ଅବକାଶଚିନ୍ତା/ସାରଳା ଦାସ

ଉଇକିପାଠାଗାର ରୁ
Jump to navigation Jump to search
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
ସାରଳା ଦାସ

ତପସ୍ବୀ ସତ୍ତମ ଭକ୍ତ ଅନୁପମ
ହେ ଭାରତୀ ଜ୍ୟେଷ୍ଠ ସୁତ ,
ତବ ପରସାଦେ ସାହିତ୍ୟ-ସମ୍ପଦେ
ଆମ୍ଭେ ସର୍ବେ କୃତକୃତ୍ୟ ।
ଭାଷା ଆଦି କାଳେ ଅନ୍ଧାର ଉତ୍କଳେ
ସମୁଜ୍ଜ୍ବଳ ନବ ରବି,
ପଣ୍ଡିତେ ପାଷଣ୍ଡେ ହାଟେ ବାଟେ ଦାଣ୍ଡେ
ଦେଖାଇଲ ଦିବ୍ୟ ଛବି ।
ମହା ଜଟିଳ ବିଚାର
ଧର୍ମ୍ମନୀତି ରାଜନୀତି;
ଦୈବ ବଳେ କଲ ସୁନ୍ଦର ସରଳ
ଶିଶୁକଣ୍ଠ ଗେୟ ଗୀତି ।
ଓଜ ତେଜ ବଳ ଶକତି ଅତୁଳ
ପୂରିଛି ପଦ ବନ୍ଧେ,
ଭାବଗାମୀ ଭାଷା କଲ ମହାଯଶା
ବାନ୍ଧି ନୋହି ଛନ୍ଦୋବନ୍ଧେ ।
ତୁମ୍ଭ ବୀରବାଣୀ ସଂଗ୍ରାମ-କାହାଣୀ
ଶ୍ରବଣେ ଆଜି ଉତ୍କଳେ,
ଚିର ପରାଧୀନ କ୍ଷୀଣ ଜଡ ପ୍ରାଣ
ଜାଗେ କ୍ଷଣ ନବବଳେ ।
ତୁମ୍ଭ ଗୀତେ ସିନା ଶକ୍ତିଶାଳୀ ସେନା
ହୋଇଣ କୃଷକପନ୍ତି,
ଜିଣି ଶତ୍ରୁଗଣେ ଉଡାଇଲେ ରଣେ
ଉତ୍କଳର ବୈଜୟନ୍ତୀ ।
ଉଠ ଶୂଦ୍ରମୁନୀ କେତେ କାଳ ତୁନୀ
ହୋଇ ରହିଥିବ ଆଉ,
ଭାରତ ଢଇଳେ ନବ ଜ୍ଞାନ-ଦୀପ୍ତ
ଜଳୁ ଥରେ ଦାଉ ଦାଉ ।
ଉଠୁ ଘରେ ଘରେ ଅକୁଣ୍ଠିତ ସ୍ବରେ
ସ୍ବାଧୀନ ସଙ୍ଗୀତ-ଧ୍ବନି,
ଗାଆନ୍ତୁ ଉତ୍କଳେ ବୃଦ୍ଧ ଯୁବା ବାଳେ
“ ଜୟ ଭାରତ ଜନନୀ " ।

<।center>