Jump to content

ଅବକାଶଚିନ୍ତା/ରେଭେନ୍ସା କଲେଜରୁ ବିଦାୟ

ଉଇକିପାଠାଗାର‌ରୁ
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
ରେଭେନ୍ସା କଲେଜରୁ ବିଦାୟ

<poem> ସତେ ଆଜି ଜନନି ! ଏ ଅଧମ ତନୟ ସଂସାର-ଘଟନା-ବଳେ ଭାସି ଶୋକ ଦୁଃଖ ଜଳେ ଛାଡ଼ିଲା ତୁମ୍ଭର ଚାରୁ ଅଙ୍କ ମଧୁମୟ, ନିଃସହାୟେ ଲୋଡ଼େ ଏବେ ସଂସାରେ ଆଶ୍ରୟ । ସଂସାର ବିଷମ ସ୍ଥାନ ନାହିଁ ଜ୍ଞାନ, ନାହିଁ ଧ୍ୟାନ, ଅଜ୍ଞାନେ ସକଳେ ଏଥି ସତତ ଚଞ୍ଚଳ, ତୋ କୋଳ ସମାନ ନାହିଁ ଶାନ୍ତିମୟ ସ୍ଥଳ । କେତେ ଦିବ୍ୟ ଭାବରାଶି ମୋ ହୃଦ-ତରଙ୍ଗେ ଭାସି ଯାଉଥିଲା ଥିଲା ଯେବେ ତୋର କୋଳେ ଭୋଳେ, ସେସବୁ ରହିବ ଟିକି ଏବେ ଭବରୋଳେ ? ତୋ ମନୋହର ଉଦ୍ୟାନେ ନିକାଞ୍ଚନେ ଏକଧ୍ୟାନେ ଚନ୍ଦ୍ରାଲୋକେ ବିହରିଣ ପୁଷ୍ପ ବନ୍ଧୁ ମେଳେ ଦେଖିଛି ଅପୂର୍ବ କେତେ ଚିତ୍ର ବେଳେ ବେଳେ । ଦେଲେ ଏ ଯେ ନରଦେହ ଥିଲେ କରିଥାନ୍ତେ ସ୍ନେହ ସ୍ୱପ୍ନେ ଦିନେ ଦେଖି ନାହିଁ ତାଙ୍କ ସୁଧାମୁଖ, ଆଜନମ କାଳୁ ମୋର ଚିର ସଖା ଦୁଃଖ । କି ମୋ ମନ-ନୟନ କରି ମାତ! ଉନ୍ମୀଳନ ଚଖାଇଚ ମୋତେ ଯେଉଁ ସାମାନ୍ୟ ଅମୃତ, ଆମରଣ ତହିଁ ଯୋଗେ ହେବି କୃତକୃତ୍ୟ । ଥଲେ ଯହିଁ ତହିଁ ମାତ! ଅଜ୍ଞାତ କି ଅବା ଖ୍ୟାତ ଜାଗ୍ରତ ମୋ ମନେ ତୁମ୍ଭ କଥା ନିତି , ହୁଏ ଯେଡେ ବର୍ଷୀୟାନ୍ ଥିବ ତୁମ୍ଭ ପଦେ ଧ୍ୟାନ ତୁମ୍ଭ ହିତେ ଜନନୀ ଗୋ ! ଲଭିବଇ ପ୍ରୀତି । ପୂର୍ବେ ଉଇଁ ଦିବାକର କ୍ରମେ ଉଠେ ଯେତେ ଦୂର ବଢ଼ଇ ମମତା ତେତେ ଶୈଶବ ସଦନେ । ଅସ୍ତାଚଳ ଶିରଦେଶେ ପରିବେଶି ଦିବାଶେଷେ ପରଶେ ସ୍ଥବିର କରେ ପୂର୍ବାଶା ଚରଣେ । ଶିଖାଇଛ ଯେଉଁ ଶିକ୍ଷା ଦେଇଅଛ ଯେଉଁ ଦୀକ୍ଷା ନିରନ୍ତର ପ୍ରତିଫଳୁ ତାହା ମୋ ଜୀବନେ, ଏହି ଭିକ୍ଷା ଅକିଞ୍ଚନ କରେ ଶ୍ରୀଚରଣେ ।