Jump to content

ଅର୍ଘ୍ୟଥାଳୀ/ମଧୁସୂଦନ ରାଓଙ୍କ ସ୍ୱର୍ଗାରୋହଣ

ଉଇକିପାଠାଗାର‌ରୁ
ଅର୍ଘ୍ୟଥାଳୀ
ଲେଖକ/କବି: ଗଙ୍ଗାଧର ମେହେର
ମଧୁସୂଦନ ରାଓଙ୍କ ସ୍ୱର୍ଗାରୋହଣ


ମଧୁସୂଦନ ରାଓଙ୍କ ସ୍ୱର୍ଗାରୋହଣ
ଲେଖକ/କବି: ଗଙ୍ଗାଧର ମେହେର



ଉତ୍କଳର ପ୍ରିୟପୁତ୍ର ହେ ମଧୁସୂଦନ,
ମର-ତନୁ ତେଜି ଗଲ ଅମର ଭୁବନ ।
ରୋଗଯନ୍ତ୍ରଣାରେ ଲବେ ନ ହୋଇ କାତର
ଉତ୍କଳର ହିତ ସାଧୁଥିଲ ନିରନ୍ତର ।
ଭ୍ରମାଇ ଉତ୍କଳେ ମନ, ଅପଘନ ଧ୍ୟାନ
ଉତ୍କଳର ଘରେ ଘରେ ବାଣ୍ଟିଅଛ ଜ୍ଞାନ ।
ଉତ୍କଳର ଦୁଃଖଭାରେ ନ ହୋଇ ଅଧୀର,
ଅସ୍ଥିସାର ଅବୟବ ଘେନିଥିଲ ବୀର !
ଶରୀରବଳରୁ ଜ୍ଞାନବଳର ଉତ୍କର୍ଷ,
ପ୍ରଦର୍ଶନ ପାଇଁ ଥିଲ ଉତ୍ତମ ଆଦର୍ଶ ।
ନିଜର ପ୍ରତିଭା-ଦୀପ ବୁଲାଇ ଉତ୍କଳେ,
ଜାଳିଲ ଅନେକ ଦୀପ ବିବିଧ କୌଶଳେ ।
ଜନମିଲେ ଦିନେ ଅଛି ଅବଶ୍ୟ ମରଣ,
ଅମର ସେ ଯା’କୁ ଲୋକେ କରନ୍ତି ସ୍ମରଣ ।
କେତେ ଲୋକ ଦେଖିଛନ୍ତି ତୁମ୍ଭର ଶରୀର ?
ନାମ ତୁମ୍ଭ ସଂଖ୍ୟାତୀତ ହୃଦେ ଚିର ସ୍ଥିର ।
ଏ ସମସ୍ତ କଥା ଜାଣୁଥିଲେହେଁ ହୃଦୟ,
ଦୁଃଖଭାରେ ଆଜି ହୋଇଯାଉଛି ଅଥୟ ।
ଦେଖୁ ତ ନ ଥିଲି ତୁମ୍ଭ ପବିତ୍ର ମୂରତି,
କିପାଁ ଦୁଃଖେ ହୃଦ ମୋର ହେଉଛି କରତି ?
ଚାରିଦିଗେ ଶୁଭୁଅଛି ହାହାକାର ରବ,
ଉତ୍କଳର ଚାରୁ ମୁଖ ଦିଶୁଛି ନିଷ୍ପ୍ରଭ ।
ଲକ୍ଷ ଲକ୍ଷ ଲୋକ ଆଜ ବହୁ ଦୂରେ ଥାଇ,
ନେତ୍ରନୀର ତେଜୁଛନ୍ତି ତୁମ୍ଭ ଗୁଣ ଗାଇ ।
ବାଳକବାଳିକାବୃନ୍ଦ ହୃଦେ ଦୁଃଖ ପୋଷି
କାନ୍ଦୁଛନ୍ତି ବିଦ୍ୟାଳୟେ ତୁମ୍ଭ ଗୁଣ ଘୋଷି ।
ଗ୍ରାମେ ଗ୍ରାମେ ଶୋକରବେ ଶିକ୍ଷକସକଳ
ଗାଉଛନ୍ତି ଗୁଣ କରି ଜୀବନ-ବିକଳ ।
ସମ୍ବାଦପତର ଶୋକ କରୁଛି ପ୍ରଚାର
ସୁଗୁରୁ ଗମ୍ଭୀର ନାଦେ ବହି ଦୁଃଖଭାର ।
ପ୍ରିୟ ସୁହୃଦ୍‌ବର ତୁମ୍ଭେ ରାଧାନାଥଙ୍କର,
ମଣୁଥିଲ ତାଙ୍କ ପାଖେ ଅତି ସୁଖକର ।
ସ୍ୱରଗେ ଲଭିବା ପାଇଁ ସେହି ବନ୍ଧୁବର,
ସତ୍ୱର ତେଜିଲ ପରା ମର-କଳେବର ।
ତୁମ୍ଭ ପାଇଁ ଫିଟିଅଛି ସ୍ୱର୍ଗର କବାଟ,
ସରଳ ସୁଗମ ହୋଇଅଛି ପୁଣି ବାଟ ।
କବିତାସକଳ ତୁମ୍ଭ ଦେବକନ୍ୟାବେଶେ,
ଘେନିଯିବେ ସମାଦର କରି ସ୍ୱର୍ଗଦେଶେ ।
ଦେଇଛ ତାହାଙ୍କୁ କବି କେତେ ଅଳଙ୍କାର,
ସେ ଭୂଷା ଜ୍ୟୋତିରେ ନିଶ୍ଚେ ହେବ ଚମତ୍କାର
ଦେଇଅଛ ଜଗତକୁ ଯେତେ ଉପେଦଶ,
ସେସବୁ ଧରିବେ ତହିଁ ବିଦ୍ୟାଧରବେଶ ।
କରିବାକୁ ତବ ଚିତ୍ତ ପ୍ରୀତି ଆକର୍ଷଣ,
ନନ୍ଦନ-କୁସୁମ ଶିରେ କରିବେ ବର୍ଷଣ,
ନିଜେ ସୁରପତି ଆସି ଧରି ତୁମ୍ଭ ହାତ
ବସାଇବେ ତହିଁ, ଯହିଁ ଥିବେ ରାଧାନାଥ ।
ଜ୍ୟୋତିର୍ମୟ ରୂପ ଧରି ଗଗନମଣ୍ଡଳେ
ବିତରଣ କରୁଥିବ ଜ୍ୟୋତି ଏକ ଉତ୍କଳେ ।

•••