ଅବକାଶଚିନ୍ତା/ଶିବରାତ୍ରି

ଉଇକିପାଠାଗାର ରୁ
Jump to navigation Jump to search
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
ଶିବରାତ୍ରି

           
କରିଅଛି ଉପବାସ ପୂଜିବି ଶଙ୍କର,
ଜାଗର ଜାଳିଣ ହେବି ନିଶି ଉଜାଗର ।
କାହିଁ ଗଲେ ଦେଖିବି ସେ ସତ୍ୟ ଶିବ ରୂପ,
ନାଶିବି କି ଦୀପ ଜାଳି ଘୋର ତମ ସ୍ତୂପ?
ଉଜାଗର ରହିବାକୁ କାହିଁ ମୋର ବଳ,
କି ଦ୍ରବ୍ୟେ ପୂଜିବି ଅବା ସେ ପଦଯୂଗଳ?
ଏ ଜଡ ଜଗତେ କାହିଁ ଚିଦାନନ୍ଦ ତନୁ,
ବାହ୍ୟାଲୋକେ ଅନ୍ଧକାର ଯିବା କାହିଁ ମନୁ?
ରାତିକର ଉଜାଗରେ କିସ ପ୍ରୟୋଜନ?
ନିଦ୍ରାବିମୋହିତ ମୋର ସମସ୍ତ ଜୀବନ!
କାହିଁ ପାରିଜାତ କାହିଁ ଜାହ୍ମବୀର ଜଳ,
କାହିଁ ବା ଅମର ଧାମ ହେମ ଶତଦଳ ।
ଉପକରଣର ଲେଶ ନାହିଁ ଯେବେ ଭବେ,
ବ୍ରତ ଅନୁଷ୍ଠାନ କାହୁଁ କରିବେ ମାନବେ?
ସନ୍ଦେହେ ବ୍ୟାକୁଳ ଏ ମୋ ଦୁର୍ବଳ ପରାଣ,
ନିରାଶ ବିଷାଦେ ଏବେ ମଗ୍ନ ମୋର ଜ୍ଞାନ ।
ଅଶାନ୍ତି ଆବେଗେ ହୃଦ ହୁଏ ଆଲୋଡିତ,
ଘୋର ଅବିଶ୍ବାସ ତମେ ଚିତ୍ତ ବିଜଡିତ ।
ପ୍ରକୃତିର ଚାରୁବେଶ ନ ଦେଖେ ନୟନ,
ଭୀମ ମରୁ ସମ ଲାଗେ ସମସ୍ତ ଭୂବନ ।
ଅନ୍ତରୁ ନୀରବେ ଏବେ ହେଲା ଦିବ୍ୟବାଣୀ,
କିମ୍ପା ଅବିଶ୍ବାସେ ଜଡ଼ ହେଉ ମୂଢ଼ ପ୍ରାଣୀ ।
ଜଡ଼ ବୋଲି ଯାହା ତୋତେ ହିଅଇ ପ୍ରତିତ,
ନ ଜାଣୁ ତହିଁ କି ଶକ୍ତି ରହିଛି ନିହିତ ।
ଶକ୍ତି ବିନା ସତ୍ତା କେବେ ନୁହଇ ସମ୍ଭବ,
ତେଣୁ ସଦା ଶିବମୟ ଦେଖ ସର୍ବ ଭବ ।
ଦୂର ଦେବାଳୟେ ଯିବା ନାହିଁ ପ୍ରୟୋଜନ,
ନିଜ ଅଭ୍ୟନ୍ତର ଦେଖ ଫେଡିଣ ନୟନ ।
ହୃଦ-କପିଳାସେ ତୋର ବହେ ପ୍ରେମ-ଝର,
ବିଜେ କରିଛନ୍ତି ତହିଁ ସ୍ବୟମ୍ଭୂ ଶଙ୍କର;
ଶୁଚିମନ୍ତ ହୋଇ ନିତି ଜ୍ଞାନ-ଦୀପ ଜାଳି,
ଶୁଦ୍ଦ-ଭକ୍ତି-ରସ ଦିଅ ସେ ଶ୍ରୀପଦେ ଢ଼ାଳି ।
ଉଜାଗର ରହି କର ତାଙ୍କ ପ୍ରିୟ କର୍ମ,
ପାଇବାକୁ ବାଞ୍ଛା ଯେବେ ଶିବରାତ୍ରି-ଧର୍ମ ।
ସମସ୍ତ ଜୀବନ କର ଏକ ଶିବରାତ୍ରି,
ଅନ୍ଧାରେ ନ ହୁଡ଼ ପଥ ହେ ସ୍ବରଗ-ଯାତ୍ରି ।