଉଠିବେ ପଲକେ ସାଧୁ କାର୍ଯ୍ୟେ ମାତି ।
ସାନ ବଡ଼ପଣ ସିନା ଭାଗ୍ୟାଧୀନ,
ସେଥିଲାଗି ମନ ନ କର ମଳିନ ।
ସତ୍ୟ, ଶମ, ଦମ, ଶଉଚ, ତିତିକ୍ଷା,
ଏ ଆଦି ସକଳ ତୁମ୍ଭ କୁଳ-ଦୀକ୍ଷା ।
ଆଚରିଣ ତାହା ଜୀବନେ ନିରତେ,
ବ୍ରହ୍ମତ୍ୱର ତେଜ ପ୍ରକାଶ ଜଗତେ ।
ଲୋକହିତ ପ୍ରାଣ ପ୍ରଦାନ ପ୍ରବଣ,
ଦଧୀଚି ଶୋଣିତ କରିଛି ଧାରଣ ।
ଦିଅ ସ୍ୱାର୍ଥବଳି ଦେଖାଅ ସେ ତ୍ୟାଗ,
ଭାରତ ଜାତୀୟ ମହାଯାଗେ ଲାଗ ।
ବୀରେନ୍ଦ୍ର ଅଗ୍ରଣୀ କୃପ ଦ୍ରୋଣାଚାର୍ଯ୍ୟ,
ତୁମ୍ଭ ପୂର୍ବବଂଶ ନ କଲେ କି କାର୍ଯ୍ୟ ।
ପରଶୁ ପ୍ରଭାବେ ଦେବ ନିରଞ୍ଜନ,
କରିଣ ଦୁରନ୍ତ ନୃପତି ନିଧନ ।
ବିଶ୍ୱହିତେ କଲେ ଶୋଣିତ ତର୍ପଣ,
ସେ କଥା କି ଆଜି ନ ହୁଏ ସ୍ମରଣ?
ନିଜ ସୁଖ ଲାଗି ଜାତି ନୁହେ ହିନ୍ଦୁ,
ବିଶ୍ୱହିତେ ହିନ୍ଦୁ ପ୍ରତି ରକ୍ତବିନ୍ଦୁ ।
ଦେଖାଅ ଏ ସତ୍ୟ ଆପଣା ପରାଣେ,
ଦିଅ ଏହି ମନ୍ତ୍ର ସର୍ବ ବର୍ଣ୍ଣ କାନେ ।
ସର୍ବେ ଆମ୍ଭେ ଏକ ଈଶ୍ୱର-ସନ୍ତାନ,
ସାଧ ବିଶ୍ୱହିତ ତେଜି ଅଭିମାନ ।