ଅବକାଶଚିନ୍ତା/ଅନଙ୍ଗଭୀମ ଦେବ

ଉଇକିପାଠାଗାର ରୁ
Jump to navigation Jump to search
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
ଅନଙ୍ଗଭୀମ ଦେବ

ଭୀମ ପରାକ୍ରମ ହେ ଅନଙ୍ଗଭୀମ ! କିପରି ଯିବି ପରତେ,
ରାଜ-ସିଂହାସନ ରାଜିଥିଲ ଦିନେ ବିଶାଳ ଉତ୍କଳ ସତେ ।
ସତେ କି ହେ ଛାମୁ ଅଗଣିତ ଚମ୍ପୁ ପଲକେ ହୋଇଣୁଳ,
ବୀର ଦର୍ପଭରେ ଅରାତି-ଅନ୍ତରେ କରୁଥିଲ ଶଙ୍କାକୁଳ ?
ଏ କି ସେ ଉତ୍କଳ ଯାର ଉର୍ଜ୍ଜ୍ୱସ୍ଥଳ ବିନ୍ତ୍ରମୀ ବିରାଟ ଥାଟ,
ଜାତି ଗଉରବେ ଜିଣିଲେ ଆହବେ ଦୂର ଗଉଡ଼ କର୍ଣ୍ଣାଟ ।
ଥିଲା କି ହେ ଦିନ ଯେବେ ପ୍ରଜାଗଣ ପିତୃତୁଲ୍ୟ ସୁଶାସନେ,
ଧନ ଜ୍ଞାନ ବଳ ଅର୍ପିଲେ ସକଳ ସ୍ୱଧର୍ମ୍ମ ଶ୍ରେୟଃ ସାଧନେ ।
ମିଥ୍ୟା ବୋଲି ଅବା କେମନ୍ତେ ବୋଲିବା ଦେଖୁ ଏବେ ନିଜ ନେତ୍ର,
ଧରି ଦର୍ପ ଦମ୍ଭ ତୁମ୍ଭ କିର୍ତ୍ତି-ସ୍ତମ୍ଭ ରାଜେ ନୀଳାଚଳ କ୍ଷେତ୍ରେ ।
ନୀରବ ତାଡ଼ନା ପବିତ୍ର ପ୍ରେରଣା ଦିଏ ନିଷ୍ପନ୍ଦ ଉତ୍କଳେ,
ଅତୀତ ବିଭୁତି ଗଉରବ ସ୍ମୃତି ଜଗାଏ ହୃଦେ ଉଜ୍ଜ୍ୱଳେ ।
ସ୍ମୃତି ବଳେ କୃତୀ ହୋଇ କେତେ ଜାତି ଜଗତେ ଟେକନ୍ତି ମଥା,
କିମ୍ପା ସେ ବିଧାନ ପୁରାଣ-ପ୍ରଧାନ ଉତ୍କଳ ପକ୍ଷେ ଅନ୍ୟଥା?
ଉଠ ହେ ଉତ୍କଳୀ ଜଡ଼ତା-ଶିକୁଳି ପିଙ୍ଗିଣ ଦୂରେ ବହନ,
ଅମର ଭୁବନୁଁ ଶ୍ରୀ ଅନଙ୍ଗଦେବ କରୁଛନ୍ତି ଆମନ୍ତ୍ରଣ ।
କର୍ଣ୍ଣ ଡେରି ଶୁଣ ସେ ଦିବ୍ୟ ଆହ୍ୱାନ ସ୍ମର ପୂର୍ବ ଯଶ ବାରେ,
ପୂର୍ବ ବଂଶ ନାମେ ଶ୍ରୀ ଅନଙ୍ଗଭୀମେ ପୂଜ ସୌର୍ଯ୍ୟ ଉପହାରେ ।