ଅବକାଶଚିନ୍ତା/ପୁରୁଷୋତ୍ତମ ଦେବ

ଉଇକିପାଠାଗାର ରୁ
Jump to navigation Jump to search
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
ପୁରୁଷୋତ୍ତମ ଦେବ

ଅମିତ ବିକ୍ରମ ଶ୍ରୀ ପୁରୁଷୋତ୍ତମ “କ୍ଷେତ୍ରକୁଳ ଧୂମକେତୁ"
ତବ ନାମ ଆଜ ଉତ୍କଳ ସମାଜ ଜାତୀୟ ଗୌରବ ହେତୁ ।
ତୁମ୍ଭ ଯଶରାଶି ସାକ୍ଷୀରୂପେ ବସି ବକୁଳ-ବନ-ବିହାରୀ,
କରନ୍ତି ପ୍ରକାଶ ପୂର୍ବ ଇତିହାସ ସତ୍ୟବାଦୀ ବଂଶୀଧାରୀ ।
ଯୁଦ୍ଧ-ଅଭିଯାନ କରେ କବି ଗାନ ହେ ପ୍ରତାପୀ ଶତ୍ରୁଜେତା !
ତବ କାଞ୍ଚୀ ଜୟ ରଙ୍ଗେ ଅଭିନୟ କରେ ଏବେ ଅଭିନେତା ।
ଗାଏ ଜନଶ୍ରୁତି ଅତୁଳ ବିଭୁତି ଅନୁପମ ଭକ୍ତ ତବ,
ଯାର ବଳେ ନିଜେ ରଣେ ହେଲେ ବିଜେ ସୈନିକ ରୂପେ କେଶବ ।
ସତେ କି ନୃମଣି ଉତ୍କଳ-ଧରଣୀ ଥିଲା ଏଡେ ତେଜସ୍ୱିନୀ ,
ସତ୍ୟ କି ସକଳ ଅତୀତ ଉଜ୍ଜ୍ୱଳ ଓଡ଼ିଆ ଗର୍ବକାହାଣୀ ।
ଏକଛତ୍ର ତଳେ ଏକତାର ବଳେ ଜିଣିଲା ଦିନେ ଯେ ଦେଶ,
ସ୍ୱାର୍ଥ ଅଭିମାନେ ଆଜି ତା ସନ୍ତାନେ କରନ୍ତି ସୋଦର-ଦ୍ୱେଷ ।
ଦେଖି ଏ ଦୁର୍ଗତି ହୁଏ କି ପ୍ରତୀତି ଉଡାଇ ବିଜୟ ଧ୍ୱଜା,
ଉତ୍କଳ କୁମରେ ଦେଶ ଦେଶାନ୍ତରେ କମ୍ପାଇଲେ ଶତ୍ରୁ-ମଜ୍ଜା ।
କୃଷ୍ଣା ଗୋଦାବରୀ ଉତ୍ତୁଙ୍ଗ ଲହରି ଉଛୁଳିଥିଲା ଯେ ନାଦେ ,
ସେ ଶଙ୍ଖ ମହୁରୀ ଶିଙ୍ଗା ଭେରୀ ତୁରୀ ନିଃଶଦ୍ଦ କି ଅବସାଦେ ?
ନ ରହିବ କେହି ଚିର ଦୁଃଖ ସହି ବିଧିର ସୃଷ୍ଟି-ବିଧାନ ,
ବାଜୁ ତେବେ ଢକ୍କା ତୁଟୁ ହୁଦୁଁ ଦକା ଜାଗୁ ଉତ୍କଳ-ପରାଣ ।।