Jump to content

ଅବକାଶଚିନ୍ତା/ବଳରାମ ଦାସ

ଉଇକିପାଠାଗାର‌ରୁ
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
ବଳରାମ ଦାସ

କି ମଧୁର ନାମ ଭକ୍ତ ବଳରାମ
ଉତ୍କଳବାସୀ-ଶ୍ରବଣେ;
ସାହିତ୍ୟ-ସଂସାରେ କଠୋର ସାଧକ
କାହିଁ ତୁମ୍ଭ ପରି ଜଣେ?
ବାଲମିକ ବ୍ୟାସ ଅନ୍ତର-ଉଚ୍ଛ୍ବାସ
ଯମୁନା ଜାହ୍ନବୀ ପରି,
ପ୍ରୟାଗ ପରାଏ ଏକାଧାରେ କିଏ
ପାରେ ତୁମ୍ଭ ବିନେ ଧରି।
ଗୀତା ଗୂଢ ବାଣୀ ଲୋକରେ ବଖାଣୀ
ପଚାରିଲ ତତ୍ତ୍ବ ଜ୍ଞାନ,
ଧର୍ମ୍ମ ସାଧାରଣ କରିବା କାରଣ
କଲ ଆନ ଗୀତାମାନ।(୧)
କମଳ ଲୋଚନ କୋମଳ ବଚନ
ଶିଶୁମୁଖେ ଜିଣେ ବୀଣା,
ବୃଦ୍ଧ ଯୁବା ଯୋଗୀ ଭକ୍ତ ଅନୁରାଗୀ
ସର୍ବେ ତବ ପଦେ କିଣା।
ଦୁର୍ଲ୍ଲଭ ସଂସ୍କୃତ ଭାଣ୍ଡେ ଯେ ଅମୃତ
ରଖିଗଲେ ବାଲମୀକି,
କେବଳ କୋବିଦ ପାଇଲେ ଆସ୍ବାଦ
ମିଲିଲା ନାହିଁ ସଭିଙ୍କି।
ପତିତ ପାଷଣ୍ଡ ମୂଢ ମୂର୍ଖ ଗଣ୍ଡ
ତୋଷିବାକୁ ମନେ ଭାଳି,
ମୃତ୍ତିକା ଆଧାରେ ଦେଲେ ଦ୍ବାରେ ଦ୍ବାରେ
ରାମାୟଣ ସୁଧା ଢାଳି।
ହିଏ ମୋ ପ୍ରତୀତି ନୀଳାଚଳପତି
ଭକତ-ବନ୍ଧୁ ଠାକୁର,
ଉତ୍କଳ-କଲ୍ୟାଣେ ଯୁଦ୍ଧ-ଅଭିଯାନେ
ଜିଣିଲେ ଯେ କାଞ୍ଚିପୁର।
କବି ରୂପେ ପୁଣି ଅବତରି ବେନି (୨)
ଜଗନ୍ନାଥ, ବଳରାମ,
ଧର୍ମ୍ମ-କର୍ମ୍ମ-ଦୀକ୍ଷା ସାହିତ୍ୟ ସୁଶିକ୍ଷା
ପ୍ରଚାରି ରଖିଲ ନାମ।
ଏବେ ନୀଳାଚଳେ ରହିଛ ନିଶ୍ଚଳେ
ଦେଖି ଏ ଦଶା କିପରି?
ଛାଡିଣ ଆସ୍ଥାନ ଆସ ଆର୍ତ୍ତତ୍ରାଣ!
ଚଳାଅ ଉତ୍କଳ-ତରୀ।