ଅବକାଶଚିନ୍ତା/ଚନ୍ଦ୍ର

ଉଇକିପାଠାଗାର ରୁ
Jump to navigation Jump to search
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
ଚନ୍ଦ୍ର

<poem> (୧) ଆରେ ପୂର୍ଣ୍ଣ ନିଶାମଣି ଯେ କାଳେ ତୁ ନିଶିରାଣୀ ସଙ୍ଗେ କରୁ ପ୍ରିୟ ସମ୍ଭାଷଣ, କାହିଁ କିମ୍ପା ତୋ ଉତ୍ପତ୍ତ କଲା କେଉଁ ମହାମତି ଏ ତତ୍ତ୍ୱ ସକଳ ସଦା ଭାବଇ ମୋ ମନ, ଦେଖିଲେ ସେ କାଳେ ତୋର ବିମଳ ବଦନ । (୨) କେ କହେ ତୋର ଶରୀର ଧରିଛି ବହୁ ଭୁଧର, ବହୁ ଶତ ନିବିଡ଼ କାନନ, ନାହିଁ ତୋହର ପରାଣ, ଅଟୁ ତୁ ଧରା ସମାନ, ଅତି ସୁପ୍ରକାଣ୍ଡ ଏକ ବସ୍ତୁ ଅଚେତନ; ମାତ୍ର ଏ ବିଚାର କେବେ ନ କରେ ମୋ ମନ । (୩) ଯଥାର୍ଥ ଅଟୁ ତୁ କିସ? କହରେ ରଜନୀ ଈଶ, ନିସ୍ତବଧେ କି କରୁଛୁ ସାଧନ ? ହସୁଛୁ ଅତି ଆନନ୍ଦେ, ଏ ନିଶୀଥେ ମନ୍ଦେ ମନ୍ଦେ, ଅଂଶମାଳେ ବିମଣ୍ଡିଣ ସମସ୍ତ ଭୁବନ, ଏ ମହାଲକ୍ଷ୍ୟ କି କେବେ ଜାଣିବ ଏ ଜନ ? (୪) ଏ ଛାର ପାର୍ଥବ ଜନ କି ଛାର ଏହାର ଜ୍ଞାନ, ତୁହି ପୁଣି ସୁରଲୋକବାସୀ, ତୋ ନିଗୂଢ଼ ତତ୍ତ୍ୱମାନ, ବୁଝିବ କିଏ ଅଜ୍ଞାନ, ଶାନ୍ତମୟୀ ନିଶୀରାଣୀ ଯା ପାଦର ଦାସୀ, ଅନୁଗତ ଯାର ତାରା ଗ୍ରହ ରାଶି ରାଶି । (୫) ଚିତ୍ତେ ହୁଏ ଅନୁମତି, ଗାଉ ତୁ ବିଭୁ-ସଙ୍ଗୀତ; ପ୍ରକାଶିବା ପାଇଁ ଏ ଜଗତେ କର୍ତ୍ତାଙ୍କର ଅବସ୍ଥିତି କଲେ ଯେ ତୋର ଉତ୍ପତ୍ତି, ନିର୍ଜୀବ ବୋଲିଣ ତୋତେ ବୋଲିବି କେମନ୍ତେ ? ରହୁ ଏ ମୋ ମୂଢ଼ ମନ ତୋ ବିଭୁ-ସଙ୍ଗୀତେ ।