Jump to content

ଅର୍ଘ୍ୟଥାଳୀ/ଖଦ୍ୟୋତର ଖେଦ

ଉଇକିପାଠାଗାର‌ରୁ
ଅର୍ଘ୍ୟଥାଳୀ
ଲେଖକ/କବି: ଗଙ୍ଗାଧର ମେହେର
ଖଦ୍ୟୋତର ଖେଦ


ଖଦ୍ୟୋତର ଖେଦ
ଲେଖକ/କବି: ଗଙ୍ଗାଧର ମେହେର


 
ଖେଦେ କହେ ଖଦ୍ୟୋତ ମୁଁ ଅତି କ୍ଷୁଦ୍ର ଜୀବ
କି ବିଚାରି ପକ୍ଷ ମୋତେ ଦେଇଛି ଦଇବ,

ରଜନୀରେ ଉଡ଼େ ଲୁଚି ଉପବାସ ଡରେ
ଅବା ଦୂରେ ବସିଥାଏଁ ପାଦପ ପତରେ ।

ଅଙ୍ଗେ ମୋର ଜ୍ୟୋତି ଥିବା ନାହିଁ ମୋତେ ଜଣା,
ନ ଚାହେଁ ମୁଁ ଜ୍ୟୋତିଷ୍କରେ ହେବା ପାଇଁ ଗଣା ।

ତଥାପି ମାନବେ ମୋତେ ଉପହାସ କରି
ବୋଲନ୍ତି ଖଦ୍ୟୋତ କାହିଁ ହେବ ଚନ୍ଦ୍ରସରି ?

କାହିଁ ଚନ୍ଦ୍ର, ମିଳେ ତାଙ୍କୁ ପ୍ରଭାକର କର,
ମୋ’ ଜ୍ୟୋତିକଣିକା ନିଜ କ୍ଷୁଦ୍ର ଜୀବନର,

କରି ନ ଜାଣଇ ପରଧନେ ଅଭିମାନ,
କେମନ୍ତେ ପାରିବି ହୋଇ ଚନ୍ଦ୍ରମା ସମାନ ?

ନ କର ମାନବେ କ୍ଷୁଦ୍ର ଜୀବେ ଉପହାସ,
ନିଜର ଜୀବନ-ଜ୍ୟୋତି କର ପରକାଶ ।

    •••