Jump to content

ଅର୍ଘ୍ୟଥାଳୀ/ବିଦ୍ୟାରତ୍ନଙ୍କ ହିତୈଷିଣୀ

ଉଇକିପାଠାଗାର‌ରୁ
ଅର୍ଘ୍ୟଥାଳୀ
ଲେଖକ/କବି: ଗଙ୍ଗାଧର ମେହେର
ବିଦ୍ୟାରତ୍ନଙ୍କ ହିତୈଷିଣୀ


ବିଦ୍ୟାରତ୍ନଙ୍କ ହିତୈଷିଣୀ
ଲେଖକ/କବି: ଗଙ୍ଗାଧର ମେହେର



ଶରତ ସମୟେ ସରେ ସାରସ କାନନ
ଚାହୁଁଥିଲା ଟେକି ନବ ପ୍ରଫୁଲ୍ଲ ଆନନ ।
ଆହ୍ଳାଦିତ ହେଉଥିଲେ କୁମୁଦ କହ୍ଳାର,
ଅଳିକୁଳ ତୋଳୁଥିଲେ ମଧୁର ମହ୍ଳାର ।
ରାଜହଂସକୁଳ ତହିଁ ହୋଇ ନବାଗତ
ପ୍ରୀତ ହେଉଥିଲେ ଲଭି ସାରସ ସ୍ୱାଗତ ।
ଅରୁଣ ବରଣ ଭାଇ କାରଣ୍ଡବଗଣ
ତରୁଣ ବୟସେ କରୁଥିଲେ ବିଚରଣ ।
ଜ୍ୟୋତିଷ୍କମଣ୍ଡଳ ପ୍ରଭା କରି ଷୋଳପଣ
ହର୍ଷେ ଦେଖୁଥିଲେ ସ୍ୱଚ୍ଛ ସରସୀ ଦର୍ପଣ ।
ବିଗତ ବରଷାକାଳ କୀର୍ତ୍ତିଧ୍ୱଜ ପରି,
ଖଣ୍ଡ ଖଣ୍ଡ ଅଭ୍ର ଥିଲେ ଶୁଭ୍ର କାନ୍ତି ଧରି ।
ଶାରଦୀୟ ସ୍ୱର୍ଣ୍ଣବର୍ଣ୍ଣ ପକ୍ୱ ଧାନ୍ୟ ବହି
ଅନ୍ନପୂର୍ଣ୍ଣାରୂପେ ଶୋଭା ପାଉଥିଲା ମହୀ ।
‘ବୁଧହଂସ କେଳିସର’ ଦେବଦୁର୍ଗ ଧାମେ
ଜନମିଲା ସୁପତ୍ରିକା ‘ହିତୈଷିଣୀ’ ନାମେ ।
ଶାପଭ୍ରଷ୍ଟ ଦେବ ଥିଲେ ନରେନ୍ଦ୍ର ସୁଢ଼ଳ,
କୀରତି-ଉଦ୍ୟାନେ ତାଙ୍କ ଅନେକ ସୁଫଳ ।
ତାଙ୍କ ସେ ଉଦ୍ୟାନେ ପାଇ ସମାଦରେ ସ୍ଥାନ
ବଢ଼ିଗଲା ପତ୍ରିକାର ଅତୁଳ ସମ୍ମାନ ।
ନୀଳମଣି ବିଦ୍ୟାରତ୍ନ ବହୁଗୁଣାଧାର
ନରେନ୍ଦ୍ର ଆଦେଶ ନେଲେ ତା’ ରକ୍ଷଣଭାର ।
ଯନ୍ତ୍ର ନଭେ ଉଠି ପତ୍ର ପୂର୍ଣ୍ଣ ସୁଧାକର
ରମ୍ୟରୂପେ ହେଲା ଲୋକନୟନଗୋଚର ।
ଚଉଦିଗେ କଲା ଜ୍ଞାନଚନ୍ଦ୍ରିକା ପ୍ରକାଶ,
ଅଜ୍ଞାନ-ତିମିର ଦୂର ହେଲା ଲଭି ତ୍ରାସ ।
ବୁଧ-ହୃଦ-ଜୀବଞ୍ଜୀବ ସେ ଚନ୍ଦ୍ରିକା ପାନ
କରି ସମୁଲ୍ଲାସେ କଲା ମଧୁମୟ ଗାନ ।
ନିର୍ମଳ ହୃଦୟ ସରେ ଭାଷା-କୁମୁଦିନୀ,
ବିକସିତ ହୋଇ ହେଲା ଚିତ୍ତବିନୋଦିନୀ ।
ଫୁଟିଲା ପ୍ରବନ୍ଧ-ଫୁଲ, ଛୁଟିଲା ସୁବାସ
