ଅବକାଶଚିନ୍ତା/ନୀରବ

ଉଇକିପାଠାଗାର ରୁ
Jump to navigation Jump to search
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
ନୀରବ

           

ନୀରବେ ପ୍ରସରେ କ୍ଷଣେ ଦିବ୍ୟ ଜ୍ୟୋତିଧାରା,
ନୀରବେ ଆକାଶେ ଉଦେ ରବି-ଶଶୀ-ତାରା,
ନୀରବେ ବଢ଼ଇ ତରୁଲତା-ମହୀଧର
ନୀରବ ନିଖିଳ ବିଶ୍ୱ ନିଗୂଢ଼ ମନ୍ତର ।

ମହା-କାଳ-ପାରାବାର ଅନନ୍ତ ଗରଭେ
ମିଶଇ ସମୟ-ସ୍ରୋତ ସତତ ନୀରବେ,
ନୀରବେ ଜଗତ କରେ ନିଜ କକ୍ଷେ ଗତି
ନୀରବ ନିଖିଳ ବିଶ୍ୱ ନିଗୂଢ଼ ଶକତି ।

ନୀରବେ ପ୍ରେମିକ ନେତ୍ରେ ଅଶ୍ରୁ ଢଳ ଢଳ,
ନୀରବେ ସରସୀ-ବକ୍ଷେ ହସେ ଶତଦଳ,
ନୀରବେ ନିରାଶ ହୃଦେ ବହେ ଦୀର୍ଘଶ୍ୱାସ,
ସୁଖେ ଦୁଃଖ ପରାଣର ନୀରବ ଆଶ୍ୱାସ ।

ତେବେ କିପାଁ ଚଉଦିଗେ ଚହଳ ଚିତ୍କାର,
କିପାଁଇ ମାବନ କରେ ଏତେ ଅପଚାର?
ଚାହିଁ ଅନ୍ତରୀକ୍ଷ, ଚାହଁ ଆପଣା ଅନ୍ତର,
ଶୁଣ ଶିଖ ସାଧ ସଦା ନୀରବ ମନ୍ତର ।