ଅବକାଶଚିନ୍ତା/ମୋ ନାନୀ

ଉଇକିପାଠାଗାର ରୁ
Jump to navigation Jump to search
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
ମୋ ନାନୀ

<poem> ଆବାଲ୍ୟ ବିଧବା ଆହା ! କେବେ ମାତ୍ର ବାରେ ଭୋଗି ନାହିଁ ଦିବ୍ୟ ଶୁଦ୍ଧ ଦାମ୍ପତ୍ୟ-ପ୍ରଣୟ, ପର ସେବାବ୍ରତେ ନିଜ ଜୀବନ ସଞ୍ଚୟ ବ୍ୟୟ କରିବାକୁ ତବ ଜନ୍ମ ଏ ସଂସାରେ । ସଦା ସମଭାବ ତବ ଭିତରେ ବାହାରେ, ପର ଲାଗି ଆଲୋଡ଼ିତ ସତତ ହୃଦୟ, ଆଜୀବନ ତେଜି ନିଜ ସୁଖ ସମୁଚ୍ଚୟ, ସୁଧା ସମ ମାତୃଭାବ ମିଳେ ତୁମ୍ଭଠାରେ । ସଦାଶୟା ସ୍ନେହମୟୀ ପରମପାବନୀ, ଜୀବନ ମହତ ଲକ୍ଷ୍ୟ ସାଧୁଛ ଗୁପତେ, ତୁମ୍ଭ ରୀତି ଆଚରିଲେ ସକଳ କାମିନୀ, ଓହ୍ଲାଇ ଆସନ୍ତା ସ୍ୱର୍ଗ ଏ ମର୍ତ୍ତ୍ୟ ଜଗତେ । ତୁମ୍ଭର ନିଷ୍କାମ ସ୍ନେହ ସଦା ଥିବ ମାନି, ଯହିଁ ଥିଲେ ସ୍ମରୁଥିବି ନିତି " ନାନୀ, ନାନୀ "