ଲାଗିଲା ପାଠକ-ମଧୁଲିଟଙ୍କ ବିଳାସ ।
ଉଠିଲା କବିତା-ସିନ୍ଧୁ-ତରଙ୍ଗପଟଳ,
ପ୍ରତିଭା ଓଷଧି କଲା ପ୍ରତିଭା ପ୍ରବଳ ।
ସମାଜ-କାନନେ ପଶି ସେ ଚନ୍ଦ୍ରକିରଣ
କୁରୀତି-ତିମିର କଲା ଯତନେ ହରଣ ।
ବିଧବାର ଦୁଃଖ-ତମେ ଯେ କନ୍ଦର ପୂର୍ଣ୍ଣ,
ନ ଡରିଲା ତହିଁ ପଶି ହେବାପାଇଁ ଚୂର୍ଣ୍ଣ ।
ବିଧବାର ଏକାଦଶୀ କଷ୍ଟ ଅନୁଭବି
ପଶିଗଲା ରଶ୍ମିଜାଳ ହିମରୂପେ ସ୍ରବି।
ଶୈଶବ ବିବାହ ପଥେ ଯେ ଭୀଷଣ ଗ୍ରାମ,
ଜଣାଗଲା ତହିଁ ଗୋଟି ଗୋଟିକର ନାମ ।
ଉତ୍କଳରେ ହେଲା ନବ ଯୁଗର ଆରମ୍ଭ,
ଦିଗେ ଦିଗେ ବ୍ୟାପିଗଲା ସାହିତ୍ୟ-ସୌରଭ ।
ଦ୍ରବିଲା ପାର୍ବତୀ କାବ୍ୟ ଚନ୍ଦ୍ରକାନ୍ତ ମଣି,
ଦୀପ୍ତ ହେଲେ ରାଧାନାଥ ସେ ମଣିର ଖଣି ।
ନବ ରକ୍ତ ସଞ୍ଚରିଲା ଉତ୍କଳ-ଜୀବନେ,
ନବ ବଳ ଉପୁଜିଲା ଉତ୍କଳୀ ଯୌବନେ ।
ସାହିତ୍ୟିକମଣ୍ଡଳୀର ଗୌରବବର୍ଦ୍ଧନ,
ସଙ୍ଗେ ହେଲା ଦାମ୍ଭକଙ୍କ ଗରବ ମର୍ଦ୍ଦନ ।
ଗୋପନରେ କରୁଥିଲେ ପାପିଏ ଯେ ପାପ,
ହସି ଲୋକେ ଦେଲେ ତାଙ୍କ ମନରେ ସନ୍ତାପ ।
ଅବିଚାର ଅତ୍ୟାଚାର ହେଲା ପ୍ରଶମିତ,
ଅଯଥାଡ଼ମ୍ବର ହୋଇଆସିଲା ଦମିତ ।
ଆମୋଦ ପ୍ରମୋଦ ଗଳ୍ପ ଉପନ୍ୟାସ ଛଳେ,
ବିବିଧ ରହସ୍ୟ ହେଲା ପ୍ରକଟ କୌଶଳେ ।
ମନେପଡ଼େ ‘‘ଗଜେନ୍ଦ୍ରଙ୍କ ଗଜିଆବତାର’’,
ରମ୍ଭାପତ୍ର ପାଇଁ ଉପବାସୀ ପରିବାର ।
‘‘କଦଳୀଖିଆର କଥା’’ ନ ହେବ ବିସ୍ମରି,
ଉପମେୟ ପାତ୍ର ତାକୁ ବଳେ ଆଣେ ଧରି ।
ଅକବିର କବିତାଟି ହୃଦେ ଉପଗତ,
ହୋଇ କରିଦିଏ କ୍ଷଣ-କ୍ଷଣକେ ଜାଗ୍ରତ ।
‘ଜେମାଙ୍କ ବିୟୋଗ’ ପଦ୍ୟ ହେଉଛି ସ୍ମରଣ,
ଲେଖିଥିଲେ ଯାହା ଲାଲା ରାମନାରାୟଣ ।
ପ୍ରକାଶିତ ହେଲା ଯେଉଁ ପ୍ରହେଳିକାମାନ,
ଅଦ୍ୟାପି ମାନସେ ପାଉଅଛନ୍ତି ସମ୍ମାନ ।
ହେବାରୁ ସମ୍ବଲପୁର ନେତ୍ର ଉନ୍ମୀଳିତ
କଷ୍ଟକୁ ନ ଗଣି ହେଲା ଉତ୍କଳେ ମିଳିତ ।
