ଅବକାଶଚିନ୍ତା/ଗିରି ଶିଖେ ଲୟ ରଖି ଚାଲିବି ମୁକର

ଉଇକିପାଠାଗାର‌ରୁ
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
ଗିରି-ଶିଖେ ଲୟ ରଖି ଚାଲିବି ମୁକର

           
ଯେତେ ଦୂର ଯାଏ ଚାଲି
ଚଉପାଶେ ଖାଲି ବାଲି,
ନାହିଁ କାହିଁ ଶ୍ୟାମଶସ୍ୟ ନବଦୂର୍ବାଦଳ,
ନାହିଁ ଲତା, ନାହିଁ ତରୁ,
କେବଳ ଭୀଷଣ ମରୁ,
ଦୁଶେ ନାହିଁ କାହିଁ ଜଳ ଫୁଲ ଅବା ଫଳ ।
ସୁନୀଳ ସୁନ୍ଦର ଗିରି
ଧରି ଅନୁପମ ଶିରୀ
ଦିଶୁଥିଲା ଅଳ୍ପ ଦୂରେ ଚକ୍ରବାଳ ମୂଳେ
ଉଜ୍ଜ୍ୱଳ ତାରକାରାଶି
ଦିବ୍ୟ ଆଲୋକେ ବିଭାସି
ନିରନ୍ତର ଶୋଭୁଥିଲା ତାର ଚାରୁ ଚୂଳେ ।
ଭ୍ରମଣ ପ୍ରଥମ କ୍ଷଣେ,
ଭାବି ନ ଥିଲି ମୁଁ ମନେ,
ହେବ ବୋଲି ଏତେ ଦୂର ଏ ବିଷମ ପଥ,
କ୍ରମେ ବହିଯାଏ କାଳ
କ୍ରମେ ଘୁଞ୍ଚେ ଚକ୍ରବାଳ
ଶିଥିଳ ସେକତେ ଚଳେ ମୋର ମନୋରଥ ।
ଆଉ କେତେ ଦନ ଅନ୍ତେ
ଏ ଦୁସ୍ତର ବାଲିବନ୍ତେ,
ନ ଚଳିରହିବ ପାଦ ସିନା ଥକା ମାରି
ନ ଦେଖିବ ଜନ ଆଖି,
ଘୋର ପନ୍ତାବେ ଏକାକୀ
ଚାଲିଯିବ ସତେ ପ୍ରାଣ ବୃଥା ଘାରି ଘାରି ।
ଗଲେ ପଛେ ଯାଉ ଜୀବ
ଯାହା ହେବ ଦେଖାଯିବ
ହେଲେ ହେଉ ଯେତେ ଦୂର ଏ ଦୁର୍ଗମ ପଥ,
କହ କେଉଁ ମୂଢ଼ ଜନ
କରି ଥରେ ବିଲୋକନ,
ଏ ଅପୂର୍ବ ଦିବ୍ୟ ଦୃଶ୍ୟ ରହିବ ବିରତ?
ଅବସନ୍ନ ହେଲେ କାୟା,
ଆଶ୍ରିବି ଏ ଗିରି ଛାୟା,
ବାଲିଶେଯେ ଶୋଇବଇଁ ଯାଇ ଅଧେ ବାଟ,
ତାରକିତ ଗିରି-ଚୂଡ଼େ
ନିବେଶି ନୟନ ଦୃଢ଼େ
ଫେଡ଼ିବି ପରମ ସୁଖେ ହୃଦୟ-କବାଟ ।
ସୁଦୂର ସାଗର-ଗୀତି,
ଶ୍ରବଣେ ସ୍ୱର୍ଗୀୟ ପ୍ରୀତି,
ଲଭିଣ ମୋ ପ୍ରାଣ-ପକ୍ଷୀ ଉଡ଼ିଯିବ ଧୀରେ,
ଅନୁସରି ସେହି ଗାନ,
କରି ମନେ ଏକଧ୍ୟାନ
ଅବଶେଷେ ବସିବ ସେ ଗିରି ଉଚ୍ଚ ଶିରେ ।
ଦେଖି ଚନ୍ଦ୍ର-ଚାରୁ ଅଙ୍ଗ,
ଲିଭିବାକୁ ତାର ସଙ୍ଗ,
ଧାଇଁ ଧାଇଁ ପଥେ ଶଶା ଛାଡ଼ିଲା ପରାଣ,
କେତେ ଦୂରେ ନିଶାପତି,
କାହିଁ ବା ଶଶକ ଗତି,
ପାଇଲା ସେ ଅନ୍ତେ ପରା ସେହି ବକ୍ଷେ ସ୍ଥାନେ ।
ଶତ ଶଶୀ ବଳି ଶୋଭା,
କି ବିଚିତ୍ର ମନୋଲୋଭା,
କିପରି ଏହାର ଆଶା ଛାଡ଼ିବି ମୁଁ ନର,
ଗଲେ ପଛେ ଯାଉ ଜୀବ
ଯାହା ହେବ ଦେଖାଯିବ
ଗିରି ଶିଖେ ଲୟ ରଖି ଚାଲିବି ମୁକର ।