ଅବକାଶଚିନ୍ତା/ଭକ୍ତ କବିବର ଶ୍ରୀ ଜଗନ୍ନାଥ ଦାସ

ଉଇକିପାଠାଗାର ରୁ
Jump to navigation Jump to search
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
ଭକ୍ତ କବିବର ଶ୍ରୀ ଜଗନ୍ନାଥ ଦାସ

ଉତ୍କଳର ବ୍ୟାସ ଜଗନ୍ନାଥ ଦାସ
ବିଷ୍ଣୁ ଅଂଶେ ଅବତାର,
ଭକତ-ପ୍ରଧାନ ଗୂଢ ଦିବ୍ୟ ଜ୍ଞାନ
କଲ ସ୍ବଦେଶେ ପ୍ରଚାର ।
ବେଦ-ମହୋଦଧି ବ୍ୟାସ ତପୋନିଧି
ମନ୍ଥି ଯେ ତତ୍ତ୍ବ ସକଳେ,
ଉଦ୍ଧରି ପୁରାଣେ ନାନା ଉପାଖ୍ୟାନେ
ପ୍ରକାଶିଥିଲେ ସରଳେ ।
ସଂକ୍ଷିପ୍ତ ସଂସ୍କୃତି ଅମୁଲ୍ୟ ଆଧାରେ
ଥିଲା ସେ ଅମିୟ ରସ,
ସର୍ବେ ଦୁଃଖୀ ଧନୀ ପଣ୍ଡିତ ଅଜ୍ଞାନୀ
ନ ପାଇଲେ ସମ ଅଂଶ ।
ତେଣୁ ବାରସ୍କନ୍ଧ ପ୍ରାକୃତ ପ୍ରବନ୍ଧ
ଗୀତେ କଲ ପରକାଶ,
ଥିବାଯାଏ ଭାଷା ଗାଇବ ଓଡ଼ିଶା
“କହେ(କହଇ) ଜଗନ୍ନାଥ ଦାସ " ।
ନୃପତି-ନବରେ କୃଷକ-କୁଟୀରେ
ଆଜି ଉଠେ ତୁମ୍ଭ ନାମ,
ଦିନ ଅବସାନେ ଶ୍ରମକ୍ଳାନ୍ତ ଜନେ
ଦେଉଛ ଶାନ୍ତି ଆରାମ ।
ବ୍ରାହ୍ମଣ ଚଣ୍ଡାଳ ପ୍ରେମେ ଏକମେଳ
ଧର୍ମ୍ମଭାବେ ହୋଇ ମତ୍ତ,
ବିପଦେ ସମ୍ପଦେ ଗାଆନ୍ତି ଆନନ୍ଦେ
ସ୍ଥାନେ ସ୍ଥାନେ ଭାଗବତ ।
ସୁକବି ପ୍ରଶଂସା ପାଇବାକୁ ଆଶା
ମନରେ ନ ଥିଲ ପୋଷି,
ତଥାପି ଉତ୍କଳ ଭାବି କବିକୁଳ
ହେବେ ତୁମ୍ଭ ନାମ ଘୋଷି ।
ତୁମ୍ଭ ସମାଧିରୁ ଆହେ କବିଗୁରୁ!
କେତେ ଦାର୍ଶନିକ କବି,
ଜନମିଣ କାଳେ ଉତ୍କଳ-ସାହିତ୍ୟେ
ଦେବେ ନବ ନବ ଛବି ।
କେତେ ଧର୍ମ୍ମବୀର ଦେବେ ନିଜ ଶିର
ସ୍ବଦେଶ ସ୍ବଧର୍ମ୍ମ ହିତେ ,
ଅସଂଖ୍ୟ ନାସ୍ତିକ ହୋଇବେ ପ୍ରେମିକ
ତୁମ୍ଭ ମଧୁମୟ ଗୀତେ ।