ହିନ୍ଦୀର ଗ୍ରାସରୁ ହେଲା କି କଷ୍ଟେ ଉଦ୍ଧାର,
ରାହୁକବଳରୁ ସୁଧାକର ପରକାର ।
ଗୁଣିଗଣ ଥିଲେ ଯାହା ଅପ୍ରକାଶ ଲୋକେ,
ମୁଖ ଚୁହାଁଚୁହିଁ ହେଲେ ନିର୍ମଳ ଆଲୋକେ ।
ଆନନ୍ଦରେ ବସିଥିଲା କବିଙ୍କର ସଭା,
ଦୀପ୍ତ ହେଲା କବିଙ୍କର ଅଳଙ୍କାରପ୍ରଭା ।
ମାଗଣା ଭୂଷଣ ନେଇ କେତେ ସଭାସଦ,
ପାଇଗଲେ ତହିଁ ସଙ୍ଗେ କବିଙ୍କର ପଦ ।
ଲାଗିଲା ମୟୂରଭଞ୍ଜେ ବାଣୀ ଆରାଧନା
ଧୂପଗନ୍ଧେ ମୁଗ୍‌ଧ ହୋଇଗଲେ ଦିଗଙ୍ଗନା ।
ଆରତି ପ୍ରଦୀପେ ଦେବୀ ବଦନମୟୂଖ
ଦୀପ୍ତ କଲା ମହାପାତ୍ର ପୂଜାହାରୀ ମୁଖ ।
ଭକ୍ତ ଦେଖି ପୂଜାହାରୀ ବାଣ୍ଟୁଥିଲେ ଭୋଗ,
ସନ୍ଦେଶ ଉଖୁଡ଼ା ଖଇ ଯହିଁର ଯେ ଯୋଗ୍ୟ ।
‘ଇନ୍ଦ୍ରଧନୁ’, ‘ବିଜୁଳି’ର ହେଲା ବାଦୀପାଲା,
ଚଳିଲା ଦାହିକା ଗୀତି ଚଉପଦୀମାଳା ।
କଟକରେ ବିଶ୍ୱନାଥ ‘ସାହିତ୍ୟ’-ଜାହାଜ
ଚଳାଇଲେ ପାଇ ଧନୀମାନୀଙ୍କ ସାହାଯ୍ୟ ।
‘ହିତୈଷିଣୀ’ ସ୍ୱଚ୍ଛାଲୋକେ ଚୌଦିଗ ଉଜ୍ଜ୍ୱଳ
ହେବାରୁ ଏ ଶୁଭଯୋଗ ଲଭିଲା ଉତ୍କଳ ।
ଧନ୍ୟ ଧନ୍ୟ ବାସୁଦେବ ମହୀପାଳମଣି,
ଧନ୍ୟ ଧନ୍ୟ କ୍ଷଣଜନ୍ମା ବୁଧ ନୀଳମଣି ।
ଉତ୍କଳରେ କରି ଶୁଭ ଯଜ୍ଞର ଆରମ୍ଭ,
ସ୍ଥାପିଦେଲ କାଳଦର୍ପ ଧ୍ୱଂସୀ ଯୂପସ୍ତମ୍ଭ ।
ରାଧାନାଥ ସରସ୍ୱତୀ ମୂର୍ତ୍ତି ନବ ଯନ୍ତ୍ରେ
ଗଢ଼ିଗଲେ, ଜୀବନ୍ୟାସ କରିଦେଲ ମନ୍ତ୍ରେ ।
ଯାବତ ଉତ୍କଳେ ଥିବ ବାଣୀନିକେତନ,
ତାବତ ଉଡ଼ିବ ତୁମ୍ଭ କୀରତି-କେତନ ।
ଯେତେ ନେତ୍ରେ ଦେଇଅଛ ସୁଜ୍ଞାନ-ଅଞ୍ଜନ,
ନିଶ୍ଚେ ହୋଇଥିବ ତାଙ୍କ ହୃଦୟରଞ୍ଜନ ।
ବୋଲନ୍ତୁ ପଛକେ ଲୋକେ ତୋତେ କିଏ ଗଣେ
ସଦା ବୋଲୁଥିବି ମୁହିଁ ତହିଁ ମଧ୍ୟେ ଜଣେ ।
କରିଅଛ ମୋର ଯେତେ ଯେତେ ଉପକାର,
ମୋ’ ହୃଦେ ରହିଛି ସବୁ ସ୍ୱର୍ଣ୍ଣମୟ ଗାର ।
ତୁମ୍ଭ କୀରତିର ଚାରୁ ପତାକା ସୀବନେ
ସୂତ୍ର ହେଲେ ଧନ୍ୟ ହେବି ମୁଁ ଦୀନ ଜୀବନେ ।

•••