ଅର୍ଘ୍ୟଥାଳୀ/ଜ୍ୟେଷ୍ଠ ଜାତିର ଅପକର୍ମର ପରିଣାମ
ଦେଖଣା
ଜ୍ୟେଷ୍ଠ ଜାତିର ଅପକର୍ମର ପରିଣାମ
ଲେଖକ/କବି: ଗଙ୍ଗାଧର ମେହେର
ଯେତେବେଳେ ଜ୍ୟେଷ୍ଠ ଜାତି ହୋଇ ଦୁରାଚାର
କନିଷ୍ଠ ଉପରେ କରେ ନାନା ଅତ୍ୟାଚାର;
ଧର୍ମାଧର୍ମ ନ ବିଚାରି ଦେଖାଏ ସ୍ୱବଳ,
ସ୍ୱାର୍ଥସିଦ୍ଧି ପାଇଁ ସୃଜେ ବିବିଧ କୌଶଳ,
ଈଶ୍ୱରେ ନ ଗଣି ମଣେ ନିଜକୁ ଈଶ୍ୱର
ବିସ୍ମରେ ଜୀବନେ ହିତସାଧନ ବିଶ୍ୱର,
ପର-ଦୁଃଖ ପର-ତାପ ନ କରି କଳନା
ପ୍ରତାପ ଦେଖାଏ ତାର ଅଦ୍ଭୁତ ଛଳନା,
ନିଜ ସୁଖବୃଦ୍ଧି ପାଇଁ କରି ଯତନ,
ଘୃଣାରେ ନ ଛୁଏଁ ଚାହିଁ କନିଷ୍ଠ ପତନ,
ତେତେବେଳେ ହରାଏ ତା’ ଜ୍ୟେଷ୍ଠତା ଗୌରବ,
କନିଷ୍ଠର ଧର୍ମବଳେ ପାଏ ପରାଭବ।
ଏହି ରୂପେ ପୂର୍ବଦେବ ପୁଣ୍ୟଜନମାନେ
ଅପଧର୍ମେ ଘୃଣ୍ୟ ହେଲେ ରାକ୍ଷସାଭିଧାନେ ।
•••