ଅବକାଶଚିନ୍ତା/ପଥିକ

ଉଇକିପାଠାଗାର‌ରୁ
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
ପଥିକ

           
ମୁଁ ତ ଚାଲୁଅଛି ମୋ କର୍ମ ଆଦରି
କିଏ ମୋତେ ଥରେ ଥରେ,
ରହ ରହ କ୍ଷଣେ ପଥିକ ବୋଲିଣ
ଆଶ୍ୱାସି ଡାକେ ସାଦରେ ।
ଏଣିକି ତେଣିକି ଚାହଁଇ ନିରେଖି
କେହି କାହିଁ ନ ଦିଶଇ,
ମୁହୂର୍ତ୍ତକ ଅନ୍ତେ ପୁଣି ସେହି ମତେ
କିଏ ସେ କାହୁଁ ଭାଷଇ ।
ମୁଁ ତ ଚାଲୁଅଛି ମୋ କର୍ମ ଆଦରି
କିଏ ମଧ୍ୟେ ଥରେ ଥରେ,
ଅତି ମନୋରମା ପୀରତି-ପ୍ରତିମା
ଉଭା ହୁଏ ମୋ ପଥରେ ।
କାହିଁ କେବେ ପରା ଏ ରୂପ-ମାଧୁରୀ
ଆସ୍ୱାଦି ତୋଷିଛି ପ୍ରାଣ,
ଭାବୁଁ ଏହିପରି ପଲକେ ସେ ଶିରୀ
ହୁଏ କାହିଁ ଅନ୍ତର୍ଦ୍ଧାନ ।
ମୋ ପଥ ତ ମରୁ, ନାହିଁ ଲତା ତରୁ,
ନାହିଁ ବାୟୁ, ନାହିଁ ଜଳ;
ତେବେ ବେଳେ ବେଳେ କାହୁଁ ବହିଆସେ
ଏ ଶୀତଳ ପରିମଳ?
ଏ ଗନ୍ଧ କାହାର ଅତି ଚମତ୍କାର
ନିମିଷେ ବିଚାରୁ ମନ,
ନାହିଁ ସେ ସୁବାସ ନିଶ୍ୱାସ ପ୍ରଶ୍ୱାସ
ନିରୋଧେ ଝଞ୍ଜା ପବନ ।
କାହୁଁ ଏ ଆଶ୍ୱାସ, କାହୁଁ ଏ ସୁବାସ,
କାହାର ଏ ରୂପକାନ୍ତି,
ଏ ବିଜନ ସ୍ଥଳେ ପ୍ରାଣେ ଏକାବେଳେ
ଦିଏ ସ୍ନିଗଧ ଶାନ୍ତି ଭ୍ରାନ୍ତି ।
ଅସରନ୍ତି ପାଟ ଏ ଦୁର୍ଗମ ବାଟ
ଚାହିଁଲେ ବୁଡ଼େ ଚେତନା,
କିଏ ବା ଚାଲନ୍ତା ନ ଲିଭିଲେ ଏହି
ସ୍ୱର୍ଗୀୟ ସ୍ନେହ ସାନ୍ତ୍ୱନା !
ନିରସ ଅନ୍ତରେ ନିର୍ଜନ ପ୍ରାନ୍ତରେ
କିଏ ଧରନ୍ତା ଜୀବନ,
ଯେବେ ମୂର୍ତ୍ତିମତୀ ପୂର୍ବ ପ୍ରୀତି ସ୍ମୃତି
ନ ଦିଅନ୍ତା ଦରଶନ?
ପବିତ୍ର ବାସନା କରନ୍ତେ ପ୍ରେରଣା
ହୃଦେ ଆସେ ନବ ବଳ,
କର୍ମପଥ ଶ୍ରମ ହରିବାକୁ ଆହା
କି ବିଚିତ୍ର କଉଶଳ !
ବିଭୁ ଆଶ୍ୱାସନା ପବିତ୍ର ବାସନା
ଶ୍ରଦ୍ଧା ସୁଧା ସ୍ନେହାନନା,
କର୍ମ ମହାପଥେ କରୁଛନ୍ତି ପାନ୍ଥେ
ସ୍ଥାନେ ସ୍ଥାନେ ଅଭ୍ୟର୍ଥନା ।
ତେବେ କର୍ମପଥେ ବ୍ୟର୍ଥ ମନୋରଥେ
ଘାରି ମୁଁ ହେବି କିପାଇଁ ?
ଏହି କିଏ କହେ ବାହ୍ୟେ କି ଅନ୍ତରେ
ଆଶ୍ୱାସିଣ ‘ନାହିଁ, ନାହିଁ ?