ଅର୍ଘ୍ୟଥାଳୀ/ପରିଶ୍ରମ
ପରିଶ୍ରମ
ଲେଖକ/କବି: ଗଙ୍ଗାଧର ମେହେର
ଅବନୀଗରଭେ ରହିଛି ପୂରି ପ୍ରଚୁର ଜଳ
ତେତେ ବାହାରିବ ଖୋଳିବ ଯେତେ ପ୍ରକାଶି ବଳ ।
ସେହି ଜଳ ଆଣି ପ୍ଳାବିତ କଲେ ଅବନୀ ଉର,
ଫଳ ମୂଳ ଶାକ ଅଳପ ବୀଜେ ମିଳେ ପ୍ରଚୁର ।
ପରିଶ୍ରମ କରି ଅଧିକ ଅଳ୍ପ ଭୂମିରେ ମାଳୀ,
ବାର ମାସ ନିଜ କୁଟୁମ୍ବ ନିଏ ସ୍ୱଚ୍ଛନ୍ଦେ ପାଳି ।
ବହୁ ଭୂମି ଥାଇ କୃଷକ ହୋଇ ଶ୍ରମବିମୁଖ,
ଇନ୍ଦ୍ରେ ଦୋଷ ଦେଇ ସଲିଳ ବିନା ଲଭଇ ଦୁଃଖ ।
ଇନ୍ଦ୍ରଦତ୍ତ ଜଳ ଯତନେ ପୁଣି ରଖଇ ନାହିଁ,
ଜଳାଭାବ ବେଳେ ସତୃଷ୍ଣେ ଥାଏ ଶୂନ୍ୟକୁ ଚାହିଁ ।
ଅଳସ ଲୋକର ପାଶକୁ ନ ପଶଇ ସମ୍ପଦ,
ମଧୁ ଆସି ମୁଖେ ନ ପଶେ ଶୋଇଥିଲେ ଷଟ୍ପଦ
ଦେଶ ଦଶାନ୍ତର ବିଚରି ପକ୍ଷୀ ପୋଷେ ଉଦର,
କ୍ଷୁଧାରେ ମରଇ ଅଳସ ତେଜି ନ ପାରି ଘର ।
ବାୟା ବିହଙ୍ଗମ କରଇ କେଡ଼େ ସୁନ୍ଦର ବସା,
କୁଟୀର ଅଭାବେ ଅଳସ ଭୁଞ୍ଜେ ଘୋର ଦୁର୍ଦ୍ଦଶା ।
ଘାସ ଖାଇ ପଶୁ ସତତ ନରେ ସାହାଯ୍ୟ କରେ,
ଓହୋ କି ବିଚିତ୍ର ତଥାପି ନର ଉପାସେ ମରେ !
ନରକୁ ଦଇବ ଜଗତେ ଅଛି କିସ ନ ଦେଇ ?
ଦ୍ୱାରେ ଦ୍ୱାରେ ବୁଲି ତଥାପି ବୋଲେ ସେ ଦେହି ଦେହି ।
ନିଜ ନିଜ ପେଟ ପୋଷନ୍ତି କୀଟପତଙ୍ଗଗଣ,
ପେଟ ପାଇଁ ନର ଭିକାରି ଧରେ ପର ଚରଣ ।
•••